close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳାନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି ।  କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇଥିବାରୁ ମାସ ତମାମ ପୂଜାର୍ଚ୍ଚନା କରୁଛନ୍ତି  ଲୋକେ । 

ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼
ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ

ସୁଚିତ୍ରା ସେଣ୍ଡ, ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ରହିଛି । ସବୁ ପର୍ବର ମଧ୍ୟ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳାନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି ।  କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇଥିବାରୁ ମାସ ତମାମ ପୂଜାର୍ଚ୍ଚନା କରୁଛନ୍ତି  ଲୋକେ । ବିଶେଷ କରି ଏହି ମାସରେ ଆମିଷ ବର୍ଜନ କରି ଲୋକମାନେ ପୂଜା କରିଥାନ୍ତି । ସେହିପରି ହବିଷ୍ୟାଳିମାନେ ହବିଷ୍ୟ କରିଥାନ୍ତି ।

ବର୍ଷସାରା ମା’ ଶ୍ରୀରାଧା ଦେବୀଙ୍କ ପାଦ  ଲୁଗାରେ ଘୋଡ଼ାଇ ହୋଇ ରହିଥିଲାବେଳେ କାର୍ତ୍ତିକ ମାସ ଅଁଳା ନବମୀ ତିଥିରେ ମା’ଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ ।  ଆଜିର ଦିନରେ ଶ୍ରୀରାଧା ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତ ହୋଇ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ମା’ ଙ୍କ ଦର୍ଶନରେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀରେ ଅଁଳା ଗଛର ପୂଜା କରାଯାଏ । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି ।

ଅଁଳା ନବମୀରେ ପୁରୀ ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି ।  ହଜାର ହଜାର ଭକ୍ତ  ବ୍ୟାରିକେଡରେ ଯାଇ ଶୃଙ୍ଖଳିତ ଭାବେ ସାକ୍ଷୀଗୋପାଳଙ୍କ ଦର୍ଶନ କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଗତବର୍ଷ ଠାରୁ ଭକ୍ତ କେବଳ ରାଧାପାଦ ଦର୍ଶନ କରୁଛନ୍ତି । ମାତ୍ର ପୂର୍ବବର୍ଷ ଗୁଡିକରେ ଯେଭଳି ପାଦସ୍ପର୍ଶ କରୁଥିଲେ ସେଥିରୁ ବଞ୍ଚିତ ହୋଇଛନ୍ତି ।

ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେଉଛି  ସାକ୍ଷୀଗୋପାଳ ଗୋପିନାଥ ଜିଉ ମନ୍ଦିର । ମନ୍ଦିରରେ  ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି । ହାତରେ ନଡ଼ିଆ, ତୁଳସୀ, କ୍ଷୀର, କଦଳୀ ଦୀପ , ଧୂପ ସହ ଅଁଳା ଧରି ସାକ୍ଷୀଗୋପାଳଙ୍କ ମନ୍ଦିରକୁ ପ୍ରବେଶ କରୁଥାନ୍ତି ।  ଆଉ ଏଠାରେ ସୃଷ୍ଟି ହୋଇଛି ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ । ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ କେବଳ ହବିଷ୍ୟାଳି  କାହିଁକି ସାଧାରଣ ଭକ୍ତଙ୍କୁ ବି ସାକ୍ଷୀଗୋପାଳ ନଟବର ବେଶରେ ଦର୍ଶନ ଦେଇଥାନ୍ତି । ଅନ୍ୟପଟେ ମାଆ ଶ୍ରୀରାଧା ଓଡ଼ିଆଣୀ ବେଶରେ ଦର୍ଶନ ଦେଇଛନ୍ତି । 

ଶ୍ରୀରାଧା କେବଳ ବର୍ଷର ଏହି ଗୋଟିଏ ଦିନ ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭକ୍ତମାନେ ଶ୍ରୀପୟର ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି  । ସେପଟେ ଅଁଳାଗଛରେ ବ୍ରତବାନ୍ଧି ନିଜ ସ୍ୱାମୀ ଓ ପରିବାରର ସୁଖଶାନ୍ତି କାମନା କରୁଛନ୍ତି ମହିଳା  । ତେବେ ଗତବର୍ଷ ଠାରୁ ଶ୍ରୀରାଧାଙ୍କର ପାଦଦର୍ଶନ ବ୍ୟତୀତ ସ୍ପର୍ଶ କରିବାରୁ ବଞ୍ଚିତ ହୋଇଛନ୍ତି ।

ପବିତ୍ର ଅଁଳାନବମୀ ତିଥିରେ ଭୋରରୁ ଦ୍ୱାରଫିଟା ନୀତି ସମ୍ପନ୍ନ ହେବାପରେ ଅବକାଶ ନୀତି ହୋଇଥିଲା । ଏହାପରେ ମହାପ୍ରଭୁ ସାକ୍ଷୀଗୋପାଳ ନଟବର ବେଶରେ ଓ ଶ୍ରୀରାଧା ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥଥିଲେ । ନିର୍ଦ୍ଧାରିତ ସମୟ ଅନୁସାରେ ଭୋର ପାଞ୍ଚଟାରୁ ଛଅଟା ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଦର୍ଶନ କରିଥିଲେ । ଛଅଟାରୁ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ। ଚନ୍ଦନ ପୁଷ୍କରିଣୀ ଠାରୁ ବ୍ୟାରିକେଡ ମାଧ୍ୟମରେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ । ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।   ତେବେ ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି  । ସୁରକ୍ଷା ବ୍ୟବସ୍ଥା ପାଇଁ  ବହୁ ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି ।  ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ପ୍ରମୁଖ ଏହା ଉପରେ କଡା ନଜର ରଖିଛନ୍ତି ।