ସରକାର ଭାଙ୍ଗିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ !
Advertisement

ସରକାର ଭାଙ୍ଗିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ !

କଂଗ୍ରେସର ସମସ୍ତ ବିଦ୍ରୋହୀ ବିଧାୟକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏହି ବିଧାୟକମାନେ ଯେପରି କୌଣସି ପରିସ୍ଥିତିରେ ମଧ୍ୟ ସରକାର ଆଡ଼କୁ ଢଳି ନ ଯାଆନ୍ତି, ସେନେଇ ଗୁରୁତ୍ୱାରୋପ କରାଯାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ସରିବ ମଧ୍ୟପ୍ରଦେଶ ସରକାରଙ୍କ ଆୟୁଷ ! କମଲନାଥ ସରକାରଙ୍କୁ ଭାଙ୍ଗିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ରବିବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ବାସଭବନରେ ହୋଇଛି ମାନସ ମନ୍ଥନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇତ୍ୟାଦି ନେତା ଏକାଠି ହୋଇ ବିଚାର ବିମର୍ଶ କରିଛନ୍ତି । ଏପରିକି  ଆଇନ ପ୍ରକ୍ରିୟା ଉପରେ ସଲିସିଟର ଜେନେରାଲଙ୍କ ଠାରୁ ପରାମର୍ଶ ମଧ୍ୟ ନିଆଯାଇଛି । 

କଂଗ୍ରେସର ସମସ୍ତ ବିଦ୍ରୋହୀ ବିଧାୟକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏହି ବିଧାୟକମାନେ ଯେପରି କୌଣସି ପରିସ୍ଥିତିରେ ମଧ୍ୟ ସରକାର ଆଡ଼କୁ ଢଳି ନ ଯାଆନ୍ତି, ସେନେଇ ଗୁରୁତ୍ୱାରୋପ କରାଯାଇଛି । ଯଦି କମଲନାଥ ସରକାର ଫ୍ଲୋର ଟେଷ୍ଟ କରିବାକୁ ମନାକରନ୍ତି, ତେବେ ଅନ୍ୟ ବିକଳ୍ପ କ'ଣ ହୋଇପାରେ,  ସେନେଇ ମଧ୍ୟ ଆଲୋଚନା ହୋଇଛି । ସୂତ୍ର ଅନୁସାରେ, ସରକାର ଫ୍ଲୋର ଟେଷ୍ଟ ପାଇଁ ରାଜି ନହେଲେ ବିଜେପି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବ ।  ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରିବ ଗେରୁଆ ଦଳ । 

ଫ୍ଲୋର ଟେଷ୍ଟ ପୂର୍ବରୁ ଦଳୀୟ ଏବଂ ବିଦ୍ରୋହୀ କଂଗ୍ରେସ ବିଧାୟକ ଯେପରି କୌଣସି ଚାପର ବଶବର୍ତ୍ତି ନହୁଅନ୍ତି, ସେନେଇ ମଧ୍ୟ ଆଲୋଚନା ହୋଇଛି । ବିଧାୟକଙ୍କ ଜଗିବା ପାଇଁ ଦଳ ପକ୍ଷରୁ  କିଛି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । କଂଗ୍ରେସର ବିଦ୍ରୋଦୀ ବିଧାୟକଙ୍କୁ ସମ୍ଭାଳିବା ଦାୟିତ୍ୱ ଜ୍ୟୋତିରାଦିତ୍ୟ ସିନ୍ଧିଆ ନେଇଛନ୍ତି । ସେହିପରି ବିଜେପି ବିଧାୟକଙ୍କ ଦାୟିତ୍ୱ ଦଳର କିଛି ବରିଷ୍ଠ ନେତାଙ୍କୁ ଦିଆଯାଇଛି । 

ସେହିପରି ସ୍ୱାଧୀନ ବିଧାୟକଙ୍କ ସହ ସମ୍ପର୍କ ରଖିବା ସ୍ୱତନ୍ତ୍ର ଭାବେ ଦୁଇ ନେତା ଦାୟିତ୍ୱ ନେଇଛନ୍ତି । ଆଜି ମଧ୍ୟପ୍ରଦେଶ ବିଧାନସଭାରେ ପ୍ରଥମେ ରାଜ୍ୟପାଳ ଅଭିଭାଷଣ ରଖିବେ । ପରେ ଫ୍ଲୋର ଟେଷ୍ଟ ତୁରନ୍ତ କରିବାକୁ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅବଶ୍ୟ ଏହାକୁ ବାଚସ୍ପତି  ପାଳନ କରୁଛନ୍ତି ନା ନାହିଁ, ତାହା ମଧ୍ୟ ଏବେ ସନ୍ଦେହରେ । କାହିଁକିନା ଫ୍ଲୋର ଟେଷ୍ଟକୁ କିପରି ଘୁଞ୍ଚାଇହୁଏ, ଆମେ କର୍ଣ୍ଣାଟକରେ ଦେଖିସାରିଛୁ । 

ଆହୁରି ପଢ଼ନ୍ତୁ; କମଳନାଥଙ୍କ ନୂଆ ଚାଲ, ଭାଙ୍ଗିବନି ସରକାର !