ଆସନ୍ତାକାଲି ଦେବ ଦୀପାବଳି ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି

ମନକେମେଶ୍ୱରରେ ପ୍ରଜ୍ୱଳିତ ହେବ ୩ ଲକ୍ଷ ଦୀପ

ଆସନ୍ତାକାଲି ଦେବ ଦୀପାବଳି ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ରଞ୍ଜନ ପରିଡ଼ା, ଭୁବନେଶ୍ୱର: କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଅଯୋଧ୍ୟାରେ ହେବ ଦେବ ଦୀପାବଳି ପାଳନ । ଦୀପାବଳିର ୧୫ ଦିନ ପରେ ଦେବ ଦୀପାବଳି ପାଳନ ହୋଇଥାଏ । ଆସନ୍ତାକାଲି ଦେବ ଦୀପାବଳିରେ ମନକେମେଶ୍ୱରରେ ୩ ଲକ୍ଷ ଦୀପ ଓ କୁଡିଆ ଘାଟରେ ୫୧ ହଜାର ଦୀପ ଜଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେପଟେ ଅଯୋଧ୍ୟାରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସ୍ଥାନ ଉପରେ ସତର୍କ ନଜର ରଖାଯାଇଛି । ଅଯୋଧ୍ୟାରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିନେବା ସହ ସାରା ବିଶ୍ୱକୁ ଦେଇଛନ୍ତି ଶାନ୍ତିର ସନ୍ଦେଶ । ଅଯୋଧ୍ୟା ରାୟ ପ୍ରକାଶକୁ ନେଇ କୌଣସି ମତଭେଦ ହୋଇନାହଁ କିମ୍ବା କୌଣସି ପକ୍ଷ ରାୟକୁ ବିରୋଧ କରିନାହାଁନ୍ତି । ଆଜି ବି ଅଯୋଧ୍ୟାରେ ସ୍ୱାଭାବିକ ଭାବରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି । କିନ୍ତୁ ଅପ୍ରିତିକର ସ୍ଥିତି ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଉ ଦିଆଯାଇଛି । ଶନିବାର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଅଯୋଧ୍ୟା ସମେତ କିଛି ସମ୍ବେଦନଶୀଳ ସ୍ଥାନରେ ପ୍ରଶାସନ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ଏହା ସହିତ ବିଭିନ୍ନ ସ୍ଥାନରେ ବ୍ୟାରିକେଟ ଲଗାଯାଇଥିଲା । ଅଯୋଧ୍ୟାରେ ପୂର୍ବ ପରି ପୂଜାପାଠ ଓ ମନ୍ତ୍ରୋଉଚ୍ଚାରଣ ସ୍ୱାଭାବିକ ରହିଛି । କିନ୍ତୁ ଆଜିର ଅଯୋଧ୍ୟା ପୁରୁଣା ଅଯୋଧ୍ୟାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।  ସରଜୁ ନଦୀରେ ଏବେ ବହୁଛି ବିଶ୍ୱାସର ଧାର । ଅଯୋଧ୍ୟାର ସମସ୍ତ ସ୍ଥାନରେ ଦେଖିବାକୁ ମିଳୁଛି ଭାଇଚାରାର ନିଦର୍ଶନ । ମନ୍ଦିରରେ ବାଜୁଥିବା ଘଣ୍ଟି ଘୋଷଣା କରୁଛି ଏକତାର ବିଜୟମନ୍ତ୍ର । ଅଯୋଧ୍ୟା ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ପୂର୍ବରୁ ଶ୍ରୀରାମ ନଗରୀ ଭାବରେ ପରିଚିତ ଥିବା ଅଯୋଧ୍ୟା ଏବେ ସାରା ବିଶ୍ୱ ପାଇଁ ସୌହାର୍ଦ୍ଦ୍ୟର ରାଜଧାନୀ ହୋଇଛି ।

 ୭୦ ବର୍ଷ ଧରି ଯେଉଁ ନିଷ୍ପତ୍ତିକୁ ଅଯୋଧ୍ୟା ଅପେକ୍ଷା କରିଥିଲା । ତାହା ଆସି ସାରିଛି । ୭୦ ବର୍ଷ ଧରି ଲାଗି ରହିଥିବା ଆଇନର ଲଢେଇକୁ ଦୀର୍ଘ ୪୦ ଦିନ ଧରି ସୁପ୍ରିମକୋର୍ଟ ଦୈନିକ ଶୁଣାଣି ପରେ ରାୟ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲଦ ବିବାଦୀୟ ଜମିରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହା ସହିତ ମୁସଲିମ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଦେବା ପାଇଁ ନିର୍ଦ୍ଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟା ରାୟକୁ ସମସ୍ତ ପକ୍ଷ ସ୍ୱୀକାର କରି ଆଇନ ଉପରେ ବିଶ୍ୱାସ କରିଛନ୍ତି । ସରଜୁ ତଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ହନୁମାନଗଡୀଠାରୁ ଆରମ୍ଭ କରି ସରଜୁ କୂଳ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ରାମ ନାମର ଧୁନ ଶୁଣିବାକୁ ମୁଳୁଛି । ଦୀର୍ଘ ଦଶନ୍ଦୀ ଧରି ଅଯୋଧ୍ୟାରେ ସାଧୁ ସନ୍ଥମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିଲେ । ଏବେ ରାମଲାଲାଙ୍କୁ ମନ୍ଦିର ମିଳିବା ଖୁସିକୁ ସେମାନେ ମୁକ୍ତ କଣ୍ଠରେ ପ୍ରକାଶ କରୁଛନ୍ତି । ଶ୍ରୀରାମ ନଗରୀରୁ ଯେଉଁ ଏକତା ଓ ସୋହାର୍ଦ୍ଦ୍ୟର ସନ୍ଦେଶ ପ୍ରକାଶ ପାଇଛି ତାହା ସାରା ବିଶ୍ୱରେ ପହଞ୍ଚି ସାରିଛି ।