close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତେରେ ମେରେ ବିଚ୍ ମେ, କୈସା ହେ ୟେ ବନ୍ଧନ୍....

କାଲି ଯାଏ ନାକ ଡିଆଁ ଡିଇଁ କରୁଥିବା ବିଜେପି-ଶିବସେନା ଆଜି ପୁଣି ଥରେ ଏକାଠି ମଶି ସରକାର ଗଠନ କରିବା ନେଇ ସଙ୍କେତ ଦେଇଛନ୍ତି । ପକ୍ଷୀ ଯୁଆଡ଼େ ବି ଗଲେ, ସନ୍ଧ୍ୟାରେ ବସାକୁ ଫେରି ଆସିବା ଭଳି ମୂଲଚାଲ କରି ଶେଷରେ ଶିବସେନାର ମୋହ ଭଙ୍ଗ କରିଛି ବିଜେପି ।

ତେରେ ମେରେ ବିଚ୍ ମେ, କୈସା ହେ ୟେ ବନ୍ଧନ୍....
source: social media

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ତେରେ ମେରେ ବିଚ୍ ମେ କୈସା ହେ ୟେ ବନ୍ଧନ୍ ଅଞ୍ଜାନା, ମୈନେ ନହିଁ ଯାନା, ତୁନେ ନହିଁ ଯାନା..। ଇଏ ହେଉଛି ୧୯୮୧ ମସିହାର ହିନ୍ଦୀ ରୋମାଣ୍ଟିକ ସିନେମା 'ଏକ୍ ଦୁଜେ କେ ଲିୟେ'ର ଗୀତ । କମଲ ହାସନ, ରତି ଅଗ୍ନିହୋତ୍ରି ଏବଂ ମାଧବୀଙ୍କ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଆଜି ପୁଣି ସେହି ପୁରୁଣା ଗୀତକୁ ମନେ ପକାଇଛନ୍ତି ମହାରାଷ୍ଟ୍ର ବିଜେପି ନେତା ସୁଧୀର ମୁନଗନ୍ତିୱାର । ଶିବସେନାକୁ ଲକ୍ଷ୍ୟ କରି ସେ ଏହି ଗୀତ ଗାଇଛନ୍ତି । ମହାରାଷ୍ଟ୍ର ଲୋକଙ୍କ ବିକାଶ ପାଇଁ ସମସ୍ତେ ସାଥୀ ହୋଇ ଚାଲିବା ଏବଂ ବିକାଶକୁ ଆଗେଇ ନେବା ବୋଲି ସେ ଦୋହରାଇଛନ୍ତି । କାଲି ଯାଏ ନାକ ଡିଆଁ ଡିଇଁ କରୁଥିବା ବିଜେପି - ଶିବସେନା ଆଜି ପୁଣି ଥରେ ଏକାଠି ମଶି ସରକାର ଗଠନ କରିବା ନେଇ ସଙ୍କେତ ଦେଇଛନ୍ତି । ପକ୍ଷୀ ଯୁଆଡ଼େ ବି ଗଲେ, ସନ୍ଧ୍ୟାରେ ବସାକୁ ଫେରି ଆସିବା ଭଳି ମୂଲଚାଲ କରି ଶେଷରେ ଶିବସେନାର ମୋହ ଭଙ୍ଗ କରିଛି ବିଜେପି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଶିବସେନା ରାଜି ହେଲା କେମିତି?  

ହରିୟାଣା ନିର୍ବାଚନରେ ଜେଜେପି ସହ ଡିଲ୍ କରି ବିଜେପି ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ ଚୌତେଲା ପରିବାର ଲୋକଙ୍କ ବିରୋଧରେ ଇଡି, ସିବିଆଇ ଓ ଆୟକର ବିଭାଗ ଲଗାଇ ଦେଇଥିବା କଥା ସମସ୍ତେ ଜାଣିଛନ୍ତି । ତେଣୁ, ବେଳ ପାଇଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ନୀତିରେ ବିଜେପି ମଉକା ଦେଖି ଛକା ମାରିଦେଇଥିଲା । ଦୁଷ୍ୟନ୍ତ ଚୌତେଲାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରି ବିଜେପି ସେଠାରେ ନିଜର ହକ୍ କୁ ହାତେଇ ନେଇଛି । ମହାରାଷ୍ଟ୍ରରେ ଏଭଳି କାରଣ ନାହିଁ । ତଥାପି ବି ଶିବସେନା ସହ ଡିଲ୍ କରି ବିଜେପି ଶେଷରେ ସରକାର ଗଠନ କରିବା ନେଇ ଗ୍ରୀନ ସିଗନାଲ ଦେଇ ଦେଇଛି । 
ମହାରାଷ୍ଟ୍ରରେ ୧୩:୨୬ ଫର୍ମୁଲାରେ ଶିବସେନା ଓ ବିଜେପି ସରକାର ଗଠନ କରି ପାରନ୍ତି । ସେହିପରି ପୂର୍ବରୁ ଶିବସେନା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଯେଉଁ ଜିଦ୍ ଧରିଥିଲା, ତାହା ମଧ୍ୟ ଉଭାନ ହୋଇଗଲା । ଏବେ କୁଆଡ଼େ ଆଦିତ୍ୟଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ସର୍ତ୍ତରେ ବିଜେପି ରାଜି ହୋଇଛି ।

ନିର୍ବାଚନ ସରିବା ପରେ ବିଜେପି ଠିକ୍ ଜାଣିଥିଲା ଯେ, ଏଥର ସଂଖ୍ୟା ଗରିଷ୍ଠତା ମିଳିବା ମୁସ୍କିଲ । ତେଣୁ ନିର୍ବାଚନ ପରେ ପରେ ବିଜେପି ନେତାଏ ଶିବସେନା ନେତାଙ୍କୁ ବୁଝାସୁଝା କରିବା ଆରମ୍ଭ କରି ଦେଇଥିଲେ । ଉପରେ ଉପରେ ଶିବସେନା ବିଜେପି ପ୍ରତି ନିଜର ଗରମ ମନୋଭାବ ପୋଷଣ କରୁଥିଲେ ବି ଭିତରେ ଭିତରେ ଦଳ ଦ୍ୱନ୍ଦ୍ୱରେ ଥିଲା । ଯେହେତୁ ଡିଲ୍ ଫାଇନାଲ ହୋଇଗଲା, ଏବେ ଶିବସେନା ବିଜେପି ପ୍ରତି ଧୀରେ ଧୀରେ ନରମ ମନୋଭାବ ଦେଖାଇବା ଆରମ୍ଭ କରିଦେଇଛି । ନାହିଁ ମାମୁ ଠାରୁ କଣା ମାମୁ ଭଲ ନୀତିରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇ ସନ୍ତୁଷ୍ଟ ହେବାକୁ ସ୍ଥିର କରୁଛି ଶିବସେନା । 

ବିଜେପି କିଣାବିକା ଓ ଡିଲ୍ କରିବାରେ ପୂରା ମାହିର । ଅତୀତରେ ବି ଏଭଳି ନଜର ରହିଛି । ଆଉ ନିକଟରେ ହରିୟାଣା ହେଉଛି ଏହାର ସଦ୍ୟତମ ଉଦାହରଣ । ହରିୟାଣାରେ ନୂଆ ସରକାର ଶପଥ ନେବା ପରେ ହିଁ ମହାରାଷ୍ଟ୍ର ଚର୍ଚ୍ଚାକୁ ଆସିଥିଲା । କାରଣ ଡିଲ୍ କେମିତି କରାହୁଏ ଏହି କୌଶଳ ବିଜେପି ଓ ଦଳର ଚାଣକ୍ୟଙ୍କୁ ଠିକ୍ ଜଣା।