ଆବାସ ଯୋଜନାରେ ଅନିୟମିତତା: ଇନ୍ଦିରା ଆବାସ ପାଇଥିଲେ ସ୍ୱାମୀ, ସ୍ତ୍ରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ
Advertisement

ଆବାସ ଯୋଜନାରେ ଅନିୟମିତତା: ଇନ୍ଦିରା ଆବାସ ପାଇଥିଲେ ସ୍ୱାମୀ, ସ୍ତ୍ରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ

କାହାକୁ ମେଞ୍ଚେ, କାହାକୁ କେଞ୍ଚେ । ୬ ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ମିଳିଥିଲା ଘର, ଏବେ ସ୍ତ୍ରୀକୁ । 

୬ ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ମିଳିଥିଲା ଘର, ଏବେ ସ୍ତ୍ରୀକୁ

ଋତୁପର୍ଣ୍ଣା ଧଳସାମନ୍ତ, ଦାରିଙ୍ଗବାଡି: ଗରିବଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସରକାର ପୁଳା ପୁଳା ଯୋଜନା କରିଛନ୍ତି । ଆଉ ଏହାର ସଫଳତା ନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି । କିନ୍ତୁ ପ୍ରକୃତରେ କଣ ଏହି ଯୋଜନା ସବୁ ଶତ ପ୍ରତିଶତ କାର୍ଯ୍ୟକାରୀ ହେଉଛି ?  ନା ଅଧାବାଟରେ ବାଟବଣା ହେଉଛି ଏ ଯୋଜନା । କନ୍ଧମାଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆମ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନଟିଏ ଉଠିବ ନିଶ୍ଚୟ । 

ସରକାର ଯୋଜନା କରୁଛନ୍ତି ସତ । କିନ୍ତୁ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି, ସେନେଇ କାହାରି ନିଘା ନାହିଁ । ସେପଟେ କେଉଁଠି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାଲାମାଲ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳର ଦାରିଙ୍ଗବାଡ଼ି ବ୍ଲକରେ । ୬ ବର୍ଷରେ ଗୋଟିଏ ପରିବାରକୁ ଦୁଇ ଦୁଇ ଥର ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇଥିବା ଘଟଣା ସମାନାକୁ ଆସିଛି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତରବାଡ଼ି ଗାଁର କାନ୍ଦେଲା ପ୍ରଧାନଙ୍କ ପୁଅ ଆନ୍ଦ୍ରୀୟ ପ୍ରଧାନଙ୍କୁ ୨୦୧୨-୧୩ ଆର୍ଥିକ ବର୍ଷରେ ଏକ ଇନ୍ଦିରା ଆବାସ ମିଳିଥିଲା । ଏବେ ସେ ଘରେ ରହୁଛନ୍ତି ଆନ୍ଦ୍ରୀୟ । ଆଉ ଏବେ ୬ ବର୍ଷ ପରେ ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷରେ ପୁଣି ସେହି ଆନ୍ଦ୍ରୀୟ ପ୍ରଧାନଙ୍କ ସ୍ତ୍ରୀ ନିବେଦିତା ପ୍ରଧାନଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପ୍ରଦାନ କରାଯାଇଛି । ଏପରିକି ଏହାର ନିର୍ମାଣ କାମ ଏବେ ଚାଲିଛି । କେଉଁ ଆଧାରରେ ଘର ଥିବା ଲୋକଙ୍କୁ ୬ ବର୍ଷ ମଧ୍ୟରେ ପୁଣି ଏକ ଘର ଯୋଗାଇ ଦିଆଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । 

ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରାଶାସନିକ ତ୍ରୁଟି ରହିଥିବା କହିଛନ୍ତି । ଏପରିକି କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ବିଡ଼ିଓ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇଙ୍କୁ ପଚରାଯିବାରୁ ସେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । 

ଏଠାରେ ପ୍ରଶ୍ନ ଉଠୁଛି, ଯଦି ତାଙ୍କୁ ୬ ବର୍ଷ ପୂର୍ବରୁ ଘର ମିଳିଥିଲା, ତେବେ ତାଙ୍କ ସ୍ତ୍ରୀଙ୍କୁ ପୁଣି ଏକ ଘର ମିଳିଲା କିପରି ? ଆନ୍ଦ୍ରୀୟ ପ୍ରଧାନଙ୍କୁ ୬ ବର୍ଷ ପୂର୍ବରୁ ଘର ମିଳିଥିବା ଖବର ପ୍ରଶାସନ ପାଖରେ ଥିଲା ନା ନାହିଁ ? ସତରେ ପ୍ରଶାସନ ଏ ଉପରେ ଅବଗତ ନଥିଲା ନା ଜାଣିଶୁଣି ପୁଣି ତାଙ୍କ ସ୍ତ୍ରୀଙ୍କୁ ଘର ଯୋଗାଇ ଦିଆଯାଇଛି ? ଏ ଅନିୟମିତତା ପଛରେ କଣ କେବଳ ହିତାଧିକାରୀ ଦୋଷୀ ? ସ୍ଥାନୀୟ ବିଡିଓ ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କଥା ହେଉଛି, ଏପର୍ଯ୍ୟନ୍ତ ବହୁ ଲୋକ ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଗୁହାରି କରିକରି ଥକି ପଡୁଥିବା ବେଳେ ତାଙ୍କୁ ଘର ମିଳିପାରୁନାହିଁ । କିନ୍ତୁ ୬ ବର୍ଷ ଭିତରେ ସ୍ୱାମୀଙ୍କୁ ଗୋଟିଏ ଏବଂ ସ୍ତ୍ରୀଙ୍କୁ ଆଉ ଗୋଟିଏ ଘର ମିଳିଲା କିପରି ? ତଦନ୍ତ ପରେ ଏହା ସ୍ପଷ୍ଟ ହେବ ।