ଅନୁଗୁଳବାସୀଙ୍କୁ ଡରାଉଛି କିଡନୀ ରୋଗ
Advertisement

ଅନୁଗୁଳବାସୀଙ୍କୁ ଡରାଉଛି କିଡନୀ ରୋଗ

ଅନୁଗୁଳରେ କାୟା ବିସ୍ତାର କରିଛି କିଡନୀ ରୋଗ

ସୌଜନ୍ୟ: ସୋସିଆଲ ମିଡିଆ

ରଘୁନାଥ ସାହୁ, ଅନୁଗୁଳ: ଏବେ କାୟା ବିସ୍ତାର କରିଛି କିଡନୀ ରୋଗ । ବିଶେଷ କରି ଜିଲ୍ଲାର ଗ୍ରାମାଞ୍ଚଳରେ ଏହା ଆଶାତୀତ ଭାବେ ବୃଦ୍ଧି ପାଉଛି । କିନ୍ତୁ ଏ ସବୁ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ଜାଣି ନ ପାରିବା ଏବଂ କିଡନୀ ରୋଗର କାରଣ ଖୋଜି ନ ପାଇବା, ନିହାତି ପରିତାପର ବିଷୟ । ଟେକ୍ନୋଲୋଜିର ଏତେ ବିକାଶ ସତ୍ତ୍ୱେ ରୋଗର କାରଣ ଖୋଜି ନ ପାଇବା ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି । ଏସବୁ ସ୍ଥିତି ପରଖିବାକୁ ଜୀ ଓଡ଼ିଶା ଟିମ୍ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇଥିଲା । ଆମ ପ୍ରତିନିଧି ସେଠାରେ ସ୍ଥିତି ପରଖି ଯାହା ଦେଖିଲେ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

୧୯୯୩ ଅପ୍ରେଲ ପହିଲାରେ ଜିଲ୍ଲା ମାନ୍ୟତା ପାଇଥିଲା ଅନୁଗୁଳ । ୨୦୧୧ ଜନଗଣନା ଅନୁସାରେ, ଏହି ଜିଲ୍ଲାର ମୋଟ ଜନସଂଖ୍ୟା ୧୨, ୭୧, ୭୦୩ । ଶିଳ୍ପର ରାଜଧାନୀ ଭାବେ ଅନୁଗୁଳ ଥିଲା ବେଶ୍ ଜଣାଶୁଣା । ଏଠି ଜଳ, ସ୍ଥଳ, ଆକାଶ ଓ ପବନରେ ବିଷ ଭରି ରହିଛି । କାରଣ ଅଧିକ ପରିମାଣରେ ନାଇଟ୍ରୋଜେନ ଡାଇଅକ୍ସାଇଡ ଥିବାରୁ ଦେଶର ତୃତୀୟ ପ୍ରଦୂଷିତ ସହର ଭାବେ ତାଲିକାରେ ରହିଛି ଏହି ଜିଲ୍ଲା । ସେଥିପାଇଁ ବିଷ ବଳୟରେ ଲୋକେମାନେ ରହୁଥିବାରୁ ଅନେକ ରୋଗରେ ପୀଡ଼ିତ ହେଉଛନ୍ତି । ଜିଲ୍ଲାରେ ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି କିଡନୀ ରୋଗ । ସରକାରୀ ତଥ୍ୟ ଅନୁଯାୟୀ, ଅନୁଗୁଳ ବ୍ଲକ ହେମାମୁରା ଗାଁରେ କିଡନୀ ରୋଗରେ ୯ ଜଣ ଚିକିତ୍ସିତ ହେଉଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହେଲାଣି । ଆଠମଲ୍ଲିକ ବ୍ଲକ ଲୁହାସିଂହା, ଭାଗବନପୁର ଓ ଶାନ୍ତିପୁର ଗାଁରେ ୧୭ ଜଣ କିଡନୀ ରୋଗରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି କିଶୋରନଗର ବ୍ଲକର ଡାଳପୋକାରେ ୩ ଜଣ ଓ ଭାଙ୍ଗମୁଣ୍ଡା ଗାଁର ୬ ଜଣ ଚିକିତ୍ସିତ ଥିବାବେଳେ ମୃତଙ୍କ ବିଷୟରେ କୌଣସି ତଥ୍ୟ ନାହିଁ । ଖମାର-ଝାରକିଲିଣ୍ଡା ଗାଁରେ ୪ ଜଣ ଚିକିତ୍ସିତ ଥିବାବେଳେ ୨ ଜଣଙ୍କ ମୃତ୍ୟୁ, ସାନସଡାରେ ଚିକିତ୍ସିତଙ୍କ ସଂଖ୍ୟା ୭ ଏବଂ ମୃତକଙ୍କ ସଂଖ୍ୟା ୭, ଦେବାହାଳି ଚିକିତ୍ସିତଙ୍କ ସଂଖ୍ୟା ୩, ଚଷାଗୁରୁଜାଙ୍ଗ ଚିକିତ୍ସିତଙ୍କ ସଂଖ୍ୟା  ୮ ହୋଇଥିବାବେଳେ ମୃତକଙ୍କ କୌଣସି ତଥ୍ୟ ମିଳିପାରିନି । ସେହିପରି କଣିହାଁ ବ୍ଲକ ତାଳପଦରେ ଜଣେ କିଡନୀ ରୋଗୀ ଚିକିତ୍ସିତ ହେଉଛନ୍ତି ।

କାହିଁ କେଉଁ କାଳରୁ ନାଲୋକ ପାଉଁଶ ପୋଖରୀ ତଳେ ଏହି ଗାଁ ଅବସ୍ଥିତ । ଗାଁରେ ଅଛନ୍ତି ୫୦ ପରିବାର । ଲୋକ ସଂଖ୍ୟା କହିଲେ ୨୫୦ ଜଣ । ୨୦୧୨ ମସିହାରେ ନୂଆଁ ପାଉଁଶ ପୋଖରୀ ହେବା ପରେ ବଡ଼ତଇଲା ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ଗତ ଏକ ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଲେଣି ଆଉ ଏବେ ବି ୫ ଜଣ ଖଟିଆରେ ଶୋଇ ରହିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ,  ପାଣି ବ୍ୟବହାର କରିବା ଦ୍ଵାରା କିଡନୀ ସମସ୍ୟା ଦେଖା ଦେଉଛି । ପାଉଁଶ ପୋଖରୀରୁ ପବନରେ ପାଉଁଶ ଉଡ଼ିବା ଦ୍ଵାରା ଗାଁରେ ଥିବା ସମସ୍ତ ଖୋଲା କୂଅରେ ପାଉଁଶ ପଡ଼ି ପାଣିକୁ ପ୍ରଦୂଷିତ କରିଥାଏ । ଫଳରେ ଗାଁ ଲୋକଙ୍କ ସାହା ଭରସା ହେଉଛି ଏକମାତ୍ର ନଳକୂପ । ତେଣୁ ବାଧ୍ୟ ହୋଇ ଗାଁର ଅନେକ ଲୋକ ପାଣି ପାଇଁ ବହୁ ଦୂରକୁ ଯାଇଥାନ୍ତି । ଗାଁ ବିସ୍ଥାପିତ ପାଇଁ ନାଲକୋ ବିରୋଧରେ ଗ୍ରାମବାସୀ ମାନେ ନ୍ୟାୟାଳୟର ଆଶ୍ରୟ ନେଇଥିବା ବେଳେ ଏବେ ସୁପ୍ରିମକୋର୍ଟଙ୍କ ପାଖରେ ମାମଲା ବିଚାରାଧୀନ ଅଛି ।

 ଅନୁଗୁଳ ଜିଲ୍ଲାରୁ ମାତ୍ରାଧିକ କିଡିନୀ ରୋଗୀ କଟକ- ଭୁବନେଶ୍ୱର ଡାୟୋଲିସିସ ପାଇଁ ଦୌଡ଼ି ଦୌଡ଼ି ଅର୍ଥ ଶ୍ରାଦ୍ଧ କରୁଥିଲେ । ସେ ଦୃଷ୍ଟିରୁ ଅନୁଗୁଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଠାରେ ୨୦୧୮ ଏପ୍ରିଲ ୧ ରେ ୭ ଟି ଡାୟୋଲିସିସ ମେସିନରେ ଆରମ୍ଭ ହୋଇଥିଲା ଡାୟୋଲିସିସ କେନ୍ଦ୍ର । ଅତ୍ୟଧିକ ରୋଗୀଙ୍କୁ ଦୃଷ୍ଟିରେ ରଖି ୨୦୧୯ ଜାନୁଆରୀ ୨୭ରେ ଆସିଥିଲା ଆଉ ୫ଟି ଡାୟୋଲିସିସ ମେସିନ । ଏବେ ୧୨ଟି ଡାୟୋଲିସିସ ମେସିନରେ କିଡିନୀ ରୋଗୀ ଚିକିତ୍ସିତ ହେଉଛନ୍ତି । ଭିତ୍ତିଭୂମି ନ ଥାଇ ମଧ୍ୟ ଆଉ ୪ଟି ମେସିନ ଆସିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏବେ ନଜର ପକାନ୍ତୁ ଡାଇଲସିସ କେନ୍ଦ୍ରରେ କେତେ ରୋଗୀ ଚିକିତ୍ସା ହେଉଛନ୍ତି ଆଉ କେତେ ଅପେକ୍ଷାରେ ଅଛନ୍ତି । ଏହା ଭିତରେ କେତେ ରୋଗୀଙ୍କ ମୃତ୍ୟୁ ହେଲାଣି । ୨୦୧୮ ଏପ୍ରିଲ ୧ ଠାରୁ ୧୫୯ ଜଣଙ୍କ ଡାୟୋଲିସିସ ସରିଯାଇଥିଲେ ମଧ୍ୟ ତନ୍ମଧ୍ୟରୁ ୫୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ୧୦୮ ଜଣଙ୍କ ତିନୋଟି ପର୍ଯ୍ୟାୟରେ ଡାୟୋଲିସିସ ଚାଲୁଥିବା ବେଳେ ଆହୁରି ୯୦ ଜଣ ଅପେକ୍ଷାରେ ଅଛନ୍ତି । ଏହି ଡାୟୋଲିସିସ କେନ୍ଦ୍ରରେ ଢେଙ୍କାନାଳ ଓ ବଲାଙ୍ଗୀରର କିଛି କିଡନୀ ରୋଗୀ ମଧ୍ୟ ଚିକିତ୍ସିତ ହେଉଛନ୍ତି

କିଡନୀ ରୋଗରେ ଆକ୍ରାନ୍ତ ଥିବା ରୋଗୀ ଜିଲ୍ଲାର ପ୍ରତ୍ୟେକ ଗାଁରେ ଥିବା ବେଳେ ଅନେକ ଗାଁ ବିଷୟରେ ସରକାରୀ କାଗଜରେ କୌଣସି ତଥ୍ୟ ନାହିଁ । ଏଯାବତ୍ ଅନୁଗୁଳ ଜିଲ୍ଲାର ମାତ୍ରାଧିକ କିଡନୀ ରୋଗ ହୋଇଥିଲେ ମଧ୍ୟ କାହିଁକି ସଂକ୍ରମଣ ପରି ବ୍ୟାପୁଛି ତାହାର ଉପଯୁକ୍ତ କାରଣ ଖୋଜି ପାଇନାହିଁ ସ୍ୱାସ୍ଥ୍ୟ ବିଭାଗ । କିଡନୀରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ମାନେ ମୁଖ୍ୟ ପାଣି ସମସ୍ୟା ବୋଲି ଅଭିଯୋଗ କରିଥିଲେ ମଧ୍ୟ ପାଣିର ନମୁନା ପରୀକ୍ଷା କରି ସ୍ୱାସ୍ଥ୍ୟ ବିଭାଗ କିଛି ଠୋସ ପ୍ରମାଣ ପାଇପାରି ନାହିଁ । ଅତ୍ୟଧିକ ମଦ୍ୟପାନ ଓ ନିଶାଦ୍ରବ୍ୟ, ଅତ୍ୟଧିକ ରକ୍ତଚାପ ଓ ଡାଇବେଟିସ, ପ୍ଲାଷ୍ଟିକ ବୋତଲର ବ୍ୟବହାରରୁ କିଡନୀ ସମସ୍ୟା ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । କିଡନୀ ରୋଗରୁ ମୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ କୌଣସି ସଚେତନ କରିବା ଦିଗରେ ଆଖି ଦୃଶିଆ କିଛି ବି ପଦକ୍ଷେପ ଗ୍ରହଣ କରୁନି ।

ତେଣୁ ବାଧ୍ୟ ହୋଇ ଗାଁର ଅନେକ ଲୋକ ପାଣି ପାଇଁ ବହୁ ଦୂରକୁ ଯାଇଥାନ୍ତି । ଗାଁ ବିସ୍ଥାପିତ ପାଇଁ ନାଲକୋ ବିରୋଧରେ ଗ୍ରାମବାସୀ ମାନେ ନ୍ୟାୟାଳୟର ଆଶ୍ରୟ ନେଇଥିବା ବେଳେ ଏବେ ସୁପ୍ରିମକୋର୍ଟଙ୍କ ପାଖରେ ମାମଲା ବିଚାରାଧୀନ ଅଛି ।