ବାରବାଟୀର ୭ ନମ୍ୱର ଗ୍ୟାଲେରୀର ବିକ୍ରି ହେବ ନାହିଁ କୌଣସି ଟିକେଟ

ଆସନ୍ତା ଡିସେମ୍ୱର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମ୍ୟାଚ ।

ବାରବାଟୀର ୭ ନମ୍ୱର ଗ୍ୟାଲେରୀର ବିକ୍ରି ହେବ ନାହିଁ କୌଣସି ଟିକେଟ
ସୌଜନ୍ୟ: ସୋସିଆଲ ମିଡିଆ

ଜଗନ୍ନାଥ ପାତ୍ର, କଟକ: ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଜମିବ କ୍ରିକେଟର କ୍ରେଜ । କ୍ରିକେଟ ଫ୍ୟାନଙ୍କ ଭିଡରେ ଚୌକା ଛକାର ମଧ୍ୟ ମଜ୍ଜା ଉଠାଇବେ । ଷ୍ଟାଡିୟମ ପରିସରରେ ରହିଥିବା ୭ଟି ଗ୍ୟାଲେରୀରେ ଖେଳ ଦେଖିବାର ମଧ୍ୟ ନିଆରା ଅନୁଭୂତି ରହିଥାଏ । ମାତ୍ର ଚଳିତବର୍ଷ ୭ଟି ବଦଳରେ କେବଳ ୬ଟି ଗ୍ୟାଲେରୀରେ ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ୭ ନଂ ଗ୍ୟାଲେରୀ ପାଇଁ ଗୋଟିଏ ବି ଟିକେଟ ବିକ୍ରି କରାଯିବ ନାହିଁ । ପୂର୍ବରୁ ସଂମ୍ପୃକ୍ତ ଗ୍ୟାଲେରୀ ଅସୁରଖିତ ଥିବା ନେଇ ଦୃଷ୍ଟିକୁ ଆସିବା ପରେ ଓସିଏ କର୍ତ୍ତୂପକ୍ଷ ଏକ ଘରୋଇ କମ୍ପାନୀ ଦ୍ୱାରା ଯାଞ୍ଚ ଆରମ୍ଭ କରିଥିଲେ । ଏହି ଯାଞ୍ଚ ରିର୍ପୋଟ ଓସିଏ ସଂପାଦକଙ୍କ ହସ୍ତଗତ ହେବା ପରେ ଲୋକଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ୭ନଂ ଗ୍ୟାଲେରୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଗ୍ୟାଲେରୀ ବନ୍ଦ ହେବା ପରେ ପାଖାପାଖ ୫ହଜାର ୩ଶହ ଟିକେଟ ବିକ୍ରି ହେବ ନାହିଁ ବୋଲି ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ଦୀର୍ଘ ୨ ବର୍ଷରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚ । ଏଥିପାଇଁ ଖେଳାଳୀଙ୍କଠାରୁ ଆରମ୍ଭ କରି ଲୋକଙ୍କ ସୁରକ୍ଷା ଯାଏଁ ସବୁ କିଛି ଉପରେ ଟିକିନିଖି ନଜର ରଖିଛନ୍ତି ରାଜ୍ୟ ସରକାର ଓ ଓସିଏ । ତେଣୁ ମ୍ୟାଚକୁ ସଫଳ ରୂପରେ ଆୟୋଜନ କରିବା ପାଇଁ ଆଜି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧିନରେ ଏକ ଗୁରୁତ୍ୱପୃର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିଲେ ଜିଲ୍ଲା ପ୍ରଶାସନ, ସି.ଏମ.ସି, ଓ.ସି.ଏ, ଫାଏର, ଜନସ୍ୱାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ଏତତ୍‌ ବ୍ୟତୀତ ଷ୍ଟାଡିୟମ ପରିସରରେ ପାଣି ବୋତଲ ଓ ଖାଇବା ପ୍ୟାକେଟ ବାରଣ ହୋଇଥିବାରୁ ଷ୍ଟାଡିୟମ ଭିତରେ ବିକ୍ର ହେଉଥିବା ଖାଦ୍ୟ ପଦାର୍ଥର ଯାଞ୍ଚ ଓ ପାର୍କିଂ ସମସ୍ୟା କିପରି ଦୂର ହେବ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ଆସନ୍ତା ୨୨ ତାରିଖରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ । ଡିସେମ୍ବର ୧୯ ତାରିଖରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ଟିମ ଭୁବନେଶ୍ୱରରେ ପହଞ୍ଚିବେ । ୨୩ ତାରିଖରେ ଭୁବନେଶ୍ୱରରୁ ବମ୍ବେ ଅଭିମୁଖେ ଗ୍ରସ୍ତ କରିବ ଉଭୟ କ୍ରିକେଟ ଟିମ । ୨୦ ଓ ୨୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ପ୍ରାକ୍ଟିସ କରିବେ ।