'କାତ ପାଉନି' କିଏ ଗାଇବ, ନାଉରିଆର ଆଣ୍ଡୁ ବୁଡ଼ୁନି
Advertisement

'କାତ ପାଉନି' କିଏ ଗାଇବ, ନାଉରିଆର ଆଣ୍ଡୁ ବୁଡ଼ୁନି

ଶୀତରେ ଶୁଖିଲା ମହାନଦୀ, ଖରାଦିନେ ଅବସ୍ଥା ସାଙ୍ଘାତିକ

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲା ଦେଇ ମହାନଦୀ ବହି ଯାଇଥିବା ବେଳେ ହନୁମାନ ଘାଟର ଏବେ ଏଭଳି ଅବସ୍ଥା । ଦିନ ଥିଲା ଏହି ଘାଟରେ ଲୋକେ ଡଙ୍ଗା ନ ହେଲେ ନଦୀ ପାର ହୋଇ ପାରୁ ନ ଥିଲେ । ହେଲେ ଆଜି ଆଉ ସେହି ଦିନ ନାହିଁ । ଚଳିତ ବର୍ଷ ଆରମ୍ଭରୁ ନଦୀରେ ପାଣି ନାହିଁ । ଫଳରେ ଆବାଳ ବୃଦ୍ଧ ବନିତା ମହାନଦୀରେ ଚାଲିଚାଲି ନଦୀ ପାର ହେଉଛନ୍ତି । ଅନ୍ୟପଟେ ମହାନଦୀ ଜଳ ବିବାଦ ମାମଲା ଏବେ ବିଚାରାଧୀନ ରହିଛି ।

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରାଡ଼ା ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ବହି ଯାଇଛି ମହାନଦୀ । ଆଉ ମନମୁଣ୍ଡା ଠାରୁ ବୌଦ୍ଧ ଭିତରେ ତେଲ, ବାଗ, ମେହେରୁଣୀ, ସାଲୁଙ୍କି ଭଳି ଚାରି ଚାରିଟି ନଦୀ ମିଶିଛି । ତଥାପି ବି ମହାନଦୀ ଶୁଖିଲା ପଡ଼ିଛି । ନଦୀରେ ଚଳିତ ବର୍ଷ ହଠାତ୍ ଜଳ ଧାରା କମି ଯାଇଛି । କେଉଁଠି ଆଣ୍ଠୁଏ ପାଣି ତ ଆଉ କେଉଁଠି ଅଣ୍ଟାଏ ପାଣି ରହିଛି । ଜାନୁୟାରୀ ମାସ ପହିଲା ଠାରୁ ଓଡ଼ିଶାର ସର୍ବ ବୃହତ ନଦୀର ଅବସ୍ଥା ଯଦି  ଏପରି ହେଲାଣି, ତା'ହେଲେ ଏପ୍ରିଲ ଆଉ ମେ' ମାସରେ କ'ଣ ଅବସ୍ଥା ହେବ, ତାହା ଆପଣ ଅନୁମାନ କରିପାରୁଥିବେ ।

ଆହୁରି ପଢ଼ନ୍ତୁ; 5T ପ୍ରଭାବ, ସପ୍ତାହେରେ ରେକର୍ଡ ସଂଖ୍ୟକ ପଦୋନ୍ନତି

ମହାନଦୀରେ ନାଉରିଆ ଡଙ୍ଗା ଚଳାଇବା ପାଇଁ ମଧ୍ୟ ପାଣି ନାହିଁ । ଫଳରେ ବୌଦ୍ଧ ଜିଲ୍ଲାର ଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ନାଉରିଆ ତାଙ୍କର ବେଉସା ହରାଇ ଘରେ ବସିଛନ୍ତି । କେବଳ ନାଉରିଆ ନୁହନ୍ତି, ଜିଲ୍ଲାର ନଦୀ କୂଳରେ ରହୁଥିବା ହଜାର ହଜାର ମତ୍ସ୍ୟଜୀବୀ ତାଙ୍କର ମାଛ ମାରିବା ପେଶା ହରାଇ ସାରିଲେଣି । ସେହିପରି ମହାନଦୀ ଶୁଷ୍କ ହୋଇ ଯିବାରୁ ଏବେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ନେଇଛି । ଚାଷଜମିକୁ ତ ମହାନଦୀରୁ ଜଳସେଚନ କରିବା ଦୂରର କଥା, ମହାନଦୀ କୂଳରେ ଥିବା ୨୩୦ରୁ ଅଧିକ ଗାଁର ବାସିନ୍ଦା ପିଇବା ପାଣି ପାଇଁ ଡହଳ ବିକଳ ହେବା ସୁନିଶ୍ଚିତ ।

ଯେଉଁ ନଦୀର ପାଣିକୁ ଦେଖିଲେ ଲୋକେ ଭୟ କରୁଥିଲେ, ଏବେ ସେହି ନଦୀରେ ଲୋକେ ଚାଲିକି ଯାତାୟତ କରୁଛନ୍ତି । ଏପରି ସ୍ଥଳେ ମହାନଦୀର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି ।

ଆହୁରି ପଢ଼ନ୍ତୁ; ଇଣ୍ଟେଲକଚ୍ୟୁଆଲ ଫ୍ୟାକ୍ଟ୍ରିରେ ଆତଙ୍କରାଜ