ରେଶମ ସହରରେ ଜମିଲା ହୋଲି

ରମେଶ ନଗରୀ ବ୍ରହ୍ମପୁରରେ ମଧ୍ୟ ବେସ ଜମି ଥିଲା ହୋଲିର ଆସର । 

ରେଶମ ସହରରେ ଜମିଲା ହୋଲି
ପ୍ରତିକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ରମେଶ ନଗରୀ ବ୍ରହ୍ମପୁରରେ ମଧ୍ୟ ବେସ ଜମି ଥିଲା ହୋଲିର ଆସର । କରୋନା ଭାଇରସର ଭୟ ସତ୍ତ୍ୱେ ସହର ବିଭିନ୍ନ ବର୍ଗର ଲୋକେ ହର୍ବାଲ ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ନାଚଗୀତର ଆସର ମଧ୍ୟ ଜମିଥିଲା ।  ଏଭଳି ଏକ ଖୁସିର ମୁହୂର୍ତ୍ତରୁ ଜେମିତି ବାଦ ପଡିନଥିଲେ ବ୍ରହ୍ମପୁର ଦୃଷ୍ଟିହୀନ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ । 

ଏମାନେ ଦୁନିଆର ଆଲୋକକୁ ଦେଖି ପାରନ୍ତି ନାହିଁ, ହେଲେ ଆଖିରେ ଅସରନ୍ତି ସ୍ୱପ୍ନ । ସାଧାରଣ ଲୋକଙ୍କ ଭଳି ଏମାନେ ମଧ୍ୟ ରଙ୍ଗର ପର୍ବ ହୋଲିକୁ ବେସ ଆଡମ୍ବର ସହ ପାଳନ କରିଛନ୍ତି । କରୋନା ଭାଇରସକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ରସାୟନିକ ରଙ୍ଗକୁ ନିଜେ ବର୍ଜନ କରିବା ସହ ଫୁଲ ଓ ହର୍ବାଲ ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇଛନ୍ତି । 

ସେପଟେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ହୋଲିର ଆସର ବେସ ଜମି ଥବା ବେଳେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ଗୋକୁଳ ଧାମଠାରେ ଆୟୋଜିତ ହୋଲି ମହତ୍ସବ । ଆବାଳ ବୃଦ୍ଧ ବନିତା ସମସ୍ତେ ବେସ ଆଡମ୍ବର ସହ ଏହି ପର୍ବ କୁ ପାଳନ କରିଥିବା ଦେଖିବାକୁ ମିଳିଥିଲା। ରାଧାକୃଷ୍ଣଙ୍କ ଅପୂର୍ବ ମିଳନକୁ ମନେ ପକାଇ ଏହି ଖୁସିର ଆସରରେ ସମସ୍ତେ ନିଜକୁ ହଜାଇ ଦେଇଥିବା ଦେଖିବାକୁ ମିଳିଥିଲା।