କଂଗ୍ରେସ ଉପରେ ବର୍ଷିଲେ ବିଜେପି ନେତା

ହିଂସାକୁ ନେଇ ତେଜୁଛି ରାଜନୀତି, ଚାଲିଛି କାଦୁଅ ଫିଙ୍ଗା ରାଜନୀତି 

 କଂଗ୍ରେସ ଉପରେ ବର୍ଷିଲେ ବିଜେପି ନେତା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଶ ଉଗ୍ରରୂପ ନେଇ ସାରିଲାଣି। ଏହି ହିଂସାରେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। କଂଗ୍ରେସ ଉଭୟ ଆପ ଓ ବିଜେପି ଉପରେ ବର୍ଷିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହାଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। 

ସେପଟେ ସୋନିଆ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛି ବିଜେପି। ବିଜେପିର ବରିଷ୍ଠ ନେତା ପ୍ରକାଶ ଜାଭଡ଼େକର କହିଛନ୍ତି, କଂଗ୍ରେସ ଶିଖ ଦଙ୍ଗା ସମ୍ପର୍କରେ ମଧ୍ୟ ମନେ ପକାଉ। ଏହା ସହିତ ବାଲାକୋଟ ସମୟରେ ମଧ୍ୟ କଂଗ୍ରେସ ଏହିଭଳି ଅଭିଯୋଗ କରିଥିଲା। ତେହେ ଏହାକୁ ନେଇ କଂଗ୍ରେସ ଯେଉଁ ରାଜନୀତି ଆରମ୍ଭ କରିଛି, ସେଥିରେ ବିଜେପିର ସମସ୍ତ ନେତା ସାମିଲ ହୋଇଛନ୍ତି। କେବଳ ସାମିଲ ହୋଇ ନାହାନ୍ତି, କଂଗ୍ରେସକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି। 

ପ୍ରକାଶ ଜାଭଡ଼େକର ଆହୁରି ମଧ୍ୟ କହିଛନ୍ତି କି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଇଥିବା ବୟାନ ନିଶ୍ଚିତ ପକ୍ଷେ ଦୁର୍ଭାଗ୍ୟପୂର୍ଣ୍ଣ। ଯେଉଁ ସମୟରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ସହରରେ ଶାନ୍ତି ଫେରାଇ ଆଣିବା କଥା, ସେହି ସମୟରେ କଂଗ୍ରେସ ଏଭଳି ଅଭିଯୋଗ ଆଣିବା ନିଶ୍ଚିତ ପକ୍ଷେ ନିନ୍ଦନୀୟ। ହିଂସାକୁ ନେଇ ରାଜନୀତି କରିବା ନିଶ୍ଚିତ ପକ୍ଷେ ଭୁଲ। ବାଲାକୋଟ ଷ୍ଟ୍ରାଇକ ସମୟରେ ମଧ୍ୟ ଏହିଭଳି ପ୍ରଶ୍ନ ଉଠାଇଥିଲା କଂଗ୍ରେସ ବୋଲି ଜାଭଡ଼େକର କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ଗୃହମନ୍ତ୍ରୀ ଅମିତ ଶାହା କେଉଁଠାରେ ଅଛନ୍ତି ବୋଲି ସୋନିଆ ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଜାଭଡ଼େକର କହିଥିଲେ କି, ସେ ଗତକାଲି ବୈଠକ କରିଥିଲେ। ଏପରିକି ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ସେ ୩ ଥର ବୈଠକ କରିସାରିଛନ୍ତି। ଏହି ବୈଠକରେ କଂଗ୍ରେସ ନେତା ମଧ୍ୟ ସାମିଲ ଥିଲେ ବୋଲି ସେ କହିଥିଲେ। 

ଜାଭଡ଼େକର ଆହୁରି ମଧ୍ୟ କହିଥିଲେ କି, ସହରରେ ହିଂସା କିପରି ସମୂଳେ ମୂଳପୋଛ ହେବ, ସେ ନେଇ ମିଳିତ ଭାବେ ସମସ୍ତ ରାଜନୈତିକ ଦଳ କାର୍ଯ୍ୟ କରିବାର ଆବଶ୍ୟକ ରହିଛି। ଏହା ଉପରେ ଆମେମାନେ ଚର୍ଚ୍ଚା କରିବାର ଆବଶ୍ୟକ ରହିଛି। ସେଥିପାଇଁ ସଂସଦ ରହିଛି। ମାତ୍ର ଏହି ସମୟରେ ତାହାକୁ ନେଇ ରାଜନୀତି ନ କରାଯାଉ ବୋଲି ସେ କହିଥିଲେ। 

ସେହିପରି ରବିଶଙ୍କର ପ୍ରସାଦ ମଧ୍ୟ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କି, ଦିଲ୍ଲୀ ହିଂସା ଉପରେ କଂଗ୍ରେସ ରାଜନୀତି କରୁଛି। ପରିବାରର ମୋହ ଆଗରେ କିଛି ଦେଖାଯାଉନାହିଁ। ରାହୁଲ ଗାନ୍ଧୀଙ୍କୁ ସମ୍ପୂର୍ଣ୍ଣ ଭାବେ ଦ୍ୱିତୀୟ ଲାଇନରେ ବସାଇ ଦିଆଯାଇଛି। ଏହାକୁ ନେଇ କଂଗ୍ରେସ ହୋ ହଲ୍ଲା ସୃଷ୍ଟି କରୁଛି। କଂଗ୍ରେସ ପାଇଁ ପରିବାର ସହିତ ଦେଶର ହିତ ସାଧନ ଅତ୍ୟନ୍ତ ନିମ୍ନ। ଏହାକୁ ନେଇ କଂଗ୍ରେସ ରାଜନୀତି ବନ୍ଦ କରୁ ବୋଲି ସେ କହିଥିଲେ।