ସରଗରମ 'ମହା'ନାଟକ

ମହାରାଷ୍ଟ୍ର ରାଜନୀତି ଏବେ  ରୋମାଞ୍ଚକ  ସ୍ଥିତିରେ ପହଞ୍ଚିଛି । ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମହାନାଟକର ଶୁଣାଣି ହେବ । ଏଭଳି ସ୍ଥଳେ ଗତକାଲି କଂଗ୍ରେସ-ଏନସିପି-ଶିବସେନା ଶକ୍ତିପ୍ରଦର୍ଶନ କରିଛନ୍ତି । ୩ ଦଳର ବିଧାୟକମାନେ ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତରେ ମହାମେଳି କରିଥିଲେ । 

ସରଗରମ 'ମହା'ନାଟକ
ଫଟୋ ସୌଜନ୍ୟ: ଏଏନଆଇ

ଦେବେଶ କୁମାର ନାହକ,ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଏବେ  ରୋମାଞ୍ଚକ  ସ୍ଥିତିରେ ପହଞ୍ଚିଛି । ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମହାନାଟକର ଶୁଣାଣି ହେବ । ଏଭଳି ସ୍ଥଳେ ଗତକାଲି କଂଗ୍ରେସ-ଏନସିପି-ଶିବସେନା ଶକ୍ତିପ୍ରଦର୍ଶନ କରିଛନ୍ତି । ୩ ଦଳର ବିଧାୟକମାନେ ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତରେ ମହାମେଳି କରିଥିଲେ । 

ଏନ୍‌ସିପିରୁ କେବଳ ଅଜିତ ପାୱାର ଏହି ମହାମେଳିକୁ ଆସି ନଥିଲେ . ଶନିବାର ସେ ବିଜେପି ସହ ମିଶି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ୩ ଦଳ ବ୍ୟତୀତ କିଛି ସ୍ୱାଧୀନ ବିଧାୟକ ମଧ୍ୟ ମହାମେଳିରେ ସାମିଲ ହୋଇଥିଲେ। ମୋଟ ୧୬୨ ଜଣ ବିଧାୟକଙ୍କ ସମର୍ଥନରେ କଂଗ୍ରେସ, ଏନ୍‌ସିପି ଓ ଶିବସେନା ସରକାର ଗଠନ କରିବେ ବୋଲି ଜୋର ଦେଇଛନ୍ତି । ବୈଠକରେ ସମସ୍ତ ବିଧାୟକ ଏକାଠି ରହିବା ସହ ବିଦ୍ରୋହ କରିବେ ନାହିଁ ବୋଲି ଶପଥ ନେଇଛନ୍ତି। ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ଏବେ ଶିବସେନା-କଂଗ୍ରେସ ଓ ଏନସିପି ପାଖରେ ୧୬୨ ବିଧାୟକଙ୍କ ସମର୍ଥନ ଥିବାରୁ ଏହି ୩ଦଳ ବେଶ ଆରାମରେ ସରକାର ଗଠନ କରିପାରିବେ ।

ଗ୍ରାଣ୍ଡ ହାୟାତର ମହାମେଳି ପରେ ସେଠାରେ ସମସ୍ତ ବିଧାୟକ ଏକାଠି ହୋଇ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । କଂଗ୍ରେସ-ଏନସିପି-ଶିବସେନା ମେଣ୍ଟକୁ ସମସ୍ତେ ସ୍ୱାଗତ କରିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, କର୍ଣ୍ଣାଟକ ରାଜ୍ୟପାଳ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ। ଏବେ ମହାରାଷ୍ଟ୍ରରେ ସମାନ ଘଟଣା ଘଟିଥିବା ବେଳେ ସଂସଦୀୟ ବିଧିବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ଏଠାରେ ୧୬୨ ଜଣ ବିଧାୟକ ରହି ସମସ୍ତେ ଆମକୁ ସମର୍ଥନ କରୁଛନ୍ତି। ସୁପ୍ରିମକୋର୍ଟ ଯେବେ ଫ୍ଲୋରଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବେ, ଆମେ ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ବୋଲି କହିଥିଲେ ପାୱାର ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ସରକାର ଗଠନ କରିବୁ । ଆଗକୁ ଆହୁରି ବିଧାୟକ ଆମ ସହ ଯୋଡ଼ି ହେବେ। ସମସ୍ତ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ସମର୍ଥନ ପତ୍ର ଆମେ ରାଜ୍ୟପାଳଙ୍କୁ ଦେଇଛୁ। ଏହି ମହାମେଳିରେ ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ରହିଥିଲେ ।

ଆହୁରି ପଢନ୍ତୁ; ଅଜିତ ପାୱାର ପୁରସ୍କୃତ !