ଶାସ୍ତ୍ରୀଙ୍କୁ କେବେ ବିଦା କରୁଛ, ଦାଦାଙ୍କୁ ପ୍ରଶ୍ନ କଲେ ଏହି ବଲିଉଡ ଅଭିନେତା
Advertisement

ଶାସ୍ତ୍ରୀଙ୍କୁ କେବେ ବିଦା କରୁଛ, ଦାଦାଙ୍କୁ ପ୍ରଶ୍ନ କଲେ ଏହି ବଲିଉଡ ଅଭିନେତା

ଭାରତୀୟ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାଦା କେବେ ନେବେ ବୋଲି ପ୍ରଶ୍ନ କରିଛନ୍ତି ବଳିଉଡ ଷ୍ଟାର । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି । ଆରମ୍ଭ ହୋଇଛି ଦାଦାଙ୍କ ଯୁଗ । ଗାଙ୍ଗୁଲିଙ୍କୁ ନେଇ ଅନେକ କିଛି ଆଶା ରଖିଛନ୍ତି କ୍ରୀଡାପ୍ରେମୀ । ଆଉ ଏହାରି ଭିତରେ ଜଣେ ବଲିଉଡ ଅଭିନେତାଙ୍କ ଟ୍ୱିଟ ଭାଇରାଲ ହୋଇଛି । ଭାରତୀୟ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାଦା କେବେ ନେବେ ବୋଲି ପ୍ରଶ୍ନ କରିଛନ୍ତି ବଳିଉଡ ଷ୍ଟାର । 

ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତା କମାଲ ଆର ଖାନଙ୍କ ପୁଣି ଏକ ଟ୍ୱିଟକୁ ନେଇ ଚର୍ଚ୍ଚା । ନିଜ ଟ୍ୱିଟରେ କମାଲ ସିଧାସଳଖ ଭାରତୀୟ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ରବି ଶାସ୍ତ୍ରୀ ଜଣେ ଦାୟିତ୍ୱହୀନ ବ୍ୟକ୍ତ ଏବଂ ସେ ସବୁବେଳେ ନିଶାରେ ରୁହନ୍ତି ବୋଲି କହିଛନ୍ତି ଏହି ବଲିଉଡ ଅଭିନେତା । ତେଣୁ ତାଙ୍କୁ କେବେ ବାହାର କରାଯିବ ବୋଲି ଗାଙ୍ଗୁଲିଙ୍କୁ ନିଜ ଟ୍ୱିଟରେ ପଚାରିଛନ୍ତି କମାଲ ଆର ଖାନ । ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିବାର ଦିନକ ପୂର୍ବରୁ ଅର୍ଥାତ ମଙ୍ଗଳବାର ଏହି ଟ୍ୱିଟ ସେ କରିଥିଲେ । ଆଉ କମାଲଙ୍କ ଏହି ଟ୍ୱିଟ ଏବେ ଭାଇରାଲ ହେଉଛି । ୟୁଜର୍ସ ବହୁ ପ୍ରତିକ୍ରିୟା ରଖୁଛନ୍ତି । 

ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବସ୍ ହେଲେ ସୌରଭ ଗାଙ୍ଗୁଲି । ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ଅଧିନାୟକ । ଆଜିଠୁ ଆରମ୍ଭ ହୋଇଛି ଦାଦାଙ୍କ ଯୁଗ । ଆଉ ଏହା ପରେ ସୌରଭ ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ସୌରଭ ବିସିସିଆଇର ବସ୍ ହେବା ପରେ ସେ କିଛି ନୂଆ କରିବେ ବୋଲି କମାଲ ମଧ୍ୟ ବିଶ୍ୱାସ ରଖିଛନ୍ତି ।  

ଆଜି ସୌରଭ ଦାୟିତ୍ୱ ନେବା ପରେ ବିସିସିଆଇରେ ନୂଆ ଯୁଗର ଆରମ୍ଭ ହୋଇଛି । ଏହାସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନରେ ପୁନଚ୍ଛେଦ ପଡିଛି । ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ଗାଙ୍ଗୁଲିଙ୍କ ନାମାଙ୍କନ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦାଦାଙ୍କ ଯୁଗ ମାତ୍ର ୯ ମାସ ପର୍ଯ୍ୟନ୍ତ ଚାଲିବ । ଭାରତୀୟ କ୍ରିକେଟଙ୍କୁ ଯେଉଁ ଢଙ୍ଗରେ ସୌରଭ ଦେଖିବାକୁ ଚାହାନ୍ତି, ତାହା ମାତ୍ର ୯ ମାସର ସମୟ ସୀମା ମଧ୍ୟରେ ତାଙ୍କୁ କରିବାକୁ ପଡିବ । କାହିଁକିନା ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । 

ତେବେ ଗାଙ୍ଗୁଲି ବିସିସିଆଇରେ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ସମ୍ପାଦକ ଏବଂ ପରେ ଅଧ୍ୟକ୍ଷ ଭାବେ ଦାୟୁତ୍ୱ ତୁଲାଇ ସାରିଛନ୍ତି । ତେଣୁ ଏଥିରୁ ପାଇଥିବା ଅଭିଜ୍ଞତାକୁ କାମରେ ଲଗାଇ ପାରିବେ ସେ । ଏହାସହ ଭାରତୀୟ କ୍ରିକେଟକୁ ଏକ ଉଚ୍ଚ ସ୍ତରକୁ ନେବେ ବୋଲି ସମସ୍ତେ ଆଶା ରଖିଛନ୍ତି । ମୁମ୍ବାଇରେ ଦାଦା ଭାବରେ ପରିଚିତ ସୌରଭ ଗାଙ୍ଗୁଲି ଆଜି ଦାୟୁତ୍ୱ ଗ୍ରହଣ କରିବା ପରେ କ୍ରୀଡାପ୍ରେମୀଙ୍କ ଭିତରେ ରହିଛି ଭରପୁର ଉତ୍ସାହ । 

ଗାଙ୍ଗୁଲିଙ୍କ ପ୍ରତି କ୍ରୀଡାପ୍ରେମୀଙ୍କ ଭଲପାଇବା କେତେ, ତାହା ଆଜି ସୋସିଆଲ ମିଡିଆ କହୁଛି । ଯେଉଁଠି ଦେଖିଲେ ଦାଦା ହିଁ ଦାଦା । ଟ୍ୱିଟରରେ ଟ୍ରେଣ୍ଡ କରୁଛି କଂଗ୍ରାଜୁଲେସନ ଦାଦା । ଆହୁରି ମଧ୍ୟ ଫେସବୁକ,ହ୍ୱାଟ୍ସଆଫରେ ବି ଦାଦାଙ୍କୁ ନେଇ ଚର୍ଚ୍ଚା ସରଗରମ । ଆଗକୁ ଦାଦା କଣସବୁ ପଦକ୍ଷେପ ନେବେ, ତା ଉପରେ ସମସ୍ତଙ୍କ ନଜର ରହିଛି ।