ନିଆଁ ଲାଗିବା ପୂର୍ବୂରୁ ଫୋନକୁ ଆସିବ ମେସେଜ

ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ଆସିବ ଆଲର୍ଟ ମେସେଜ୍

ନିଆଁ ଲାଗିବା ପୂର୍ବୂରୁ ଫୋନକୁ ଆସିବ ମେସେଜ
ଫରେଷ୍ଟ ଫାୟାର ଡିଟେକନ୍ସନ ସିଷ୍ଟମ୍ କରିବ ଆଲର୍ଟ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ନିଆଁ ଲାଗିବା ପୂର୍ବରୁ ଆସିବ ଏସଏମଏସ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ଆସିବ ଆଲର୍ଟ ମେସେଜ୍ । ଏକ ସ୍ୱତନ୍ତ୍ର ଯନ୍ତ୍ର ସାହାଯ୍ୟରେ ଏସବୁ ତଥ୍ୟ ଜାଣିହେବ । ଏହି ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ଓ ଟେକନଲୋଜି (ସିଇଟି)ର ଦୁଇ ଇଂଜିନିୟରିଂ ଛାତ୍ର ପ୍ରତ୍ୟୁଷ ମଲ୍ଲିକ ଓ ପ୍ରମିତ୍ କୁମାର ଭୁକ୍ତା ଏକ ନୂଆ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଯାହାର ନାମ ରଖିଛନ୍ତି ‘ଫରେଷ୍ଟ ଫାୟାର ଡିଟେକନ୍ସନ ସିଷ୍ଟମ୍’। ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାରିତା ଓ କାର୍ଯ୍ୟକଳାପ ସମ୍ବନ୍ଧରେ ।

ରାଜ୍ୟ ତଥା ଦେଶ, ବିଦେଶରେ ଥିବା ଜଙ୍ଗଲ ଗୁଡିକରେ ଅଚାନକ ନିଆଁ ଲାଗି ଅନେକ ଜନହାନୀ ପଶୁ ପକ୍ଷୀ ସହ ଜମି, ବୃକ୍ଷ ଆଦି ନଷ୍ଟ ହେଉଛି । ଯଦ୍ୱାରା ଲକ୍ଷାଧିକ ରାଜସ୍ୱ ମଧ୍ୟ ହାନି ହେଉଛି । ତେବେ ଟେକନଲୋଜି ମାଧ୍ୟମରେ ଏହାକୁ ପୂର୍ବ ଆକଳନ କରିବାରେ ସଫଳ ହୋଇଛନ୍ତି ଇଂଜିନିୟରିଂ ଛାତ୍ର ପ୍ରତ୍ୟୁଷ ମଲ୍ଲିକ । ଯାହାର ନାମ ହେଉଛି ଫରେଷ୍ଟ ଫାୟାର ଡିଟେକ୍ଟସନ ସିଷ୍ଟମ୍ । ଏହାଦ୍ୱାର ଜଙ୍ଗଲରେ ନିଆଁ ଲାଗିବାର ୧୫ ମିନିଟ ପୂର୍ବରୁ ଏସ୍.ଏମ୍.ଏସ୍ ଓ ଇ ମେଲ୍ ମାଧ୍ୟମରେ ଜାଣିହେବ । ତେବେ ବର୍ତ୍ତମାନ ସାଟେଲାଇଟ୍ ଓ ବିଭିନ୍ନ ଟେକନଲୋଜି ଦ୍ୱାରା ବ୍ୟବହୃତ ସିଷ୍ଟମ ମାଧ୍ୟମରେ ନିଆଁ ଲାଗିବାର ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ପରେ ଜଣାପଡୁଥିବା ବେଳେ ପ୍ରତ୍ୟୁଷଙ୍କ ଏହି ସିଷ୍ଟମ ଦ୍ୱାରା ନିଆଁ ଲାଗିବାର ଅହେତୁକ ପୂର୍ବରୁ ଜାଣିହେବ । ନିଆଁ ଲାଗିବାର ୧୫ ମିନିଟ ପୂର୍ବରୁ ସମ୍ଭାବ୍ୟ ସ୍ଥାନ ଜଣାପଡିବା ସହ ନିଆଁ ଲାଗିବା ପରେ ନିର୍ଦ୍ଧିଷ୍ଟ ସ୍ଥାନ ଜଣାପଡିବ । ଏହାଦ୍ୱାରା ବିଳମ୍ବ ପରିବର୍ତ୍ତେ ତୁରନ୍ତ ଖବର ପାଇ ଉଦ୍ଧାରକାରୀ ଓ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିପାରିବେ ବୋଲି ପ୍ରତ୍ୟୁଷ କହିଛନ୍ତି ।

ତେବେ ଏଥିରେ ବ୍ୟବହୃତ ସ୍ୱତନ୍ତ୍ର ନୋଡ୍ ରେ ଏକ ସେନସର୍, ଭୋଲଟେଜ ବୁଷ୍ଟର, କମ୍ୟୁନିକେସନ ପାଇଁ ସ୍ୱତନ୍ତ୍ର ମାଇକ୍ରୋ ରେଡିଓ ସହ ବିଭିନ୍ନ ଛୋଟମୋଟ ଯନ୍ତ୍ରାଶ ଖଂଜାଯାଇଛି । ସବୁଠାରୁ ବଡ କଥା ହେଲା ବର୍ତ୍ତମାନ ଜଙ୍ଗଲରେ ସ୍ଥାପିତ ସିଷ୍ଟମ ବ୍ୟାଟେରୀ କିମ୍ବା ସୋଲାର ପାୱାର ଉପରେ ନିର୍ଭର କରୁଥିବା ବେଳେ ଏହି ସିଷ୍ଟମ ମାଟି ତଳୁ ହିଁ ସ୍ୱତନ୍ତ୍ର ସେଲ୍ ଦ୍ୱାରା ଚାର୍ଜ ହୋଇପାରିବ । ୧୫ ମିନିଟ୍ ରେ ବ୍ୟାକଅପ୍ ନେଇ ୧ ମିନିଟର ଡାଟା ଷ୍ଟୋର କରିବା ସହ ଏସ.ଏମ.ଏସ ଓ ଇ-ମେଲରେ ଅପଡେଟ ପଠାଇବ, ଯାହା ପ୍ରତି ୧୫ ମିନିଟରେ ପୁନରାବୃତ୍ତି ହେବ । ଏହା ଦେଢ ବର୍ଷରୁ ଉର୍ଦ୍ଦ୍ୱ ମଧ୍ୟ ବିନା କୌଣସି ରକ୍ଷଣାବେକ୍ଷଣାରେ ବ୍ୟବହାର କରିହେବ ବୋଲି ପ୍ରମିତ୍ ଦାବୀ କରିଛନ୍ତି । ଏହା ସଂପୂର୍ଣ୍ଣ ୱୟାରଲେସ୍ ଏବଂ ଯେକୌଣସି ଇଣ୍ଟରନେଟ୍ ସଂଯୋଗପ୍ରାପ୍ତ ସିଷ୍ଟମରେ ବ୍ୟବହାରକାରୀ ଅପଡେଟ୍ ପାଇପାରିବେ ।

ତେବେ ଉଭୟଙ୍କ ଏହି ଉଦ୍ଭାବନା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିବା ବେଳେ ନାସା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟପ୍ ୨୫ ସେମିଫାଇନାଲ ତାଲିକାରେ ଏସିଆର ଏକମାତ୍ର ପ୍ରକଳ୍ପ ଭାବେ ସ୍ଥାନ ପାଇଥିଲା । ଏବେ ଏହାକୁ ରାଜ୍ୟର ଜଙ୍ଗଲ ଗୁଡିକରେ କାର୍ଯ୍ୟକ୍ଷମ କରିବା ନେଇ ବିଭାଗ ଯୋଗଯୋଗରେ ଥିବା ଜଣାପଡିଛି । ସେପଟେ ଜଙ୍ଗଲରେ ବ୍ୟବହୃତ ଏହି ସିଷ୍ଟମକୁ ପ୍ରାକୃତିକ ଦୂର୍ବିପାକ ଓ ବନ୍ୟଜନ୍ତୁଙ୍କ ଆକ୍ରୋଶରୁ ରକ୍ଷା କରି ସୁରକ୍ଷିତ ଭାବେ ବ୍ୟବହାର କରିହେବ ସେ ଦିଗରେ ପ୍ରତ୍ୟୁଷ ଓ ପ୍ରମିତ ଗବେଷଣା ଚଲାଇଛନ୍ତି ।