)
ନୂଆଦିଲ୍ଲୀ: ୧୯୮୪ ମସିହା, ଦିଲ୍ଲୀ ଶିଖ ବିରୋଧି ଦଙ୍ଗାରେ ଜଡିତ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ କୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି | ଏ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଛି | ବୁଧବାର ତାଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି | ଆସନ୍ତା ଜୁଲାଇରେ ଏହା ଉପରେ ଶୁଣାଣି କରାଯିବ |
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ନେତୃତ୍ୱ ଗଠିତ ତିନି ଜଣିଆ ଖଣ୍ଡପୀଠ ଏ ମାମଲାର ଶୁଣାଣି କରିଥିଲେ | ତତକ୍ଷଣାତ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରି ଦେଇଥିଲେ କୋର୍ଟ | ବର୍ତ୍ତମାନ ତାଙ୍କର ଜାମିନ ଆବେଦନ ଉପରେ ବିଚାର କରାଯାଇ ପାରିବ ନାହିଁ ଜଣାଇ ଦେଇଥିଲେ କୋର୍ଟ |
ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ସଜ୍ଜନ କୁମାର | ଏହା ପୂର୍ବରୁ ତାଙ୍କର ମେଡିକାଲ ଟେଷ୍ଟ କରିବାକୁ ଏମ୍ସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ | ସ୍ୱାସ୍ଥ ପରୀକ୍ଷା ରିପୋର୍ଟ ଆସିବା ପରେ ବର୍ତ୍ତମାନ ତାଙ୍କର କୌଣସି ଚିକିତ୍ସାର ଆବଶ୍ୟକତା ନଥିବା ଦର୍ଶାଇଥିଲେ ମୁଖ୍ୟ ବିଚାରପତି |
ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରିଥିଲେ କଂଗ୍ରେସ ନେତା ସଜ୍ଜନ କୁମାର | ଗତ ୨୦୧୮ ଡିସେମ୍ବରରୁ ଜେଲରେ ଅଛନ୍ତି ସେ | ତାଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ ବିକାଶ ସିଂହ ତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ | ତାଙ୍କର ମହକିଲଙ୍କ ଜାମିନ ଆବେଦନ କୋର୍ଟରେ ପଡି ରହିଥିବା ନେଇ ଜଣାଇଥିଲେ |
୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ଶିଖ ବିରୋଧି ଦଙ୍ଗା ସଂଘଟିତ ହୋଇଥିଲା | ସେହିବର୍ଷ ଅକ୍ଟୋବର ୩୧ ତାରିଖରେ ରାଜ ନଗର ଅଞ୍ଚଳରେ ଗୋଟିଏ ପରିବାର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା | ଏ ମାମଲାରେ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୧୭, ୨୦୧୮ରେ ଦୋଷୀ ସାବ୍ୟସ୍ତ କରିଥିଲେ |