'ମହା' ସମୀକରଣ 'ଯଥା ପୂର୍ବଂ ତଥା ପରଂ'

ରାଜ୍ୟରେ ସରକାର ଗଠନ କରିପାରନ୍ତି ବିଜେପି-ଶିବସେନା ।

'ମହା' ସମୀକରଣ 'ଯଥା ପୂର୍ବଂ ତଥା ପରଂ'
ଫାଇଲ ଫଟୋ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ରର ରାଜନୈତିକ ଗଣିତ । ସରକାର ଗଠନ ନେଇ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି । ସୋମବାର ଏନସିପି ଅଧ୍ୟକ୍ଷ ଶରଦ ପାୱାର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ବଦଳିଯାଇଛି ଆକଳନ . 

ସରକାର ଗଠନ ନେଇ ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି ପାୱାର । ସାକ୍ଷାତ ପରେ ସମସ୍ତ ଅନିଶ୍ଚିତତା ଦୂର ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ବି ଆଲୋଚନା ପରେ ପଟ୍ଟ ପରିବର୍ତ୍ତନ ହୋଇଛି । ପୁଣିଥରେ ବିଜେପି ଓ ଶିବସେନା ମିଳିତ ଭାବରେ ରାଜ୍ୟରେ ସରକାର ଗଠନ କରିବା ସମ୍ଭାବନା ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବୟାନରୁ ଏକଥା ଅନୁମାନ କରାଯାଉଛି । ରାଜ୍ୟରେ ବିଜେପି ୩ ବର୍ଷ ଓ ଶିବସେନା ନେତା ୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଅଠାୱାଲେଙ୍କ ପ୍ରସ୍ତାବକୁ ଶିବସେନା ଗ୍ରହଣ କରିଥିବା ସୂଚନା ମିଳିଛି । 

ଘଡିକି ଘଡ଼ି ବଦଳୁଛି ମହାରାଷ୍ଟ୍ର ରାଜନୈତିକ ସମୀରକଣ । କଂଗ୍ରେସ -ଏନସିପି ସହ ମିଳିତ ଭାବରେ ଶିବସେନା ସରକାର ଗଠନ ଦାବି ପୁଣି ଥରେ ଫିକା ପଡ଼ିଛି . ବିଜେପି-ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି ବୋଲି ଅଠାୱାଲେ ଦାବି କରିଛନ୍ତି । କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିବାକୁ କମନ ମିନିମମ ପ୍ରୋଗ୍ରାମ କମିଟି ପାଇଁ ଦାବି କରିଥିଲା ଶିବସେନା । ଏପରିକି ଚୁଡ଼ାନ୍ତ ଆଲୋଚନା ପୂର୍ବରୁ ରାଜ୍ୟରେ ସରକାର ଗଠନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ଖୁବଶୀଘ୍ର ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରାଯିବ ବୋଲି ବୟାନ ଦେଇଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । କିନ୍ତୁ ସୋମବାର ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବୟାନ ଶିବସେନାର ସବୁ ଗଣିତକୁ ଭୁଲ ପ୍ରମାଣିତ କରିଛି ।

ସେପଟେ ମହାରାଷ୍ଟ୍ର ରାଜନୈତିକ ସ୍ଥିତି ନେଇ ସୋମବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି ଏନସିପି ଅଧ୍ୟକ୍ଷ ଶରଦ ପାୱାର । ସୋନିଆଙ୍କ ସହ ଆଲୋଚନା ପରେ ଶିବସେନା ଓ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରାଯିବ ବୋଲି ପାୱାର କହିଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ପ୍ରସଙ୍ଗରେ ସୋନିଆଙ୍କ ସହ ଆଲୋଚନା ହୋଇନାହିଁ ବୋଲି ସେ ପ୍ରତିକ୍ରିୟା ରଖିଥିଲେ . ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିବା ପରେ ପାୱାର ଗଣମାଧ୍ୟମକୁ ଦେଇଥିବା ବୟାନରୁ ଏମିତି କିଛି ଆଭାସ ମିଳିଥିଲା । ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ନିଜ କଥା ନିଜେ ବୁଝିବାକୁ ମତ ରଖିଥିଲେ ପାୱାର ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଆସନ ମିଳିଥିବା ବେଳେ ଶିବସେନାକୁ ୫୬, ଏନସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଛି । ଅକ୍ଟୋବର ୨୪ରୁ ମୁଖ୍ୟମନ୍ତ୍ରୀ ପଦ ଦାବିକୁ ନେଇ ସରକାର ଗଠନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ସହମତି ହୋଇପାରିନଥିଲା । ପରେ ଶିବସେନା, କଂଗ୍ରେସ ଓ ଏନସିପି ସମର୍ଥନରେ ସରକାର ଗଢ଼ିବାକୁ ପ୍ରୟାସ କରିଥିଲା । କିନ୍ତୁ ଭିନ୍ନ ବିଚାରଧାରା ଗ୍ରହଣ କରୁଥିବା ୩ ଦଳ ମଧ୍ୟରେ ମଧ୍ୟ ସହମତି ପ୍ରକାଶ ପାଇନପାରିବାରୁ ରାଜ୍ୟରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ । ଏବେ ପୁଣି ଥରେ ବିଜେପି ଓ ଶିବସେନା ମିଳିତ ଭାବରେ ସରକାର ଗଠନ ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ମହାରାଷ୍ଟ୍ରରେ ସରଗରମ ହୋଇଛି ରାଜନୀତି ।

ରବିବାର ମୁମ୍ବାଇରେ ବାଲାସାହେବ ସ୍ମୃତି ସଭା ଆୟୋଜିତ ହେବା ନେଇ ଶିବସେନା ଦଳର ଶକ୍ତି ପ୍ରଦର୍ଶନ କରିଥିଲା ବୋଲି ବିଜେପି କହିଥିଲା । କଂଗ୍ରେସ, ଏନସିପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ପ୍ରକାଶ ପାଇଛି ବୋଲି ଘୋଷଣା କରିଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ ।  କଂଗ୍ରେସ ଓ ଏନସିପି ପକ୍ଷରୁ ବାରମ୍ବାର ବୈଠକ ହେବା ପରେ ବି ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମର୍ଥନ ମିଳିପାରିନଥିଲା । କିନ୍ତୁ ଏନସିପି ଅଧ୍ୟକ୍ଷ ସୋନିଆଙ୍କୁ ଭେଟିବା ପରେ ଦଳ ପକ୍ଷରୁ ଚୁଡ଼ାନ୍ତ ନିଷ୍ପତ୍ତି ଘୋଷଣା ହେବ ବୋଲି କୁହାଯାଇଥିଲା ।  NCPର କୋର କମିଟି ବୈଠକରେ ମଧ୍ୟ ଶିବସେନାକୁ ସମର୍ଥନ କରାଯିବ ବୋଲି ଦଳୀୟ ନେତା ନୱାବ ମଲିକ କହିଥିଲେ । କିନ୍ତୁ ସୋମବାର ସୋନିଆ ଗାନ୍ଧୀଙ୍କୁ ଶରଦ ପାୱାର ଭେଟିବା ପରେ ପୂର୍ବରୁ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି ।

ଆହୁରି ବି ପଢନ୍ତୁ; ସରକାର ଗଢ଼ିବା ପାଇଁ କାହା ସହ ଚର୍ଚ୍ଚା ହୋଇନି: ପାୱାର

ଜାଡ଼ରେ ବାଲିସେକ

ଅଠାୱାଲେଙ୍କ ନୂଆ ଫର୍ମୁଲା, ମହାରାଷ୍ଟ୍ରରେ ସରକାର ଗଢ଼ିବ କି ବିଜେପି-ଶିବସେନା?