ସୀମାରେ କେମିତି ରହିଛି ସ୍ଥିତି: ଲଗାତାର ଅପଡେଟ ନେଉଛନ୍ତି ରାଜନାଥ
Advertisement

ସୀମାରେ କେମିତି ରହିଛି ସ୍ଥିତି: ଲଗାତାର ଅପଡେଟ ନେଉଛନ୍ତି ରାଜନାଥ

ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିବାରୁ ୨ ଭାରତୀୟ ଯବାନ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାପରେ ତମାମ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

rajnath singh

ନୂଆଦିଲ୍ଲୀ: ଆଜି ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ବେଳେ, ଭାରତ ଦେଇଛି ମୁହଁତୋଡ ଜବାବ । ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ଆତଙ୍କୀ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ଭାରତୀୟ ଯବାନ । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବା ସହ ୫ ଜଣ ପାକିସ୍ତାନୀ ସେନା ନିହତ ହୋଇଛନ୍ତି । ଗତକାଲି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ ଯୋଗୁଁ ୨ ଭାରତୀୟ ସେନା ଶହୀଦ ହୋଇଥିଲେ । ଆଉ ଏହାପରେ ତମାମ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

ପ୍ରତିରକ୍ଷା ମନ୍ତ୍ରୀ ହେବାର ବହୁ ପୂର୍ବରୁ ସେନାକୁ ବଳ ଯୋଗାଇ ଆସୁଥିବା ରାଜନାଥ, ବର୍ତ୍ତମାନ ସୀମାର ସ୍ଥିତି ନେଇ ତୀକ୍ଷ୍ଣ ନଜର ରଖିଛନ୍ତି । ବର୍ତ୍ତମାନ ସୀମାରେ ସ୍ଥିତି କିପରି ଅଛି ଏବଂ  ପାକିସ୍ତାନ ଲଗାତାର ଭାବରେ କରିଆସୁଥିବା ଅସ୍ତ୍ରବିରତି ଉଲଙ୍ଘନକୁ ନେଇ ରାୱତଙ୍କ ସହ ଆଲୋଚନା କରିଛନ୍ତି ରାଜନାଥ । ସୂତ୍ର ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଲଗାତାର ସେନାମୁଖ୍ୟଙ୍କଠାରୁ ଅପଡେଟ ନେଉଛନ୍ତି । 

କହିରଖୁଛୁ, ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିବାରୁ ୨ ଭାରତୀୟ ଯବାନ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସୀମାନ୍ତବର୍ତ୍ତୀ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ଏହା ପରେ ଭାରତୀୟ ସେନା ଦେଇଛି ମୁହଁତୋଡ ଜବାବ । ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ଆତଙ୍କୀ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିଛି ସେନା । 

ଏହି ଆକ୍ରମଣ ପାଇଁ ସେନା ଆର୍ଟିଲାରୀ ଗନର ବ୍ୟବହାର କରିଥିଲେ । ଆତଙ୍କୀ କ୍ୟାମ୍ପ ସହ ବହୁ ଲଞ୍ଚିଙ୍ଗ ପେଡ ଧ୍ୱଂସ ହେବାର ସୂଚନା ରହିଛି । ସେପଟେ ପାକିସ୍ତାନ ତରଫରୁ କ୍ରମାଗତ ଅସ୍ତ୍ରବିରତ ଉଲଙ୍ଘନ କରାଯାଉଛି ।  ରିପୋର୍ଟ ଅନୁସାରେ ବର୍ତ୍ତମାନ ସୀମାରେ ପରିସ୍ଥିତି ଭଲ ନାହିଁ ।  ପାକ୍ ସେନା କ୍ରମାଗତ ତଙ୍ଗାଧର, ନୌଗାମ ଓ କୁପୱାଡାରେ ଫାଇରିଂ କରୁଛି ।  ଯାହାର ଜୋରଦାର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ।  ଭାରତୀୟ ସେନାଙ୍କ ଜବାବୀ ଆକ୍ରମଣରେ ପିଓକେରେ ବହୁତ କ୍ଷତି ହୋଇଛି । 

ଅନ୍ୟପକ୍ଷେ ପାକ୍ ସେନାର ଆକ୍ରମଣରେ  ସର୍ବାଧିକ କ୍ଷୟକ୍ଷତି ଚିତ୍ରକୂଟ ଗାଁରେ ହୋଇଛି ।  ଯେଉଁଠି ପାକିସ୍ତାନ ପକ୍ଷରୁ ଫାଇରିଂ ହେବାରୁ ୬ ଘର ଭାଙ୍ଗିଯାଇଛି । ଗୁଣ୍ଡି ସାଲ ନାମକ ସ୍ଥାନରେ ମଧ୍ୟ ପାକିସ୍ତାନର ଫାଇରିଂ ଯୋଗୁଁ ୨ଟି ଘର ନଷ୍ଟ ହୋଇଛି । ଏହାସହ ଜଣେ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି ।  ରବିବାର ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ କରିଥିଲା ଏହି ଅସ୍ତ୍ର ବିରତି ଉଲଙ୍ଘନ କରିଛି ।  ଯେଉଁଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।