ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ରାଜରାସ୍ତାରୁ ସଂସଦ, ସବୁଠି କଡା କାର୍ଯ୍ୟନୁଷ୍ଠାନ ନେଇ ସ୍ୱର ଉତ୍ତୋଳନ ହେଉଛି । ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଉପରେ ଅନେକ ମତ ରଖୁଛନ୍ତି । ତେବେ ଏହାରି ଭିତରେ ବିଜେପି ସାଂସଦ ହେମାମାଳିନୀଙ୍କ ପାଖରୁ ଆସିଛି ଭିନ୍ନ ଏକ ପ୍ରତିକ୍ରିୟା ।
ମଥୁରା ସାଂସଦ ହେମାମାଳିନୀ କହିଛନ୍ତି, ବାରମ୍ବାର ଏ ପ୍ରକାର ଘଟଣା ଘଟୁଛି । ଏଭଳି ଘଟଣାରେ ଅପରାଧିଙ୍କୁ ଆଜୀବନ ଜେଲ ଦଣ୍ଡ ହେବା କଥା । ଥରେ ସେମାନେ ଜେଲ ଗଲେ, ଜୀବନ ସାରା ଭିତରେ ହିଁ ରୁହନ୍ତୁ । ମୃତ୍ୟୁ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ମଧ୍ୟ ଜାମିନ ନମିଳୁ । ଏପରି ହେଲେ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ରୋକ୍ ଲାଗିବ ବୋଲି କହିଛନ୍ତି ହେମାମାଳିନୀ ।
BJP MP from Mathura, Hema Malini on rape & murder of woman veterinarian in Telangana: Everyday we are hearing these things happening to women, women being harassed. My suggestion is to keep the culprits in jail permanently, once they go in jail they should not be released at all. pic.twitter.com/WvonagkXhk
— ANI (@ANI) December 3, 2019
ସେପଟେ ସୋମବାର ସାଂସଦ ଜୟା ବଚନ ଏହି ଘଟଣାକୁ ନେଇ ସଂସଦରେ ତୀବ୍ର ଉଦବେଗ ପ୍ରକାଶ କରିଥିଲେ । ଏଭଳି ଘଟଣାରେ ଅଭିଯୁକ୍ତଙ୍କୁ ସାଧାରଣରେ ଛାଡି ଦେବାକୁ ମତ ରଖିଥିଲେ ଜୟା ବଚନ । ତାଙ୍କ କହିବା କଥା ହେଲା, ଜନ ସାଧାରଣ ହିଁ ଏ ପ୍ରକାର ନର ରାକ୍ଷାସଙ୍କୁ ପିଟି ପିଟି ମାରନ୍ତୁ । ଏହା ହିଁ ଦୁଷ୍କର୍ମକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ ଜୟା ।
ସାତ ବର୍ଷ ତଳେ ଗଣଦୁଷ୍କର୍ମର ଶୀକାର ହୋଇଥିବା ନିର୍ଭୟାଙ୍କ ମା' ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ । ନ୍ୟାୟ ପାଇଁ ତାଙ୍କୁ କେତେ କ'ଣ କରିବାକୁ ନପଡିଛି, ଏକ ସାକ୍ଷାତକାରରେ ବଖାଣିଥିଲେ ସେ । ୨୦୧୨ ମସିହାରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ସେବେଠୁ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢିଚାଲିଛନ୍ତି ନିର୍ଭୟାଙ୍କ ପରିବାର । ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ବି ହୋଇଛି । ମାତ୍ର ନିର୍ଭୟାଙ୍କ ମା' ବଖାଣିଛନ୍ତି ଆମ ମନ୍ଥର ନ୍ୟାୟ ବ୍ୟବସ୍ଥାର ଅସଲ କାହାଣୀ ।
ଯେତେବେଳେ ହାଇଦ୍ରାବାଦ ମହିଳା ଡାକ୍ତର ଦିଶା(ଛଦ୍ମନାମ)ଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଏବେ ସାରା ଆଲୋଡନ ସୃଷ୍ଟି କରିଛି, ଠିକ୍ ସେତେବେଳେ ଆସିଛି ନିର୍ଭୟାଙ୍କ ମା'ଙ୍କ ପ୍ରତିକ୍ରିୟା । ଏହି ଘଟଣାକୁ ନେଇ ସେ କହିଛନ୍ତି, ''ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଫାଶୀ ମିଳିବା ଦରକାର । ଦିଶାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳୁ । ଆମ ଭଳି ସେମାନେ ୭ ବର୍ଷ ଧରି କୋର୍ଟ କଟେରି ଚକ୍କର ନ କାଟନ୍ତୁ । ଏପରିକି ବାରମ୍ଭାର କାହିଁକି ଏ ପ୍ରକାର ଘଟଣା ଘଟୁଛି, ପ୍ରଶାସନ ସେ ଉପରେ ଚିନ୍ତା କରିବା ଦରକାର । ''
ଆହୁରି ପଢନ୍ତୁ: ବାହାଘରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ ! ପୀଡିତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଭେଟିନାହାଁନ୍ତି KCR