close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପ୍ରତିପକ୍ଷଙ୍କୁ ଯୋଡିଲା ଦୀପାବଳି, ସୀମାରେ ମିଠା ଦିଆ ନିଆ ହେଲେ ସୁରକ୍ଷାକର୍ମୀ

ଦୀପାବଳିରେ ବି ସେନା କାନ୍ଧରେ ବନ୍ଧୁକ ରହିଛି ସତ, ହେଲେ ଏହା କେବଳ ଏକ ଔପଚାରିକତା । ନା ଅଛି ଭୟ ନା କିଛି ସନ୍ଦେହ । ଶତ୍ରୁପକ୍ଷ ଯେ ଅଚାନକ ହମଲା କରିପାରନ୍ତି, ଏଭଳି କାଣିଚାଏ ବି ଅବିଶ୍ୱାସ ନାହିଁ । ବରଂ ଅଛି ପ୍ରେମର ସନ୍ଦେଶ । 

ପ୍ରତିପକ୍ଷଙ୍କୁ ଯୋଡିଲା ଦୀପାବଳି, ସୀମାରେ ମିଠା ଦିଆ ନିଆ ହେଲେ ସୁରକ୍ଷାକର୍ମୀ
ଇଣ୍ଡୋ-ବାଂଲାଦେଶ ସୀମାରେ ପରସ୍ପରକୁ ମିଠା ଦିଆ ନିଆ ହେଉଛନ୍ତି ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ସୀମାର ଉଭୟ ପାର୍ଶ୍ୱରେ ଥିବା ସେନାର ସମ୍ପର୍କ କେବଳ ଗୁଳି ବାରୁଦର ନୁହେଁ । ଦେଶର ସୁରକ୍ଷା ପାଇଁ ଶତ୍ରୁକୁ ନିପାତ କରିବାକୁ ସବୁବେଳେ ତୟାର ରହୁଥିବା ଯବାନଙ୍କ ପାଖରେ ପ୍ରତିପକ୍ଷଙ୍କ ପ୍ରତି ରହିଥାଏ ଢେର ସାରା ଭଲପାଇବା । ଦୀପାବଳି ଅବସରରେ ଇଣ୍ଡୋ-ବାଂଲାଦେଶ ସେନା ପରସ୍ପରକୁ ମିଠା ଦେଇ ସତଭାବନାର ବାର୍ତ୍ତା ଦେଇଛନ୍ତି । 

ବର୍ଷ ତମାମ ଉଭୟ ପକ୍ଷ ପରସ୍ପରକୁ ତୀକ୍ଷଣ ନଜରରେ ରଖିଥାନ୍ତି । କାଳେ ଶତ୍ରୁ ପକ୍ଷ ଅଚାନକ ହମଲା କରିବେ, ଏହାର ଜବାବ ଦେବା ପାଇଁ ସେନା ଥାଏ ପୁରା ପ୍ରସ୍ତୁତ । ଆଉ ଆଜି ଦୀପାବଳିରେ ବି ଇଣ୍ଡୋ-ବାଂଲାଦେଶ ବୋର୍ଡର ପୁରା ଚଳଚଞ୍ଚଳ । କିନ୍ତୁ ଯୁଦ୍ଧ କି ଯୁଦ୍ଧ ପ୍ରସ୍ତୁତି ପାଇଁ ନୁହେଁ । ଶ୍ରଦ୍ଧା, ଶାନ୍ତି ଏବଂ ସଦଭାବନାର ବାର୍ତ୍ତା ଦେବା ପାଇଁ ।

ଯଦିଓ ଦୀପାବଳିରେ ବି ଏମାନଙ୍କ କାନ୍ଧରେ ବନ୍ଧୁକ ରହିଛି, ଏହା କେବଳ ଏକ ଔପଚାରିକତା । ନା ଅଛି ଭୟ ନା କିଛି ସନ୍ଦେହ । ଶତ୍ରୁପକ୍ଷ ଯେ ଅଚାନକ ହମଲା କରିପାରନ୍ତି, ଏଭଳି କାଣିଚାଏ ବି ଅବିଶ୍ୱାସ ନାହିଁ । ବରଂ ଅଛି ପ୍ରେମର ସନ୍ଦେଶ । ଯେଉଁ ହାତରେ ବନ୍ଧୁକ ଧରି ପରସ୍ପର ଭିତରେ ଗୁଳି ବିନିମୟ ହୁଏ, ଆଜି ସେ ହାତ ମିଠା ବାଣ୍ଟୁଛି । 

ଅବୁଝା ଏବଂ ବିଶ୍ୱାସଘାତକ ପାକିସ୍ତାନ ସିନା ସମ୍ପର୍କର ମୂଲ୍ୟକୁ ବିଭିନ୍ନ ସମୟରେ ଅଣଦେଖା କରିଛି, ହେଲେ ବାଂଲାଦେଶ ସେନା ଅନ୍ୟ ବର୍ଷ ଭଳି ଆଜି ବି ଭାରତୀୟ ସେନାକୁ ମିଠା ଦେଇଛି । ଆଉ ଭାରତ ପକ୍ଷରୁ ଦିଆଯାଇଥିବା ମିଠା ଗ୍ରହଣ କରିଛି । ପରସ୍ପର ପରସ୍ପରକୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସୀମା ଯେ କେବଳ ଅଶାନ୍ତି ଓ ତିକ୍ତତା ପାଇଁ ନୁହେଁ ବରଂ ସୀମାରେ ଶାନ୍ତି ଏବଂ ସଦଭାବନା ମଧ୍ୟ ରଖାଯାଇପାରେ, ଆଜି ଇଣ୍ଡୋ-ବାଂଲାଦେଶ ବୋର୍ଡରକୁ ଦେଖିଲେ ଏମିତି କିଛି ମନେ ହେଉଛି । ଏ ଫଟୋ କହୁଛି ହୃଦୟକୁ ପଥର କରି ଜୀବନ ଜୀଉଥିବା ଯବାନଙ୍କ ଅସଲି କାହାଣୀ ।