ନିଆରା ପରମ୍ପରା: ମାହାଙ୍ଗା ଅଞ୍ଚଳର ଭାଗବତ ମେଲଣ
Advertisement

ନିଆରା ପରମ୍ପରା: ମାହାଙ୍ଗା ଅଞ୍ଚଳର ଭାଗବତ ମେଲଣ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପ୍ରଥମାଷ୍ଟମି ପର୍ଯ୍ୟନ୍ତ ଚାଲିଥାଏ ଏହି ଭାଗବତ ମେଲଣ ।

ନିଆରା ପରମ୍ପରା: ମାହାଙ୍ଗା ଅଞ୍ଚଳର ଭାଗବତ ମେଲଣ

ସାଲେପୁର: ମେଲଣ କହିଲେ ସାଧାରଣତଃ ଫାଲଗୁନ ମାସର ଦୋଳ ମେଲଣକୁ ଆମେ ବୁଝିଥାଉ । ହେଲେ ଆମ ପରମ୍ପରାରେ ଏମିତି ମେଲେଣ ଯୋଡି ହୋଇଯାଇଛି ଯାହାକୁ ଭାଗବତ ମେଲଣ ଭାବେ ଲୋକେ ପାଳନ କରି ଆସୁଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପ୍ରଥମାଷ୍ଟମି ପର୍ଯ୍ୟନ୍ତ ଚାଲିଥାଏ ଏହି  ଭାଗବତ ମେଲଣ । 

କିମ୍ବଦନ୍ତି କୁହେ ଏହି ମେଲଣର ପରିକଳ୍ପନା ହୁଏ ନଅଁକ ଦୁର୍ବିକ୍ଷ ସମୟରେ । କୁହାଯାଏ ନଅଁକ ଦୁର୍ବିକ୍ଷ ସମୟରେ ବିଭିନ୍ନ ଅଭାବ ଅନାଟନ କାରଣରୁ ମଣିଷ ମଣିଷ ଭିତରେ ଭାଇଚାରା ନଷ୍ଟ ହୋଇଯାଏ ଏବଂ ସମାଜରେ ହିଂସା ବଢି ଗାଁ ଗାଁ ଭିତରେ ତିକ୍ତତା ଲାଗିରହିଥିଲା । ସେତେବେଳ ଭାଗବତ୍ ଟୁଙ୍ଗି ଏକ ବଳିଷ୍ଠ ଆଧାର ପାଲଟି ପ୍ରଥଭ୍ରଷ୍ଟ ମଣିଷ ମନରେ ଭଗବତ୍ ଚେତନା ଜାଗ୍ରତ କରି ସମାଜରେ ପୁଣି ଥରେ ଭାଇଚାରା ପ୍ରତିଷ୍ଠା କରିବା । ସେତବେଳର ସେହି ଭଗବତ ପ୍ରେମି କିଛି ମଣିଷ ମାନଙ୍କ ପବିତ୍ର ଚିନ୍ତାଧାରା ମେଲଣର ରୁପ ନେଇଥିଲା । ସେବେଠାରୁ ମାହାଙ୍ଗା ଅଞ୍ଚଳରେ ପାଳନ ହୋଇ ଆସୁଛି ଏହି ନିଆରା ଭାଗବତ ମେଲଣ । ରାଜ୍ୟର ଅନ୍ୟ କେଉଁଆଡେ ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳେନା । ତେବେ ସମୟ ବଦଳିବା ସହିତ ଏହି ଭାଗବତ ମେଲଣ ଆହୁରି ସୁନ୍ଦର ଓ ବ୍ୟାପକ ହୋଇଛି । ଗାଁ ଗାଁ ଭିତରେ ଭାଇଚାରାର ସଂପର୍କକୁ ସୃଦୁଢ କରିପାରିଛି  । 

ମେଲଣ ପଡିଆରେ ଏକାଠି ହୋଇଥାନ୍ତି ବିମାନ ଗୁଡିକ । ବିମାନ ଭିତରେ ଭଗବତ୍ ଗୀତା ସହ ବିରାଜମାନ ହୋଇଥାନ୍ତି ପ୍ରଭୂ ଜଗନ୍ନାଥ । ପୂଜାର୍ଚ୍ଚନା ସହ  ଫୁଲ ଚନ୍ଦନ ଓ ଭୋଗ ଲାଗି ପରେ ବିମାନ ଆଗରେ ଭାଗବତ ପାଠ ସାଙ୍ଗକୁ ଭଜନ କିର୍ତ୍ତନରେ ଗାଁ ଲୋକେ ନିମଗ୍ନ ରହିଥାନ୍ତି । ଗାଁର ବୟସ୍କମାନଙ୍କ ଠାରୁ ଯୁବକ, ଯୁବତୀ ଓ ମହିଳାମାନେ ଭଗବତ୍ ଶ୍ରବଣ କରିଥାନ୍ତି । କୁହାଯାଏ ଏହି ମେଲଣ ହେଉଛି ସ୍ନେହ ଶ୍ରଦ୍ଧା, ଭଗବତ୍ ଆରଧାନା ଓ ଭାଇଚାରାର ଅନନ୍ୟ ନିଦର୍ଶନ । ଗାଁ ଗାଁ ଭିତରେ ଏକତା ଆଣିବା ପାଇଁ ସେତେବେଳର ଗାଁର ମୁରବିମାନେ ଏହି ଭାଗବତ୍ ମେଲଣ ଆରମ୍ଭ କରିଥିଲେ । ସେବେଠାରୁ ଆଜିଯାଏଁ  ରୀତିନୀତି ଅନୁସାରେ ଲୋକେ ସେହି ପରମ୍ପରାକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ତେବେ ଭାଗବତ୍ ଗ୍ରନ୍ଥକୁ ନେଇ ଏଭଳି ନିଆରା ମେଲଣ ଉତ୍ସବ ରାଜ୍ୟର ଅନ୍ୟ ଜାଗାରେ ଦେଖିବାକୁ ମିଳେନାହିଁ । ବୟସ୍କମାନଙ୍କ କହିବା କଥା ଏହି ମେଲଣର ଅସଲ ଉଦେଶ୍ୟ ସମାଜରେ ଭାଗବତ ଗୀତାର ବାଣୀ ପ୍ରଚାର କରି ମନରେ ଭଗବତ୍ ଚେତନା ଜାଗ୍ରତ କରିବା ଏବଂ ଭଗବାନଙ୍କ ସାନିଧ୍ୟ ଲାଭ କରିବା । ସମୟ ସିନା ପରିବର୍ତ୍ତନ ହୋଇଚି କିନ୍ତୁ ଦିନକୁ ଦିନ ଏହି ମେଲଣର ଆଦର କମନି ।