ଶେଷ ହେଲା ୪୦ ଦିନର ଶୁଣାଣି, ଜାଣନ୍ତୁ ଅଯୋଧ୍ୟା ମାମଲାର ଅଜଣା କାହାଣୀ...
Advertisement
Article Detail0/zeeodisha/odisha585662

ଶେଷ ହେଲା ୪୦ ଦିନର ଶୁଣାଣି, ଜାଣନ୍ତୁ ଅଯୋଧ୍ୟା ମାମଲାର ଅଜଣା କାହାଣୀ...

ଶେଷ ହେଲା ଅଯୋଧ୍ୟା ମାମଲାର ଶୁଣାଣି । ଶୁଣାଣି ଶେଷ ହେବା ପରେ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ 

ଜାଣନ୍ତୁ ଅଯୋଧ୍ୟା ମାମଲାର ଅଜଣା କାହାଣୀ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଶେଷ ହେଲା ଅଯୋଧ୍ୟା ମାମଲାର ଶୁଣାଣି । ଶୁଣାଣି ଶେଷ ହେବା ପରେ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ । ଦୀର୍ଘ ୪୦ଦିନ ଧରି ଚାଲିଥିଲା ମାମଲାର ଶୁଣାଣି । ଏହି ଶୁଣାଣି ଇତିହାସର ଦ୍ୱିତୀୟ ଲମ୍ୱା ମୌଖିକ ଶୁଣାଣି । ପୂର୍ବରୁ ୧୯୭୨ମିସିହାର କେଶବାନନ୍ଦ ଭାରତୀ ମାମଲା ୬୮ ଦିନ ଧରି ଶୁଣାଣି ଚାଲିଥିଲା ।

ଆସନ୍ତା ନଭେମ୍ୱର ୧୭ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗଇ ଅବସର ନେବେ। ଅବସର ପୂର୍ବରୁ ମାମଲର ରାୟ ପ୍ରକାଶ କରିବା ପାଇଁ ଅଗଷ୍ଟ ୬ ତାରିଖରୁ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର ଶୁଣାଣି ପ୍ରତ୍ୟେକ ଦିନ ଚାଲୁଥିଲା । ଆଜି ଶୁଣାଣିର ଥିଲା ଶେଷ ଦିନ । ଶୁଣାଣିର ଶେଷ ଦିନରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷର ଯୁକ୍ତି ଶୁଣିଛନ୍ତି କୋର୍ଟ । 

ସୁପ୍ରିମକୋର୍ଟରେ ଶେଷ ଦିନର ଶୁଣାଣି ଚାଲିଥିବା ବେଳେ ହିନ୍ଦୁ ମହାସଭାର ବହି ଓ ନକ୍ସାର ଉଦାହରଣକୁ ମୁସଲିମ୍ ପକ୍ଷକାର ଓକିଲ ରାଜୀବ ଧୱନ ବିରୋଧ କରିଥିଲେ । ହିନ୍ଦୁ ପକ୍ଷର ଓକିଲ ସିଏସ୍ ବୈଦ୍ୟନାଥ ବହି ମାଧ୍ୟରେ ଉହାହରଣ ଦେବାବେଳେ ରାଜୀବ ଧୱନ ନିଜ ପାଖରେ ଥିବା ନକ୍ସା କପିକୁ ଚିରିଦେଇଥିଲେ । ଆଇନଜୀବୀଙ୍କ ଏପରି ଯୁକ୍ତି ଉପସ୍ଥାପନରେ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । ଏହିପରି ତମାମ ଗରମ ମାହୋଲ ମଧ୍ୟରେ ଶୁଣାଣି ଶେଷ ହୋଇଛି । ଏବେ ଅପେକ୍ଷା ଚୂଡ଼ାନ୍ତ ରାୟ ପ୍ରକାଶକୁ । ଆସନ୍ତା ନଭେମ୍ୱର ମାସରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ବିଚାରପତି ଗୋଗଇ । 

ରାୟ ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ଅଯୋଧ୍ୟାରେ ବ୍ୟାପକ ସତର୍କତା ଅବଲମ୍ୱନ କରାଯାଇଛି । ଅଯୋଧ୍ୟାରେ ୧୪୪ ଧାରା ଏବେଠାରୁ ଲାଗୁ କରିଦିଆଯାଇଛି । ଆଉ ଏହି ଧାରା ଡିସେମ୍ୱର ମାସ ୧୦ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି । ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଓ ପରେ ଅଯୋଧ୍ୟାକୁ କଡ଼ା ସୁରକ୍ଷା ବଳୟ ଭିତର ରଖାଯିବା ନେଇ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । 

ହିନ୍ଦୁ ଭଗବାନ ରାମ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ଥିଲେ । ଭଗବାନ ରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଭୂମିରେ ରାମମନ୍ଦିର ନିର୍ମାଣ କରିବା ପାଇଁ ହିନ୍ଦୁ ସମ୍ପ୍ରଦାୟଙ୍କ ଦାବୀ ଅନେକ ଦିନ ହେବ ରହିଆସିଛି । ମାତ୍ର ମୁଗୋଲ ସମ୍ପ୍ରଦାୟର ପ୍ରଥମ ରାଜା ବାବର ନିଜର ଶାସନ କାଳରେ ୧୫୨୮ ମସିହାରେ ରାମ ଜନ୍ମଭୂମିରେ ଅନୈତିକ ଭାବେ ବାବ୍ରି ମସଜିଦ୍ ନିର୍ମାଣ କରିଥିଲେ । ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟଙ୍କ ମନରେ ଖୋଭ ଥିଲା । ବାରମ୍ୱାର ରାମଜନ୍ମ ଭୂମିରେ ରାମମନ୍ଦିର ନିର୍ମାଣ ନେଇ ଦାବି କରିଆସୁଥିଲେ ହେଁ ପ୍ରଥମଥର ପାଇଁ ୧୮୫୦ ମସିହାରେ ବିବାଦ ଦେଖାଯାଇଥିଲା । ଦାବି ୧୯୯୨ ମସିହାରେ ବିରାଟ ଦଙ୍ଗାରେ ପରିଣତ ହୋଇଥିଲା ।

୧୯୯୦ ମସିହାରେ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ ରାମଜନ୍ମ ଭୂମି ପାଇବା ପାଇଁ ରଥ ମାଧ୍ୟମରେ ସାରା ହିନ୍ଦୁଙ୍କ ମନରେ ସଚେତନତା ଆଣିଥିଲେ । ଏହି ସଚେତନତା ଅଭିଯାନରେ ମୁଖ୍ୟ କଥା ଥିଲା ଯଦି ମୁସଲିମମାନେ ମେକ୍କାରେ ମୁସଲିମ ପରିବେଶ ସୃଷ୍ଟି କରିପାରିବେ ଏବଂ ଖ୍ରୀଷ୍ଟିୟାନମାନେ ଭାଟିକାନରେ ଇସାଇ ପରିବେଶ ବା ମାହୋଲ ସୃଷ୍ଟି କରିପାରିବେ ତାହେଲେ ହିନ୍ଦୁଙ୍କର ଅଯୋଧ୍ୟାରେ ହିନ୍ଦୁ ମାହୋଲ ସୃଷ୍ଟି କରିବା ହକ୍ କାହିଁକି ନାହିଁ ବୋଲି ନାରା ଦେଇଥିଲେ ।

ତଦପରେ ୧୯୯୨ ମସିହା ଡିସେମ୍ୱର ୧୬ ତାରିଖରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଜୋର ଜବରଦସ୍ତ ବାବ୍ରି ମସଜିଦକୁ ମାଟିରେ ମିଶାଇ ଦେଇଥିଲେ । ଆଉ ସେବେଠୁ ସେହି ସ୍ଥାନରେ ରାମ ଜନ୍ମଭୂମି ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ହିନ୍ଦୁପକ୍ଷ ଏବଂ ଏହା ମଧ୍ୟ କହିଛନ୍ତି ଏବେ ସମୟ ଆସିଛି ଇତିହାସରେ ହୋଇଥିବା ଭୁଲକୁ ସୁଧାରିବାର ।