ବାରିପଦାର ‘ବାର୍ଡ ମ୍ୟାନ’ ଭାବେ ପରିଚିତ ସୁରଜ

ପେଶାରେ ଜଣେ ଟ୍ରାଫିକ୍ କର୍ମଚାରୀ 

ବାରିପଦାର ‘ବାର୍ଡ ମ୍ୟାନ’ ଭାବେ ପରିଚିତ ସୁରଜ

ମୟୂରଭଞ୍ଜ : ପେଶାରେ ଟ୍ରାଫିକ୍ କର୍ମଚାରୀ, ହେଲେ ନିଶାରେ ପକ୍ଷୀପ୍ରେମୀ । ନିଜର କର୍ମମୟ ଜୀବନରୁ ସମୟ ବାହାର କରି ରାସ୍ତା କଡ଼ରେ ଥିବା ନିଷ୍ପାପ ପକ୍ଷୀମାନଙ୍କୁ ଖାଦ୍ୟ ଦେଇ ସମାଜରେ ଏକ ଉଦାହରଣ ପାଲଟିଛନ୍ତି ସେ । ନିଜର ଟ୍ରାଫିକ୍ ଡ୍ୟୁଟି ଭଳି ରାସ୍ତା କଡ଼ରେ ଥିବା ହଜାର ହଜାର ପାରାମାନଙ୍କୁ ଖାଦ୍ୟ ଦେବା ମଧ୍ୟ ନିଜର ଏକ ଡ୍ୟୁଟି ବୋଲି ଭାବନ୍ତି  ଏହି କର୍ମଚାରୀ ଜଣକ  ।

ନାଁ ତାଙ୍କର ସୁରଜ କୁମାର ରାଜ୍ । ପେଶାରେ ଜଣେ ଟ୍ରାଫିକ୍ କର୍ମଚାରୀ । ହେଲେ ବାରିପଦା ସହରରେ ବାର୍ଡମ୍ୟାନ୍ (ପକ୍ଷୀ ମଣିଷ) ଭାବେ ସେ ଏବେ ପରିଚିତ । ନିଜ ଡ୍ୟୁଟିରେ ଯିବା ପୂର୍ବରୁ ଓ ଡ୍ୟୁଟି ସରିବା ପରେ ପରେ ସେ ଛୁଟି ଯାଇଥାନ୍ତି ସହରର ବିଭିନ୍ନ ଅଞ୍ଚଳକୁ । ଆଉ ସେଠାରେ ଥିବା ପାରା ମାନଙ୍କୁ ସବୁଦିନ ଖାଦ୍ୟ ଦେବା ସତେ ଯେପରି ତାଙ୍କର ଆଉ ଏକ ଡ୍ୟୁଟି । ଯେତେ କାମ ଥାଉ ନା କାହିଁକି ସବୁଦିନ ସକାଳେ ଓ ସନ୍ଧ୍ୟାରେ ସେ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ନେଇପହଞ୍ଚି ଯାଇଥାନ୍ତି ସେମାନଙ୍କ ନିକଟରେ । ତାଙ୍କର ଗାଡ଼ି ଶବ୍ଦ ଶୁଣିବା ମାତ୍ରେ କିମ୍ବା ତାଙ୍କର ଗୋଟିଏ ଡାକରେ ପାରା ମାନେ ମଧ୍ୟ ପହଞ୍ଚିଯାଆନ୍ତି ତାଙ୍କ ପାଖରେ । ସତେ ଯେପରି ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ନିଜର କେହି ଆତ୍ମୀୟ ସ୍ୱଜନ, ନିଜର ଅତି ଆପଣାର ମଣିଷ ତାଙ୍କ ପାଖରେ ପହଞ୍ଚି ଯାଇଛନ୍ତି । ଆଉ ସୁରଜଙ୍କ ହାତରୁ ଖାଦ୍ୟ ନିଜେ ହିଁ ଖାଇବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ ସହରରେ । ତେବେ ନିଜ କର୍ମମୟ ଜୀବନରୁ ସମୟ କାଢି ଦୀର୍ଘ ୧୦ ବର୍ଷ ଧରି ଏ କାମ କୁ ମଧ୍ୟ ନିଜର ଏକ କର୍ମ ବୋଲି ବାଛି ନେଇଛନ୍ତି ସୁରଜ ।

ସୁରଜଙ୍କ ଏଭଳି କର୍ମକୁ ଭୂୟସୀ ପ୍ରଶଂସା କରିଛନ୍ତି ବିଭାଗୀୟ ଅଧିକାରୀମାନେ । ସୁଚାରୁ ରୂପେ ନିଜ କର୍ମକୁ ତୁଲାଇବା ସହିତ ପକ୍ଷୀ ମାନଙ୍କୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବାଛି ନେଇ ସମାଜରେ ଉଦାହରଣ ପାଲଟିଛନ୍ତି ସୁରଜ । ପୋଲିସ ନାଁ ଶୁଣିଲେ ସାଧାରଣ ଲୋକଙ୍କ ମନରେ ଏକ ବିପରୀତ ମାନସିକତା ଆସିଥାଏ । ସେମାନଙ୍କ ଆଚରଣ ଓ ବ୍ୟବହାରକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି ସାଧାରଣ ଲୋକେ । କିନ୍ତୁ ସୁରଜଙ୍କ ଏଭଳି କାର୍ଯ୍ୟ, ଏହି ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରୁଥିବାରୁ ସେ ଅତ୍ୟନ୍ତ ପ୍ରଶଂସନୀୟ ପାତ୍ର ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ । 

ମନର ଭାବକୁ ପ୍ରକାଶ କରି ପାରୁ ନ ଥିବା ଜୀବଜନ୍ତୁଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତାଙ୍କର ମନର ଭାବକୁ ବୁଝି ଯଦି ସୁରଜଙ୍କ ଭଳି ଅନ୍ୟମାନେ ମଧ୍ୟ ଆପଣାଇ ନେଇ ପାରିବେ, ତେବେ ବୁଦ୍ଧିଜୀବୀଙ୍କ ମତରେ କିଞ୍ଚିତ ମାତ୍ରାରେ ଆମେ ପ୍ରକୃତିର ଋଣ ସୁଝି ପାରିବା ।

 

 

Tags: