close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରୀତା ଭାଙ୍ଗିଲେ ବିଶ୍ୱଭୂଷଣଙ୍କ ରେକର୍ଡ

ଇତିହାସ ରଚିଲେ ରୀତା...ରେକର୍ଡ ସଂଖ୍ୟକ ଭୋଟରେ ହେଲେ ବିଜୟୀ...ଭାଙ୍ଗିଲେ ବିଶ୍ୱଭୂଷଣଙ୍କ ରେକର୍ଡ...  

ରୀତା ଭାଙ୍ଗିଲେ ବିଶ୍ୱଭୂଷଣଙ୍କ ରେକର୍ଡ
ଫାଇଲ ଫଟୋ

ଭୁବନେଶ୍ୱର: ଓଡିଶା ରାଜନୈତିକ ଇତିହାସରେ ରୀତାଙ୍କ ରେକର୍ଡ । ଯାହା ତୁଙ୍ଗ ତୁଙ୍ଗ ନେତା କରିପାରିନଥିଲେ, ତାହା କରି ଦେଖାଇଲେ ଦିବଙ୍ଗତ ନେତା ସୁବୋଳ ସାହୁଙ୍କ ପତ୍ନୀ ରୀତା ସାହୁ । ଯାହା ଓଡିଶା ଇତିହାସରେ କେବେ ଦେଖିବାକୁ ମିଳିନଥିଲା, ତାହା କଲେ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ । ୯୭ ହଜାର ୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇ ଏହି ରେକର୍ଡ ରଚିଛନ୍ତି । 

ଇତିହାସ କହୁଛି, ସବୁଠୁ ଅଧିକ ବ୍ୟବଧାନରେ ବିଜୟୀ ହେବା ରେକର୍ଡ ପୂର୍ବରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ଥିଲା । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିବା ଶ୍ରୀଯୁକ୍ତ ହରିଚନ୍ଦନ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ୯୪, ୫୫୪ ଭୋଟରେ ବିଜୟୀ ହୋଇଥିଲେ । ଆଉ ଗତ ସାଧାରଣ ନିର୍ବାଚନରେ ଏହି ରେକର୍ଡ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ଥିଲା । ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ୮୧, ୪୩୦ ଭୋଟରେ ବିଜୟୀ ହୋଇଥିଲେ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏତେ ଅଧିକ ବ୍ୟବଧାନରେ ବିଜୟୀ ହେବା ଦେଖିବାକୁ ମିଳିନଥିଲା । ପାଖାପାଖି ୫୬ ହଜାର ଭୋଟରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ସନତ ଗଡ଼ତିଆଙ୍କୁ ହରାଇଥିଲେ ନବୀନ । ହେଲେ ରୀତା ଆଜି ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ବିଜୟୀ ତ ହେଲେ, ସଭିଙ୍କୁ ଚକିତ ବି କରିଦେଲେ । ବନ୍ଦ ହୋଇଗଲା ବିରୋଧୀଙ୍କ ମୁହଁ । ଖୋଦ ବିଜୁ ଜନତା ଦଳ ମଧ୍ୟ ଏତେ ବ୍ୟବଧାନ ରହିବ ବୋଲି ଆଶା କରିନଥିଲା, ଯାହା ରୀତା କରି ଦେଖାଇଛନ୍ତି । 

ତତ୍କାଳୀନ ବିଧାୟକ ସୁବୋଳ ସାହୁଙ୍କ ମୃତ୍ୟୁ ପରେ ଲୋକଙ୍କ ଅନୁକମ୍ପା ସ୍ତ୍ରୀ ରୀତା ସାହୁଙ୍କ ପାଖକୁ ଯିବ । ବୋଧେ ଏଭଳି କିଛି ଆଶା ରଖି ତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ରୀତା ଯେ ଖୁବ କମ ଦିନରେ ରାଜନୀତିରେ ଏତେ ପରିପକ୍ୱ ହେବେ, ତାହା କେହି ବି ଭାବିନଥିଲେ । ଜନତାଙ୍କ ମନ କିଣିବାରେ ସେ ଯେ ମାହିର, ଆଜି ତାହା ପ୍ରମାଣିତ କରିଛନ୍ତି । ବିଜେଡିର ହ୍ୟାକ୍ଟ୍ରିକ ସହ ରୀତା ଦ୍ୱିତୀୟ ଥର ପାଇଁ ବିଜେପୁରରୁ ବିଜୟୀ ହୋଇଛନ୍ତି । 

ରୀତାଙ୍କ ଏହି ରେକର୍ଡ ବିଜୟର ରାଜ୍ କ'ଣ ? ଫଳାଫଳ ଆସିବା ପରେ ଆଜି ରୀତାଙ୍କୁ ଏଭଳି କିଛି ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ହେଲେ ବେଶ ଚତୁରତାର ସହ ଉତ୍ତର ରଖିଥିଲେ ରୀତା । ଏହା ବିଜେପୁରବାସୀ ଜଣାଇବେ ବୋଲି କହିଥିଲେ । ବିଜୟ ନେଇ ତାଙ୍କ କହିବା କଥା, ବିଜୟ ସୁନିଶ୍ଚିତ ଥିଲା । ବିଜେପୁରବାସୀ ବିଜୟର ଯେଉଁ ଉପହାର ଦେଇଛନ୍ତି, ସେଥିପାଇଁ ସେ କୃତଜ୍ଞ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ବିଜୟୀ ପ୍ରାର୍ଥୀନି ରୀତା ସାହୁ ।