ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା
Advertisement

ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ହିଂସା  ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଅଭିଯୋଗ 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥମିବାର ନାଁ ଧରୁନି ରାଜନୈତିକ ହିଂସା । ବିଭିନ୍ନ ସମୟରେ ମୁହାଁମୁହିଁ ହେଉଛନ୍ତି ବିଜେପି ଏବଂ ଟିଏମସି । ରବିବାର ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ଘଟଣାକୁ ନେଇ ଟିଏମସିକୁ ଦାୟୀ କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ଅଭିଯୋଗକୁ ଭିତ୍ତିହୀନ କହିଛି ଟିଏମସି । 

ସୂଚନା ମୁତାବକ, ହୁଗଳୀ ଜିଲ୍ଲାର ଆରାମବାଗରେ ଘଟିଛି ଏହି ଘଟଣା । ସ୍ଥାନୀୟ ବିଜେପି ନେତା ଶେଖ ଆମିର ଖାନଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି । ଟିଏମସି କାର୍ଯ୍ୟକର୍ତ୍ତା ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଆମିରଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ଥାନୀୟ ଏସଡିପିଓଙ୍କ କାର୍ଯ୍ୟାଳୟ ପାଖରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ଦୁଇ ମହିଳାଙ୍କୁ ଗିରଫ କରାଯାଇଛି । କିଏ ଏବଂ କାହିଁକି ଆମିରଙ୍କୁ ହତ୍ୟା କଲେ, ତାର ତଦନ୍ତ ଚାଲିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଆମିରଙ୍କୁ ହତ୍ୟା କରାଯାଇଥିବା ବିଜେପି ଅଭିଯୋଗ ଆଣିଛି । ଆଉ ଏଥିରେ ଟିଏମସିର ହାତ ଥିବା କହିଛି । 

ଅନ୍ୟପଟେ ସ୍ଥାନୀୟ ଟିଏମସି ନେତାଙ୍କ କହିବା କଥା ହେଲା, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଟିଏମସି ନେତାଙ୍କ ଉପରେ ବିଜେପି କାର୍ଯ୍ୟକର୍ତ୍ତା ହମଲା କରୁଛନ୍ତି । ହେଲେ ଓଲଟା ଟିଏମସି ନାଁରେ ଅଠା ବଳୁଥିବା ସେ କହିଛନ୍ତି ।