ରଙ୍ଗ ଆଣିଲା ଝଡ ପୂର୍ବର ନିରବତା

ନେପଥ୍ୟ ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ୍, ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ

ରଙ୍ଗ ଆଣିଲା ଝଡ ପୂର୍ବର ନିରବତା
file photo

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଆଜ୍ଞା ହଁ, ଆଜି ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯାହା ଘଟିଛି, ତାକୁ ଏହି ଶବ୍ଦରେ ହିଁ ବୟାନ କରାଯାଇ ପାରିବ । ଦୀର୍ଘଦିନରୁ ରାଜ୍ୟରେ ସରକାର ଗଠନ ପାଇଁ ଶିବସେନା-କଂଗ୍ରେସ-ଏନସିପିର ଉଦ୍ୟମ ଫସର ଫାଟିଯାଇଛି । ଶେଷ ପର୍ଯ୍ୟନ୍ତ ନିରବ ରହି ଘଟଣା ଉପରେ ତୀକ୍ଷଣ ନଜର ରଖିଥିବା ବିଜେପିର ଏହା ଥିଲା ଝଡ ପୂର୍ବର ନିରବତା । ଏହାପରେ ଦଳର ଚାଣକ୍ୟ ଅମିତ ଶାହଙ୍କ ମାଷ୍ଟର ଷ୍ଟ୍ରୋକରେ ଶିବସେନା-କଂଗ୍ରେସ-ଏନସିପିର ପ୍ରସ୍ତାବିତ ମେଣ୍ଟ ମାଟି କାମୁଡି ପଡିଛି । ଅନ୍ୟପଟେ ରାତିରେ ବାସନ୍ତୀ ଦିନରେ ବସନ୍ତ ପରି ଏନସିପିର ପରିବର୍ତ୍ତିତ ଆଭିମୁଖ୍ୟ ପଛରେ କାହାର ଉଦ୍ୟମ କାମ କରିଛି ଏକଥା ଆଉ କାହାରିକୁ ଅଛପା ନୁହେଁ । 
ବିଜେପି ପଟକୁ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର ୨୨ ଜଣ ବିଧାୟକ ଢଳିବା ପରେ ତୁରନ୍ତ ସରକାର ଗଠନ ପାଇଁ ଦାବି ରଖିଥିଲା ପଦ୍ମଦଳ । ସେପଟେ ଅଜିତ ପାୱାର ମଧ୍ୟ ମହାରାଷ୍ଟ୍ରରେ ଚାଷୀ ସମସ୍ୟା ପରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ସରକାର ଗଠନରେ ଅଧିକ ବିଳମ୍ବ ବରଦାସ୍ତ କରାଯିବା ସପକ୍ଷରେ ନ ଥିବା କହିଛନ୍ତି । ତେବେ ପୁତୁରା ଅଜିତ ପାୱାର ନେଇଥିବା ନିଷ୍ପତ୍ତି ଦଳର ନୁହେଁ, ତାଙ୍କ ବ୍ୟକ୍ତିଗତ ବୋଲି ସ୍ପଷ୍ଟ କରିଛନ୍ତି ଏନସିପି ମୁଖିଆ ଶରଦ ପାୱାର । ତେବେ ଉପଯୁକ୍ତ ବିଧାୟକଙ୍କ ସମର୍ଥନ ବିନା ତାଙ୍କର ଏ ଉକ୍ତି ଦନ୍ତହୀନ ବ୍ୟାଘ୍ରର ଗର୍ଜନ ପରି, ଯାହାର କିଛି ମୂଲ୍ୟ ହିଁ ନାହିଁ । କଂଗ୍ରେସ ଓ ଶିବସେନାଙ୍କ 'ପଛରୁ ଛୁରୀ ମାରିଲ' ପରି କଥାକୁ କାଟିବାକୁ ହିଁ ଉଦ୍ଦିଷ୍ଟ । ଯଦି ଅଜିତ ପାୱାର ( ଯିଏ ଘଟଣାକ୍ରମରେ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ)ଙ୍କ ପଦକ୍ଷେପକୁ ଦେଖାଯାଏ, ତେବେ ଦୁଇଟି କଥା ଦ୍ରଷ୍ଟବ୍ୟ । ପ୍ରଥମ, ଶରଦ ପାୱାରଙ୍କର ଦଳ ଉପରେ ଆଉ କର୍ତ୍ତୃତ୍ୱ ନାହିଁ । ଦ୍ୱିତୀୟ, ଦଳରେ ବିଭାଜନ ସୃଷ୍ଟିକରି କ୍ଷମତା ହାତେଇଥିବା ଅଜିତ ପାୱାର ଲମ୍ବା ରେସର ଘୋଡା । ଏସବୁ ଭିତରେ ଯାହାର ସବୁଠୁ ବେଶି କ୍ଷତି ହେଲା, ସିଏ ଶିବସେନା ।

 କାରଣ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ କହିବା କଥା, ରାଜ୍ୟବାସୀ ମେଣ୍ଟକୁ ସ୍ପଷ୍ଟ ଜନାଦେଶ ଦେଇଥିଲେ । କିନ୍ତୁ ଶିବସେନା ଏହାକୁ ଅବଜ୍ଞା କଲା । ତେବେ ୩ ଦଳର ସମଷ୍ଟିରେ ସରକାର ଗଠନ ସ୍ୱପ୍ନ ଦେଖୁଥିବା ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଓ କଂଗ୍ରେସର ସଞ୍ଜୟ ନିରୁପମ କାଲି ନିଜ ଦଳରେ କେମିତି ମୁହଁ ଦେଖାଇବେ, ତାହା ବଡ ପ୍ରଶ୍ନ । କାଲି ଶରଦ ନିବାସରେ ଅମାବାସ୍ୟାର ଅନ୍ଧାର ରାଜ୍ କରିବାକୁ ଥିବାବେଳେ ମାତୋଶ୍ରୀରେ ବି ମାତମ୍ ଛାଇଯିବ ।