ଜାଡ଼ରେ ବାଲିସେକ

ଏନସିପିକୁ ପ୍ରଶଂସା, ଶିବସେନାର ଈର୍ଷା

ଜାଡ଼ରେ ବାଲିସେକ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର:  ଓଡ଼ିଆରେ ଗୋଟେ ଢଗ ଅଛି । କଥା କେଉଁ ମାରଗକୁ ଯାଉଛି, ଖଜୁରୀ ଗଛକୁ ଚଡ଼କ ମାଇଲେ ତାଳ ଗଛ ପୋଡ଼ି ଯାଉଛି । ରାଜ୍ୟସଭାର ୨୫୦ ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ସମ୍ୱୋଧିତ କରିଥିଲେ । ସମ୍ୱୋଧନ କଲାବେଳେ ମୋଦି ଅନେକ ପ୍ରସଙ୍ଗ ଉଠାଇ ଥିଲେ । କିଛି ଦେଶ ବିଷୟରେ ଥିଲା, ଆଉ କିଛି ବିଷୟ ବିରୋଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କଲା ଭଳି । ଏହାରି ଭିତରେ ମଉକା ଦେଖି ଛକା ମାରିଲା ଭଳି ବିଜେଡି ଓ ଏନସିପିକୁ ପ୍ରଶଂସା ବି କରିଥିଲେ । ପ୍ରଶଂସା କରିବା ତ ଠିକ୍, କିନ୍ତୁ ପ୍ରଧାନମନ୍ତ୍ରୀ ଯେଉଁ ସମୟରେ ପ୍ରଶଂସା କରିଛନ୍ତି, ସେଇଟା 'ଜାଡ଼ରେ ବାଲିସେକ' ଦେବା ପରି କଥା । ମହାରାଷ୍ଟ୍ରରେ ଯେଉଁ ଅସମାପ୍ତ ନାଟକ ଚାଲିଛି, ସେଥିରେ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟ ବିଜେପି ଭଳି ଗୋଟିଏ ଗୋଟିଏ ଚରିତ୍ର। ରାଷ୍ଟ୍ରପତି ଶାସନ ଲାଗୁ ହେଲା ପରେ ଏବେ ସରକାର ଗଠନ କରିବେ ବୋଲି କଂଗ୍ରେସ-ଏନିସିପି ଓ ଶିବସେନା ଗଣିତ କଷୁଛନ୍ତି । ଘନ ଘନ ବୈଠକ ମଧ୍ୟ ତିନି ଦଳ ମଧ୍ୟରେ ବସୁଛି । କିନ୍ତୁ ଏଯାଏ କିଛି ନିଷ୍କର୍ଷ ବାହାରି ପାରିନି । ତେଣୁ, ଏହି ସମୟରେ ଏନସିପିକୁ ପ୍ରଶଂସା କରି ମୋଦି ଶିବସେନାର ଘା'କୁ ଆହୁରି କ୍ଷତାକ୍ତ କରି ଦେଇଛନ୍ତି । ଏନସିପିକୁ ସିନା ପ୍ରଧାନମନ୍ତ୍ରୀ ପ୍ରଶଂସା କଲେ,କିନ୍ତୁ ରାଗରେ ରକ୍ତ ଚାଉଳ ଚୋବାଉଛି ଶିବସେନା।

ଏନଡିଏ ସହଯୋଗୀ ଦଳ ଭାବେ ଏତେ ବର୍ଷ ଧରି ଯେଉଁ ଦଳ ସଂସଦରେ ରହି ଆସୁଥିଲା, ଆଜି ସଉତୁଣୀ ଭାବେ ଅଲଗା ବସିଥିଲା । କିନ୍ତୁ ରାଜନୈତିକ ପାଣିପାଗ ଯେ କେତେବେଳେ କ'ଣ ହେବ ତାହା କହିବା ମୁସ୍କିଲ । ବର୍ତ୍ତମାନ ବିଜେପି ନାଁ ଶୁଣିଲେ ନାହି ଡେଉଁଥିବା ଶିବସେନା ଯେ ସମୟ ଦେଖି ପୁଣି ବସାକୁ ଫେରି ନ ଆସିବ, ତାହା କିଏ କହିବ,କାରଣ ରାଜନୀତିରେ କେହି ଶତ୍ରୁ ନୁହନ୍ତି କି କେହି ମିତ୍ର ନୁହନ୍ତି 

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ବି ଏଯାଏ ସରକାର ଗଠନ ନେଇ କୌଣସି ସମାଧାନ ବାହାରିନି । ଏନସିପି-କଂଗ୍ରେସ ଓ ଶିବସେନା ମିଳିତ ସରକାର ଗଠନ ନେଇ ପୂରା କାହାଣୀ ଲେଖି ସାରିଛନ୍ତି । କିନ୍ତୁ ଏଯାଏ ମଞ୍ଚସ୍ଥ କରିନାହାନ୍ତି । ସେପଟେ କଳେବଳେ କୌଶଳେ ବିଜେପି ସରକାର ଗଠନ କରିବାକୁ ଆପ୍ରାଣ ଉଦ୍ୟମ କରୁଛି । ଶିବସେନା ଯେତେ ରାଗିଲେ ବି ବିଜେପି କିନ୍ତୁ ତାକୁ ଛାଡ଼ୁନି । କାରଣ ପାଗ ଦେଖି ଅଣ୍ଟା ଭିଡ଼ିବାରେ ବିଜେପି ମାହିର୍ ।

ଏବେ ବି ଶିବସେନାକୁ ମନେଇବାକୁ ବିଜେପି ଗୋଟିଏ ପରେ ଗୋଟିଏ ଅଫର୍ ଦେଇ ଚାଲିଛି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ପୁଣି ଥରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସରକାର ଗଠନ ନେଇ ଅଫର୍ ଦେଇଛନ୍ତି । ଏଥର କିନ୍ତୁ ୩ ଅନୁପାତ ୨ ଅଫର୍ । ଅର୍ଥାତ୍ ବିଜେପିର ୩ ବର୍ଷ ମୁଖ୍ୟମନ୍ତ୍ରୀ ଏବଂ ଶିବସେନାର ୨ ବର୍ଷ ମୁଖ୍ୟମନ୍ତ୍ରୀ । ଅଠାୱଲେଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନଥିଲେ ବି ରାଉତ ଏଦିଗରେ ବିଚାର କରାଯିବ ବୋଲି କହିଛନ୍ତି । ତେଣୁ, ଏବେକାର ପାଣିପାଗକୁ ଦେଖିଲେ, ଅନୁମାନ କରାଯାଇ ପାରେ, ଯେକୌଣସି ମୁହୂର୍ତ୍ତରେ ମହାରାଷ୍ଟ୍ର ରାଜନୀତିରେ କିଛି ବି ହୋଇପାରେ । କାରଣ ଅତୀତରେ ବିଜେପିର ଡିଲ୍ ବିଷୟରେ କାହାକୁ ଅଛପା ନାହିଁ । ଏକରେ ତ ଶିବସେନା ପଦବୀକୁ ନେଇ ଲାଳାୟିତ ଅଛି । ସେପଟେ କଂଗ୍ରେସ ଓ ଏନସିପି ମଧ୍ୟ ଭିତିରିଆ ଭାବେ ଅନେକ ସର୍ତ୍ତ ରଖିଥିବେ । ରାଜନୀତି ଗଣିତ ଯାହା କହୁଛି, ସମୟ ଦେଖି ଉଭୟ କଂଗ୍ରେସ ଓ ଏନସିପି ନିଜ ନିଜର ମୁଖ୍ୟମନ୍ତ୍ରୀ ପଦ ନେଇ ବି ଶିବସେନା ଆଗରେ ଅଫର୍ ରଖିପାରନ୍ତି । ତେଣୁ, ଅଢ଼େଇ ବର୍ଷ ନ ହେଲେ ନାହିଁ, ଦୁଇ ବର୍ଷ ହେଉ ପଛେ ଠାକରେ ଯୁବରାଜ ମୁଖ୍ୟମନ୍ତ୍ରୀ ହେଲେ ଶିବସେନାର ରାଗ ଶାନ୍ତ ହୋଇଯିବ ଏବଂ ବିଜେପି ମଧ୍ୟ ନିଜ ଇଜ୍ଜତ ବଞ୍ଚାଇ ପାରିବ । ମଣିପୁର ଓ ଗୋଆରେ ବିଜେପି ଯେମିତି ସରକାର ଗଠନ କରିଥିଲା, ମହାରାଷ୍ଟ୍ରରେ ଯଦି ସରକାର ଗଠନ କରି ନପାରେ ତେବେ ଦଳର ଚାଣକ୍ୟ ଅମିତ ଶାହ ଏବଂ ସର୍ବୋପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଜ୍ଜତ ଉପରେ ସବାଲ୍ ଉଠିପାରେ ।

ସାଧାରଣ ନିର୍ବାଚନ ପରେ ବିଜେଡି ପ୍ରତି ବିଜେପିର ନରମ ମନୋଭାବ ସମସ୍ତେ ଜାଣିଛନ୍ତି ।  ବିଭିନ୍ନ ବିଲ ପାରିତ ସମୟରେ ବିଜେପିକୁ ସମର୍ଥନ କରିବା, ନିର୍ବାଚନ ପରେ ଦୁଇ ଦଳ ପରସ୍ପର ପ୍ରତି ନରମ ମନୋଭାବ ଦେଖାଇବା ଇତ୍ୟାଦି ସମସ୍ତଙ୍କୁ ଆଉ ଅଛପା ନାହିଁ । କିନ୍ତୁ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚାଲିଥିବା ସମୟରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦି ଏନସିପିକୁ ପ୍ରଶଂସା କରିବା ଯେ କେବଳ ଶିବସେନାକୁ ଜଳାଇବା ପାଇଁ ହିଁ ଉଦ୍ଦିଷ୍ଟ, ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।