Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ବଢିବାରେ ଲାଗିଛି। ତମାମ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ହଜାର ଟପିଗଲାଣି। ସେହି ଅନୁସାରେ ମୃତକଙ୍କ ସଂଖ୍ୟା ମଧ୍ୟ ତାଳ ଦେଇ ବୃଦ୍ଧି ପାଇବାରେ ଲାଗିଛି। ତେବେ ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି ଯେ, ନିଜାମୁଦ୍ଦିନର ମରକଜ କାରଣରୁ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମାତ୍ର ସରକାରଙ୍କ ପ୍ରଚେଷ୍ଟା ଓ ସଚେତନତା ତଥା ସତର୍କତା କାରଣରୁ ଏହା ଉପରେ ନିୟନ୍ତ୍ରଣ ଅଣାଯାଇ ପାରିଛି। କେଜରିଓ୍ୱାଲ ଆହୁରି ମଧ୍ୟ କହିଥିଲେ କି, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୩୮୪ଟି ମାମଲା ପଜିଟିଭି ଆସିଥିବା ଜଣାପଡ଼ିଛି। ଏହା ମଧ୍ୟରୁ ୨୫୯ ଜଣ ହେଉଛନ୍ତି ତବଲିଗି ଜମାତର ବୋଲି ସେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି, ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଦେଶରେ କୋରୋନା ଭାଇରସ ତୃତୀୟ ଷ୍ଟେଜ ଅର୍ଥାତ କମ୍ୟୁନିଟି ଷ୍ଟେଜରେ ପହଞ୍ଚି ନାହିଁ। ଏହି ମାମଲାରେ ଅଧିକାଂଶ ଲୋକ ବିଦେଶୀ ରହିଛନ୍ତି। ଏହି ଭାଇରସକୁ ବ୍ୟାପକ ଭାବେ ପ୍ରସାରିତ ହେବା ପୂର୍ବରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ତେବେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଜଣକର ମୃତ୍ୟୁ ହୋଇଛି। ଉକ୍ତ ମୃତକ ଜଣକ ମରକଜରେ ସାମିଲ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।