ରାହୁଲଙ୍କ ଏନପିଆର ଟ୍ୟାକ୍ସ ଅଭିଯୋଗ ଉପରେ ଶାହ ଓ ଜାଭଡେକରଙ୍କ ଜବାବ
trendingNow,recommendedStories0/zeeodisha/odisha616432

ରାହୁଲଙ୍କ ଏନପିଆର ଟ୍ୟାକ୍ସ ଅଭିଯୋଗ ଉପରେ ଶାହ ଓ ଜାଭଡେକରଙ୍କ ଜବାବ

ନାଗରିକତା ଆଇନ ନେଇ ବିରୋଧୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜବାବ । ଆଇନ ବିଷୟରେ ନ ଜାଣି ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରାଯାଉଛି ବୋଲି ସିମଲାରେ ଆୟୋଜିତ କାର୍ଯ୍ୟକ୍ରମର ମତ ରଖିଛନ୍ତି ଶାହ ।

ରାହୁଲଙ୍କ ଏନପିଆର ଟ୍ୟାକ୍ସ ଅଭିଯୋଗ ଉପରେ ଶାହ ଓ ଜାଭଡେକରଙ୍କ ଜବାବ

ନୂଆଦିଲ୍ଲୀ: ନାଗରିକତା ଆଇନ ନେଇ ବିରୋଧୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜବାବ । ଆଇନ ବିଷୟରେ ନ ଜାଣି ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରାଯାଉଛି ବୋଲି ସିମଲାରେ ଆୟୋଜିତ କାର୍ଯ୍ୟକ୍ରମର ମତ ରଖିଛନ୍ତି ଶାହ । ପଡୋଶୀ ଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଦେଶରେ ସ୍ଥାନ ଦେବା ଓ ସୁରକ୍ଷା ଯୋଗାଇବା ଦେଶର କର୍ତ୍ତବ୍ୟ ବୋଲି ଅମିତ ଶାହ କହିଛନ୍ତି । ନାଗରିକତା ଆଇନ କାହାର ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ସେହିପରି ଆଇନ ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଏପର୍ଯ୍ୟନ୍ତ ବିଜେପି ସରକାରଙ୍କ ବିରୋଧରେ ଗୋଟିଏ ବି ଦୁର୍ନୀତି ଅଭିଯୋଗ ନାହିଁ ବୋଲି ବିରୋଧୀଙ୍କୁ ସେ ଜବାବ ଦେଇଛନ୍ତି ।

ଏନଆରସି ଓ ଏନପିଆର ପ୍ରସଙ୍ଗରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ । ନାଗରିକତା ଆଇନ ପ୍ରଣୟନ କରି ସରକାର ଦେଶର ଗରିବ ମାନଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ରାହୁଲ କହିଥିଲେ । ଏହାସହତ ଏନପିଆର ଭାରତୀୟ ନାଗରିକଙ୍କ ପାଇଁ ଟିକସ ପରି ହୋଇଥିବା ସେ କହିଛନ୍ତି । ପୂର୍ବରୁ ବିମୁଦ୍ରୀକରଣ ସମୟରେ ଯେପରି ଲୋକଙ୍କ ଉପରେ ବୋଝ ସୃଷ୍ଟି କରିଥିଲେ ସରକାର ଏବେ ପୁଣି ସେହିପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ସରକାର ଆଇନ ପ୍ରଣୟନ କରି ଗରିବଙ୍କ ଠାରୁ ଟିକସ ସଂଗ୍ରହ କରିବା ସହ ଦେଶର ୧୫ ଉଦ୍ୟୋଗପତିଙ୍କୁ ଦେବା ପାଇଁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।  ସେପଟେ ରାହୁଲଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ସାଧାରଣ ସଂପାଦକ ରାମ ମାଧବ । ଏନପିଆର,ଏନଆରସି ଓ ସିଏଏ ନାମରେ ବିରୋଧୀ ସାମ୍ପ୍ରଦାୟିକ ଷଡ଼ଯନ୍ତ୍ର କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି  ।

ଅନ୍ୟପଟେ ନାଗରିକତା ବିରୋଧୀ ହିଂସାକୁ ନେଇ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଶୁକ୍ରବାର ଲକ୍ଷ୍ନୌ ସମେତ ୧୪ ଟି ସହରରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହେଉଥିବାରୁ ପୋଲିସ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ନାଗରିକତା ଆଇନ ବିରୋଧୀ ହିଂସା ଆଶଙ୍କାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨୦ କମ୍ପାନୀ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହିତ ପୂରା ରାଜ୍ୟରେ ୧୪୪ ଧାରା ଲାଗୁ ହୋଇଛି । ଉତ୍ତେଜନା ପ୍ରବଣ ସ୍ଥାନ ଗୁଡ଼ିକରେ ଡ୍ରୋନ ମାଧ୍ୟମରେ ନଜର ରଖାଯାଇଥିବା ଡିଜିପି  ଓପି ସିଂହ କହିଛନ୍ତି । ସେପଟେ ଦିଲ୍ଲୀରେ ୧୫ କମ୍ପାନୀ ପାରା ମିଲିଟାରୀ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି । ଜାମା ମସଦିଦ ନିଟକରେ ଶୁକ୍ରବାର ନାଗରିକତା ଆଇନ ବିରୋଧରେ କିଛି ଆନ୍ଦୋଳନକାରୀ ନାରା ଲଗାଇଥିଲେ । ସୀଲମପୁର ସହ ଜାଫରାବାଦ ଓ ମୁସ୍ତଫାବାଦରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି ।  ଏହାସହିତ ଦିଲ୍ଲୀରେ ଥିବା ଉତ୍ତର ପ୍ରଦେଶ ଭବନ ବାହାରେ ଆଇନ ବିରୋଧୀ ଆନ୍ଦୋଳନ ପରେ ପୋଲିସ ୩ ଶହ ଆନ୍ଦୋଳନକାରୀଙ୍କୁ ହେପାଜତକୁ ନେଇଛି  ।

ଦିଲ୍ଲୀରେ ଜାମା ମସଜିଦ ଅଞ୍ଚଳରେ ଥିବା ଜାମିଆ କୋଅର୍ଡିନେସନ କମିଟି ପକ୍ଷରୁ ରାଜ୍ୟରେ ଶାନ୍ତି ପାଇଁ ଅପିଲ କରାଯାଇଛି । ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ହିଂସାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯିବା ସହ ଅନୁଷ୍ଠାନ ପକ୍ଷରୁ ଲିଫଲେଟ ବଣ୍ଟା ଯାଉଛି । ଆନ୍ଦୋଳନ ସମୟରେ କୌଣସି ଧାର୍ମିକ ନାରା ନ ଲଗାଇବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରାଯାଇଛି । ଏହାସହିତ ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ପୋଲିସକୁ ଜଣାଇବାକୁ ନିବେଦନ କରିଛନ୍ତି କମିଟି ସଦସ୍ୟ । 

ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ

Trending news