ମାଓଗଡରେ ଶୁଭିଲା 'ଭାରତ ମାତା କି ଜୟ' ଧ୍ୱନି
Advertisement

ମାଓଗଡରେ ଶୁଭିଲା 'ଭାରତ ମାତା କି ଜୟ' ଧ୍ୱନି

ଲାଲ ବାହିନୀର କଡା ନଜରରୁ ମୁକ୍ତ ହୋଇ ଏହି ହନ୍ତାଳଗୁଡା ଗ୍ରାମରେ ବିଏସଏଫ ପକ୍ଷରୁ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ଯେଉଁମାନେ ଲାଲ ବାହିନୀର ଭୟରେ ପୋଲିସ ଏବଂ ବିଏସଏଫ କୁ ବିରୋଧ କରୁଥିଲେ ଆଜି ସେମାନେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଖୁସି ଅନୁଭବ କରି ବିକାଶର ସ୍ଵପ୍ନ ଦେଖୁଛନ୍ତି । 

  ମାଓଗଡରେ ଶୁଭିଲା 'ଭାରତ ମାତା କି ଜୟ' ଧ୍ୱନି

ଅଶୋକ ମିଶ୍ର, ମାଲକାନଗିରି: ପ୍ରଥମ ଥର ପାଇଁ ନିର୍ଭୟରେ ମାଓଗଡରେ ଶୁଭିଲା ଭାରତ ମାତା କି ଜୟର ଧ୍ୱନି । ନୀଳ ଆକାଶରେ ଫର ଫର ହୋଇ ଉଡିଲା ତିରଙ୍ଗା ପତାକା । ଏ କୌଣସି ସୀମାର କାହାଣୀ ନୁହେଁ  । ଏ ହେଉଛି ମାଓଗଡ ମାଲକାନଗିରି ଜିଲ୍ଲା ହନ୍ତାଳଗୁଡା ଗ୍ରାମର ଚିତ୍ର । ଯେଉଁଠି ଲୋକେ ମାଓ ଶାସନରେ ଚଳୁଥିଲେ , ଯେଉଁଠି ମାଓବାଦୀଙ୍କ ବନ୍ଧୁକ ମୁନରେ ଲୋକେ ସେମାନଙ୍କ କଥାରେ ହଁ ରେ ହଁ ମିଶାଉଥିଲେ, ଆଜି ସେହି ଅଞ୍ଚଳର ଲୋକଙ୍କ ସୁରକ୍ଷା ଏବଂ ସ୍ଵାଧୀନତା ପାଇଁ ସରକାରଙ୍କ ପକ୍ଷରୁ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଆଉ ଏହାପରେ ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ ।

ବିଛିନ୍ନ ଅଞ୍ଚଳ ମାଓଗଡ ରୂପେ ପରିଚିତ ଥିବା ବେଳେ ରାଜ୍ୟସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହାକୁ ସ୍ଵାଭିମାନ ଅଞ୍ଚଳ ରୂପେ ଘୋଷଣା କରିଥିଲେ ରାଜ୍ୟ ମୁଖିଆ । ତେବେ ଏହାପରେ ମଧ୍ୟ ଏହି ସ୍ଵାଭିମାନ ଅଞ୍ଚଳର ଅନେକ ଗ୍ରାମକୁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧା ପହଞ୍ଚି ପାରିନଥିଲା । ଆଉ ଏସବୁ ପଛରେ ଗୋଟିଏ କାରଣ ଥିଲା ଯାହାହେଉଛି ମାଓବାଦ । ମାଓବାଦୀଙ୍କ ଚରାଭୁଇଁ ପାଲଟିଥିବା ଏହି ବିଛିନ୍ନ ଅଞ୍ଚଳର ହନ୍ତାଳଗୁଡା ରେ ଗତକିଛି ଦିନ ପୂର୍ବେ ମାଓବାଦୀଙ୍କ ନିର୍ଦେଶ କ୍ରମେ ଏକ ସରକାରୀ ବିରୋଧୀ ପ୍ରଜାମେଳି ମଧ୍ୟ କରଯାଇଥିଲା । ବର୍ଷବର୍ଷ ଧରି ଏଭଳି ସ୍ଥିତିରେ ଅଞ୍ଚଳର ଲୋକେ ଲାଲ ବାହିନୀଙ୍କ କଡା ଶାସନରେ ବାନ୍ଧି ହୋଇ ପରାଧୀନ ଜୀବନ ଯାପନ କରୁଥିଲେ । ତେବେ ଆଜି କିନ୍ତୁ ଏମାନଙ୍କ ଏହି ପରାଧୀନ ଜୀବନ ସ୍ଵାଧୀନ ହୋଇଛି । ଲାଲ ବାହିନୀର କଡା ନଜରରୁ ମୁକ୍ତ ହୋଇ ଏହି ହନ୍ତାଳଗୁଡା ଗ୍ରାମରେ ବିଏସଏଫ ପକ୍ଷରୁ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ଯେଉଁମାନେ ଲାଲ ବାହିନୀର ଭୟରେ ପୋଲିସ ଏବଂ ବିଏସଏଫ କୁ ବିରୋଧ କରୁଥିଲେ ଆଜି ସେମାନେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଖୁସି ଅନୁଭବ କରି ବିକାଶର ସ୍ଵପ୍ନ ଦେଖୁଛନ୍ତି । ଆଉ ପ୍ରଥମ ଥର ପାଇଁ ମାଓଗଡରେ ନିର୍ଭୟର ସହିତ ଶୁଭିଛି ଭାରତ ମାତାର ଜୟର ନାରା । ଯେଉଁଠି ମାଓବାଦର ପତାକା ଉଡୁଥିଲା ସେଠାର ନୀଳ ଆକାଶରେ ଫରଫର ହୋଇ ଉଡିଛି ତିରଙ୍ଗା ପତାକା ।

ପୂର୍ବରୁ ବାରମ୍ବାର ସ୍ଵାଭିମାନ ଅଞ୍ଚଳ ବାସୀ ସରକାର ତଥା ପୋଲିସ ବିରୋଧରେ ସ୍ଵର ଉତ୍ତୋଳନ  କରୁଥିବା ବେଳେ ଏହା ପଛରେ କେଉଁଠି ନା କେଉଁଠି ମାଓବାଦୀଙ୍କ ସମର୍ଥନ ଥିଲା । ତେବେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ସହ ମାଓ ଶାସନ ରୁ ମୁକ୍ତ କରିବା ପାଇଁ ମାଲକାନଗିରି ଏସପି ଓ ବିଏସଏଫ ଙ୍କ ପକ୍ଷରୁ ଏଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯିବା ପରେ ଅଞ୍ଚଳରେ ବିକାଶର ଗାଡି ଗଡିବା ସହ ଲୋକଙ୍କୁ ସୁରକ୍ଷା ଦେବାରେ ଆମେ ସଦା ସର୍ବାଦା ପ୍ରସ୍ତୁତୁ ଥିବା ମାଲକାନଗିରି ଏସପି ମତ ରଖିଛନ୍ତି । ଲୋକଙ୍କ ସମର୍ଥନ ରହିଲେ ଆଗାମୀ ଦିନରେ ମାଓଗଡକୁ ଧ୍ଵଂସ କରିବା ସହ ବିକାଶ ଧାରାରେ ଏହି ସ୍ଵାଭିମାନ ଅଞ୍ଚଳ ଯୋଡି ହୋଇପାରିବ ବୋଲି ଆଶା  ରଖାଯାଇଥିବା ଏସପି ମତ ରଖିଛନ୍ତି ।