ପୂର୍ଣ୍ଣାଙ୍ଗ ବଜେଟର ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ
Advertisement

ପୂର୍ଣ୍ଣାଙ୍ଗ ବଜେଟର ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ

୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭାରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟର ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । 

ଫାଇଲ ଫଟୋ

ଯଯତୀ ମହାନ୍ତି, ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭାରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟର ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ଦେଢ଼ ଲକ୍ଷ କୋଟି ଟଙ୍କର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯିବ, ସେନେଇ ଆଲୋଚନା ହୋଇଥିଲା । କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ କରାଯିବ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ୧।୩୯ଲକ୍ଷକୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ବଜେଟ ର ଆକାର ବୃଦ୍ଧି ପାଇବାର ସ୍ପଷ୍ଟ ହୋଇଛି । 

ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ ର ପରିମାଣ ୧।୫୦ଲକ୍ଷ କୋଟି  ଟଙ୍କା ଆକଳନ କରାଯାଇଥିବା ଜଣାପଡିଛି । ଆସନ୍ତା ୧୪ତାରିଖରେ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧୮ତାରିଖରେ ଆସନ୍ତା ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟକୁ  ଅର୍ଥମନ୍ତ୍ରୀ ଗୃହରେ ଆଗତ କରାଇବେ । ଚଳିତ ଆର୍ଥିକ ବର୍ଷ ତୁଳନାରେ ଏଥର କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି । ବିଶେଷ କରି, ପଞ୍ଚଦଶ ଅର୍ଥକମିଶନ, ମନେରଗା , ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟରେ କେନ୍ଦ୍ରୀୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।
ମୋ ସରକାର ଓ ୫ଟି କାର୍ଯ୍ୟକ୍ଷମ ହେବାପରେ ରାଜ୍ୟ ସରକାର ସର୍ବାଧିକ ଭିତ୍ତିଭୂମିର ବିକାଶ ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି । ଏଭଳି ସ୍ତିତିରେ କେଉଁ ବିଭାଗକୁ କେତେ ମିଳିବ ଓ ବଜେଟର ରୂପରେଖ କଣ ରହିବ ତାହା ଆସନ୍ତା ୧୮ତାରିଖରେ ବିଧାନସଭାରେ ବଜେଟ ଆଗତ ହେବା ପରେ ସ୍ପଷ୍ଟ ହେବ ।