close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶକ୍ତି ଯୋଗାଇବେ ସ୍ୱାଧୀନ ବିଧାୟକ ! ଗୋଟାଇବାରେ ବ୍ୟସ୍ତ ବିଜେପି-ଶିବସେନା

ବିଜେପିକୁ ସମର୍ଥନ ଘୋଷଣା କଲେ ୩ ସ୍ୱାଧୀନ ବିଧାୟକ . 

ଶକ୍ତି ଯୋଗାଇବେ ସ୍ୱାଧୀନ ବିଧାୟକ ! ଗୋଟାଇବାରେ ବ୍ୟସ୍ତ ବିଜେପି-ଶିବସେନା
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଯଦିଓ ସ୍ୱାଧୀନ ବିଧାୟକଙ୍କ ଭୂମିକା ସେତେ ବେଶି ରହିବ ନାହିଁ, ହେଲେ କ୍ଷମତାର ଲଢେଇ ପାଇଁ ଶକ୍ତି ଯୋଗାଇବ  ନିଶ୍ଚୟ । ବୋଧେ ଏକଥାକୁ ବେଶ ଭଲ ଭାବରେ ବୁଝିଛନ୍ତି ଉଭୟ ବିଜେପି ଓ ଶିବସେନା । ଯେଉଁଥିପାଇଁ ତ ଏବେ ସ୍ୱାଧୀନ ଏବଂ ଛୋଟ ଦଳର ବିଧାୟକଙ୍କୁ ଯୋଗାଡ କରିବାରେ ଲାଗିପଡିଛନ୍ତି । 

ଯେତେବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ବିଜେପି ଓ ଶିବସେନା ମେଣ୍ଟ ଭାଙ୍ଗିଯିବା ସ୍ଥିତିରେ, ଠିକ ସେତିକି ବେଳେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଯୋଗାଡ କରୁଛନ୍ତି ଉଭୟ ଦଳ । ଆଉ ନିଜ ନିଜର ସଂଖ୍ୟା ବଢାଇବାରେ ଲାଗିପଡିଛନ୍ତି । ରବିବାର ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି ୩ ସ୍ୱାଧୀନ ବିଧାୟକ । ପୂର୍ବରୁ ଶିବସେନାକୁ ବି ସମର୍ଥନ ନେଇ ଘୋଷଣା କରିଥିଲେ ୨ ବିଧାୟକ । 

ବିଜେପିକୁ ସମର୍ଥନ ନେଇ ଘୋଷଣା କରିଥିବା ଏହି ୩ ବିଧାୟକ ହେଲେ ଗୀତା ଜୌନ, ରାଜେନ୍ଦ୍ର ରାଉତ ଏବଂ ରବି ରାଣା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ସାକ୍ଷାତ ପରେ ସମର୍ଥନ ଘୋଷଣା କରିଥିଲେ ଗୀତା ଏବଂ ରାଜେନ୍ଦ୍ର । ଅନ୍ୟପଟେ ଚିଠି ମାଧ୍ୟମରେ ସମର୍ଥନ ଜଣାଇଛନ୍ତି ରାଣା । 

ଶନିବାର ପିଜେପିର ଦୁଇ ବିଧାୟକ ଶିବସେନାରେ ସାମିଲ ହୋଇଥିଲେ । ଏମାନେ ହେଲେ ଅଚଲପୁର ବିଧାୟକ ବଚ୍ଚୁ କଡୁ ଏବଂ ମେଲଘାଟ ବିଧାୟକ ରାଜକୁମାର ପଟେଲ । ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରି ଶିବସେନା ପ୍ରତି ନିଜ ସମର୍ଥନ ଜଣାଇଛନ୍ତି ଉଭୟେ । ଉଭୟ ବିଧାୟକଙ୍କ ସମର୍ଥନ ଦଳ ପାଇଁ ଗୁରୁତ୍ୱବହନ କରୁଛି । ଯଦିଓ ସରକାର ଗଠନ ପାଇଁ ଏହି ସମର୍ଥନର ଗୁରୁତ୍ୱ ନାହିଁ, ତଥାପି ମଧ୍ୟ ବିଜେପି ସହ ୫୦/୫୦ ଫର୍ମୁଲାରେ ଅଡି ବସିଥିବା ଶିବସେନାକୁ ବଳ ଯୋଗାଇଛି । 

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ବିଜେପି ଠାରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଛି । ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଆଉ ଏହାରି ଭିତରେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଏକ ଭିନ୍ନଦିଗକୁ ମୁହାଁଉଥିବା କୁହାଯାଉଛି ।