ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ତାତି

ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ସହ ବିଜେପି ମଧ୍ୟ ଧାନ କିଣା ପ୍ରସଙ୍ଗରେ ସ୍ୱର ମିଳାଇ ଗୃହର ମଧ୍ୟ ଭାଗରେ ଉଭୟ ବିରୋଧି ଦଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଚାଲିନପାରିନଥିଲା । 

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ତାତି

ଯଯାତି ମହାନ୍ତି, ଭୁବନେଶ୍ୱର: ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ବିଧାନସଭାରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ଏହି ପ୍ରସଙ୍ଗ କଂଗ୍ରେସ ବିଧାୟକମାନେ ଉଠାଇଥିଲେ । ଧାନକିଣା ପ୍ରସଙ୍ଗ ସହ ନାରୀ ନିର୍ଯ୍ୟାତନା ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାକୁ ଗୃହ ଘଣ୍ଟାଏ ମୁଲତବୀ କରିଥିଲେ ବାଚସ୍ପତି ।
ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ସହ ବିଜେପି ମଧ୍ୟ ଧାନ କିଣା ପ୍ରସଙ୍ଗରେ ସ୍ୱର ମିଳାଇ ଗୃହର ମଧ୍ୟ ଭାଗରେ ଉଭୟ ବିରୋଧି ଦଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଚାଲିନପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକିଥିଲେ ବି ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ୩ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।

ତିନୋଟି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଆଜି ବିଧାନସଭାରେ ସରକାରଙ୍କ ଖମଖିଆଲ ମନୋବୃତିକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ଆଜି ପୂର୍ବାହ୍ନ ଅଧିବେଶନ ଚାଲିପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ଆଲୋଚନା ବିଫଳ ହୋଇଛି । 

ଦୁଇଦିନ ଧରି କଂଗ୍ରେସ ଚାଷୀ ଆନ୍ଦୋଳନ ଓ ବଲାଙ୍ଗୀର ବନ୍ଦକୁ ନେଇ ବିଧାନସଭାରେ ସତର୍କ କରାଯାଇଥିଲା । ବଲାଙ୍ଗୀର ବାଇପାସ ପାଇଁ ୨୦୦୧ରୁ ଶୁଭ ଦିଆଯାଇଥିଲା । ଏଯାଏଁ କାମ ଆରମ୍ଭ ହୋଇନି । ଲୋୟର ସୁକତେଲ ୨୦ ବର୍ଷ ହେଲା ଆରମ୍ଭ ହେଲାଣି, ସରୁନି । ସେହିଭଳି ଟୋକନ ବ୍ୟବସ୍ଥା ଏବଂ ଧାନ ସଂଗ୍ରହ ପାଇଁ ସୀମା ନିର୍ଦ୍ଧାରଣକୁ ଉଚ୍ଛେଦ କରିବାକୁ କଂଗ୍ରେସ ଦାବି କରିଛି । ମିଲ ମାଲିକମାନେ ଏହାଦ୍ୱାରା ଲାଭବାନ ହେବେ । ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ସରକାରୀ ଦଳ ସମାଧାନ ନୁହଁ, ବିରୋଧୀଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି । ତେଣୁ ଆଲୋଚନା ବିଫଳ ହେଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । 

ବଜେପି କହିଛି, ଚାଷୀ ସମସ୍ୟା ଗୁରୁତର ସମସ୍ୟା। ସେମାନେ ରାଜରାସ୍ତାରେ ବସିଥିବା ବେଳେ ଚାଷୀଙ୍କ କଥା ଆଗେ ବୁଝିବା ଦରକାର ବୋଲି ବିଜେପି କହିଛି । ସେହିପରି ଧାନ କିଣା ପ୍ରସଙ୍ଗରେ ସ୍ୱତନ୍ତ୍ର ଭାବେ ମୁଲତବୀ ପ୍ରସ୍ତାବ ଜରିଆରେ ଗୃହରେ ଆଲୋଚନା ହେବା ପରେ ଏହାକୁ ଧରି ଗୃହ ଚଲାଇନଦେବା ଠିକ୍ ନୁହେଁ ବୋଲି ଶାସକ ବିଜେଡ଼ି କହିଛି । କଂଗ୍ରେସ ଗତକାଲି ଗୃହ ଚଳାଇବା ନେଇ ନୀତି ନିୟମ ବିଷୟରେ କହୁଥିବା ବେଳେ ଆଜି ଏପରି ହୋହଲ୍ଲା କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ବିଜେଡ଼ି କହିଛି । ଧାନ କିଣା ପ୍ରସଙ୍ଗକୁ ଆୟୁଧ କରିଛନ୍ତି ବିରୋଧି ବିଜେପି ଓ କଂଗ୍ରେସ । ଗୃହରେ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସବୁ ବାତିଲ ହୋଇଛି ।