କଂଗ୍ରେସକୁ ଝଟକା: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଉଜଣେ ବିଧାୟକଙ୍କ ଇସ୍ତଫା
Advertisement

କଂଗ୍ରେସକୁ ଝଟକା: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଉଜଣେ ବିଧାୟକଙ୍କ ଇସ୍ତଫା

ଆଜି ଆଉ ଜଣେ କଂଗ୍ରେସ ବିଧାୟକ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି | 

 କଂଗ୍ରେସକୁ ଝଟକା: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଉଜଣେ ବିଧାୟକଙ୍କ ଇସ୍ତଫା

ଗାନ୍ଧୀନଗର: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ମିଳିବା ଜାରି ରହିଛି | ଗୁଜୁରାଟର ମୋରବି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ବିଧାୟକ ବୃଜେଶ ମେରଜା ନିଜ ପଦରୁ ଇସ୍ତଫା ଦେଇଛନ୍ତି | ଏ ସମ୍ପର୍କରେ ଜଣାଇଛନ୍ତି ରାଜ୍ୟ ବିଧାନସଭା ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିବେଦୀ | ଗତକାଲି ଦଳର ୨ ବିଧାୟକ ଇସ୍ତଫା ଦେଇଥିଲେ | ଗତ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ମୋଟ ୮ ବିଧାୟକ ଇସ୍ତଫା ପ୍ରଦାନ କରି ସାରିଛନ୍ତି |  

ଚଳିତ ମାସ ୧୯ ତାରିଖରେ ଗୁଜୁରାଟର ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି | ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ପକ୍ଷରୁ ୩ ଏବଂ ବିରୋଧି କଂଗ୍ରେସ ପକ୍ଷରୁ ୨ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି | ଅଭୟ ଭରଦ୍ୱାଜ, ରାମିଲା ବାରା, ନରହରି ଅମିନ ବିଜେପି ଏବଂ ଶକ୍ତିସିଂହ ଗୋହିଲ ଏବଂ  ଭରତ ସିଂହ ସୋଲାଙ୍କି କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି | ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ  ଶାସକ ବିଜେପିର ୧୦୩ ବିଧାୟକ ଥିବା ବେଳେ, କଂଗ୍ରେସର ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇ ୬୫ରେ ପହଞ୍ଚିଛି |

ଅନ୍ୟପଟେ ୧୦ ଆସନ ଖାଲିପଡିଛି | କଂଗ୍ରେସର ୮ ବିଧାୟକ ଇସ୍ତଫା ରାଜ୍ୟସଭା ଗଣିତ  ବଦଳିଯାଇଛି | ବର୍ତ୍ତମାନ ସ୍ଥିତିରେ କଂଗ୍ରେସର ଯେତିକି ବିଧାୟକ ଅଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ | ଅର୍ଥାତ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଭରତ ସିଂହ ସୋଲାଙ୍କି ଏବଂ ଅଖିଳ ଭାରତୀୟ କଂଗ୍ରେସ କିମିଟି(ଏଆଇସିସି) ମୁଖପାତ୍ର ଶକ୍ତି ସିଂହ ଗୋହିଲଙ୍କ ମଧ୍ୟରୁ ଜଣଙ୍କ ବିଜୟ ସୁନିଶ୍ଚିତ | ଅନ୍ୟପଟେ ବିଜେପିର ୩ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣଙ୍କ ବିଜୟ ସୁନିଶ୍ଚିତ | କଂଗ୍ରେସର ୮ ବିଧାୟକଙ୍କ ଇସ୍ତଫା ପରେ ବିଜେପିର ତୃତୀୟ ପ୍ରାର୍ଥୀଙ୍କ ପଲ୍ଲା ଭାରି ରହିଛି |