ଅଯୋଧ୍ୟା ମାମଲାର ୟୁ ଟର୍ଣ୍ଣ

ଜମୀୟତ-ଉଲେମା-ଏ-ହିନ୍ଦ୍ ପକ୍ଷରୁ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ

ଅଯୋଧ୍ୟା ମାମଲାର ୟୁ ଟର୍ଣ୍ଣ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ପରିଡ଼ା, ଭୁବନେଶ୍ୱର: ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ । ସୋମବାର ରାୟ ବିରୋଧରେ ମୁସଲିମ ସଙ୍ଗଠନ ଜମୀୟତ ଉଲେମା ଏ ହିନ୍ଦ ପକ୍ଷରୁ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରାଯାଇଛି । ଜମୀୟତ ଉଲେମା ଏ ହିନ୍ଦର ଆବେଦନ ପରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ବୋର୍ଡ ମଧ୍ୟ ପୁନର୍ବିଚାର ଆବେଦନ କରିବ ବୋଲି ଜଣାପଡ଼ିଛି । ଦୁଇ ସଂଗଠନ ବ୍ୟତୀତ ଅନ୍ୟ କିଛି ମୁସଲିମ ସଂଗଠନ ପକ୍ଷରୁ ମଧ୍ୟ ପୁନର୍ବିଚାର ପିଟିସନ ଦାୟର ହେବା ଆଶଙ୍କା ରହିଛି । ପୂର୍ବରୁ ସୁନୀ ସେଣ୍ଟ୍ରୋଲ ୱାକଫ ବୋର୍ଡ ପୁନର୍ବିଚାର ଆବେଦନ ନକରିବାକୁ ସ୍ପଷ୍ଟ କରିଥିଲା । ଗତ ନଭେମ୍ବର ୯ରେ ସୁପ୍ରିମକୋର୍ଟ ମାମଲାର ଚୁଡ଼ାନ୍ତ ରାୟ ଶୁଣାଇଥିଲେ । ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦାୟିତ୍ୱ ଦେବା ସହ ଅଯୋଧ୍ୟାରେ ଅନ୍ୟ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆସନ୍ତା ଡିସେମ୍ବର ୯ ତାରିଖ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିବାର ଶେଷ ତାରିଖ ରହିଛି ।

ସେପଟେ AIMPLB ପକ୍ଷରୁ ଡିସେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଗତ ମଙ୍ଗଳବାର ସୁନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ ନକରିବା ପାଇଁ  ନିଷ୍ପତ୍ତି ନେଇଥିଲା । ମାମଲାରେ ତିନି ପକ୍ଷଙ୍କ ତଥ୍ୟ ଉପସ୍ଥାପନ ପରେ ସୁପ୍ରିମକୋର୍ଟ ଚୁଡ଼ାନ୍ତ ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦାୟିତ୍ୱ ଦେଇଥିଲେ । ରାୟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ AIMPLB ସୁପ୍ରିମକୋର୍ଟରେ ଡିସେମ୍ବର ୩ କିମ୍ବା ୪ରେ ପୂନର୍ବିଚାର ଆବେଦନ କରିବାକୁ ଘୋଷଣା କରିଛି । ଏହାସହିତ ଗତ ବୁଧବାର ମୁସଲିମ ପକ୍ଷର ଓକିଲ ରାଜୀବ ଧୱନ ଅଯୋଧ୍ୟା ରାୟକୁ ଅନ୍ୟାୟ କହି ନୂଆ ବିବାଦ ସୃଷ୍ଟି କରିଥିଲେ ।

ପୁନର୍ବିଚାର ଆବେଦନ ପାଇଁ AIMPLBର ଡ୍ରାପ୍ଟ ପ୍ରସ୍ତୁତି ଶେଷ ହୋଇଛି ସଦସ୍ୟ ଜଫରୟାବ ଜିଲାନୀ ସୂଚନା ଦେଇଛନ୍ତି ।  ଏହାସହିତ ସୁନୀ ୱାକଫ ବୋର୍ଡର ନିଷ୍ପତ୍ତିକୁ ତାଙ୍କର ନିଜସ୍ୱ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଆଇନ ଅନୁସାରେ ଆମେ ଆମର ଦାବି ଉପସ୍ଥାପନ କରିବାରେ କିଛି ସମସ୍ୟା ନାହିଁ ବୋଲି ବାବ୍ରୀ ସମଜିଦ ଆକ୍ସନ କମିଟି ସଦସ୍ୟ କାଶୀମ ରସୁଲ ଇଲିୟାସ କହିଛନ୍ତି । ଅଯୋଧ୍ୟା ରାୟକୁ ସୁନି ସେଣ୍ଟ୍ରାଲ ୱାକଫ ବୋର୍ଡ ଗ୍ରହଣ କରିନେଇଥିବାବେଳେ AIMPLB ପକ୍ଷରୁ ବିରୋଧ ଜାରି ରହିଛି । ଦୀର୍ଘ ୪୦ ଦିନର ଦୈନିକ ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ରାୟକୁ ଦେଶବାସୀ ଗ୍ରହଣ  କରିସାରିଛନ୍କି । ଅନେକ ମୁସଲିମ ସଂଗଠନ ମଧ୍ୟ ରାୟକୁ ସ୍ୱୀକାର କରିଛନ୍ତି ।  ବର୍ତ୍ତମାନ ସ୍ଥିତିରେ AIMPLBର ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ଆଶଙ୍କା ଅଧିକ ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫ ଏକର ଜମି ଗ୍ରହଣ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା । ରାୟ ବିରୋଧରେ ପୁନର୍ବିଚାର ଆବେଦନ କରାଯିବ ନାହିଁ ବୋଲି ବୋର୍ଡ ଅଧ୍ୟକ୍ଷ କହିଥିଲେ । ବୈଠକରେ ୭ରୁ ୬ ଜଣ ସଦସ୍ୟ  ପୁନର୍ବିଚାର ଆବେଦନକୁ ବିରୋଧ କରିଥିଲେ ।