ସ୍ତବ୍ଧ ତାମିଲନାଡୁ, ବୋରୱେଲ ଭିତରେ ଫସିଥିବା ସୁଜିତର ମୃତ୍ୟୁ
Advertisement

ସ୍ତବ୍ଧ ତାମିଲନାଡୁ, ବୋରୱେଲ ଭିତରେ ଫସିଥିବା ସୁଜିତର ମୃତ୍ୟୁ

ଆଉ ନାହିଁ ସୁଜିତ...ବୋରୱେଲ ଭିତରେ ହିଁ ଏହି ୨ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି...ସ୍ତବ୍ଧ ତାମିଲନାଡୁ...ସ୍ତମ୍ଭ ଏ ଖବର ଉପରେ ନଜର ରଖିଥିବା ପ୍ରତିଟି ବ୍ୟକ୍ତି ବିଶେଷ...

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଶା ଥିଲା ସୁଜିତର ସୁରକ୍ଷିତ ଭାବରେ ଉଦ୍ଧାର ହେବ । ପୁଣି ଗାଁ ଦାଣ୍ଡରେ ଖେଳିବ, ନାଚିବ ଆଉ କୁଦିବ . ପୂର୍ବରୁ ଏମିତି କିଛି ଘଟଣାରେ ଉଦ୍ଧାରକାରୀ ଦଳ ସଫଳ ବି ହୋଇଥିଲେ । ଯାହାକି ପରିବାର ବର୍ଗଙ୍କୁ ଆଶ୍ୱସନା ଦେଉଥିଲା । ଦୀର୍ଘ ୪ ଦିନର ଅପରେସନ । ୧୦୦ ଫୁଟ ବୋରୱେଲ ଭିତରେ ଫସି ରହିଥିବା ୨ ବର୍ଷୀୟ ଶିଶୁ ସୁଜିତକୁ ଜୀବତ ଅବସ୍ଥାରେ ଉଦ୍ଧାର ପାଇଁ ଦିନ ରାତି ଏକ କରିଦେଇଥିଲେ ଉଦ୍ଧାରକାରୀ ଦଳ । ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ହୋଇଥିଲା । ହେଲେ ସବୁକିଛି ସତ୍ତ୍ୱେ ସୁଜିତକୁ ବଞ୍ଚାଇବା ସମ୍ଭବ ହୋଇନି । 

ମା ଆଖିର ଲୁହ ସୁଖୁନି । ଦୀର୍ଘ ୪ ଦିନ ହେଲା ଦିନ ରାତି ଜାଣି ପାରିନି । ସବୁବେଳେ ଆଖି ସାମ୍ନାରେ ସୁଜିତ । ଆଜି ମା ପାଖକୁ ସୁଜିତ ଫେରିଛି ସତ । ହେଲେ ଜୀବିତ ଅବସ୍ଥାରେ ନୁହେଁ । ପୁରା ଗାଁରେ ଶୋକାକୂଳ ପରିବେଶ । ସ୍ତବ୍ଧ ହୋଇଯାଇଛି ତାମିଲନାଡୁ । ବାହୁନି ବାହୁନି କାନ୍ଦୁଛି ମା । 

ଶୁକ୍ରବାର ସଂନ୍ଧ୍ୟାରେ ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାର ଏକ ଗାଁରେ ୩୦ ମିଟରର ଏକ ବୋରୱେଲ ଭିତରେ ଖସିପଡିଥିଲା ୨ ବର୍ଷର ଶିଶୁ । ନାଁ ସୁଜିତ ୱିଲସନ । ହଠାତ ଏଖବର ସବୁଆଡେ ଖେଳିଗଲା । ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କର ଏବଂ ପର୍ଯ୍ୟଟନ ମନ୍ତ୍ରୀ ବଲ୍ଲାମଣ୍ଡି ନଟରାଜନ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟର ତଦାରଖ କରୁଥିଲେ । 

ଉଦ୍ଧାରକାରୀ ଦଳକୁ ସୁଜିତ ପାଖରେ ପହଞ୍ଚିବା ଏତେ ସମ୍ଭବ ନଥିଲା । କାହିଁକିନା ଶିଶୁଟି ପ୍ରଥମେ ମାତ୍ର ୨୫ ଫୁଟ ଭିତରେ ଲଟକି ରହିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଖସି ଖସି ୧୦୦ ଫୁଟ ଭିତରକୁ ଚାଲିଯାଇଥିଲା । ଦୀର୍ଘ ୪ଦିନର ଅପରେସନ । ସୋମବାର ମଧ୍ୟରାତ୍ରୀରେ ସୁଜିତ ପାଖକୁ ପହଞ୍ଚିଲେ ଉଦ୍ଧାରକାରୀ ଦଳ । ହେଲେ ସେତେବେଳକୁ ଆଉ ନଥିଲା ସୁଜିତଙ୍କ ଜୀବନ । ଦୁର୍ଗନ୍ଧ ବାହାରୁଥିଲା ।  

ଆଜି ସୁଜିତଙ୍କ ମୃତଦେହ ପ୍ରଥମେ ସ୍ଥାନୀୟ ମନପ୍ପାରାଇ ମେଡିକାଲକୁ ନିଆଯାଇଥିଲା । ପରେ ଗାଁକୁ ମୃତଦେହ ଅଣାଯାଇଛି । ମଉଳି ଯାଇଛି ପରିବାରର ସମସ୍ତ ଆଶା । ଭାଙ୍ଗିଯାଇଛି ସବୁ ସ୍ୱପ୍ନ । ଯେଉଁ ଶିଶୁର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅଭିନେତା ରଜନୀକାନ୍ତ ପ୍ରମୁଖ ପ୍ରାର୍ଥନା କରିଥିଲେ, ଶେଷରେ ତାଙ୍କର ମୃତ୍ୟୁ ଖବର ହିଁ ଆସିଲା । ସ୍ତବ୍ଧ ତାମିଲନାଡୁ, ସ୍ତମ୍ଭ ଏ ଖବର ଉପରେ ନଜର ରଖିଥିବା ପ୍ରତିଟି ବ୍ୟକ୍ତି ବିଶେଷ । ଟ୍ୱିଟ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧୀ .