Trending Photos
ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହାସହ ୧୮ ରାଜ୍ୟର ୫୧ ବିଧାନସଭା ଓ ୨ଟି ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଏହି ଆସନରୁ ବିଜେପି ଓ ସହଯୋଗୀ ଦଳଙ୍କୁ ପ୍ରାୟ ୩୦ ଆସନ ମିଳିଥିଲା । ଅନ୍ୟପଟେ କଂଗ୍ରେସକୁ ୧୨ଟି ଆସନ ଓ ଅନ୍ୟ ଆଞ୍ଚଳିକ ଦଳଗୁଡିକକୁ ବଳକା ଆସନ ମିଳିଥଲା ।
ବିଜେପି ଶାସିତ ଉତ୍ତର ପ୍ରଦେଶରେ ୧୧, ଗୁଜୁରାଟରେ ୬, ବିହାରରେ ୫, ଆସାମରେ ୪, ଓ ହିମାଚଳ ପ୍ରଦେଶ ଓ ତାମିଲନାଡୁରେ ୨-୨ ବିଧାନସଭା ଆସନରେ ଉପନିର୍ବାଚନ ଚାଲିଛି । ସେହି ପଞ୍ଜାବରେ ୪, କେରଳରେ ୫, ସିକିମରେ ୩, ରାଜସ୍ଥାନରେ ୨ ଓ ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ, ପଣ୍ଡିଚେରୀ, ମେଘାଳୟ ଓ ତେଲେଙ୍ଗାନାରେ ୧-୧ ବିଧାନସଭା ଆସନରେ ମତଦାନ ଚାଲିଛି ।
ଉତ୍ତର ପ୍ରଦେଶର ଉପନିର୍ବାଚନରେ ବିଜେପି, ବିଏସପି, ଏସପି ଓ କଂଗ୍ରେସ ୧୧ ଆସନରେ ନିଜ ନିଜ ପ୍ରାର୍ଥୀ ଦେଇଛନ୍ତି । ପୂର୍ବରୁ ଏହି ୧୧ଟି ଆସନରୁ ବିଜେପିକୁ ୮ ଓ ସହଯୋଗୀ ଅପଣା ଦଳକୁ ଗୋଟିଏ ଆସନ ମିଳିଥିଲା । କଂଗ୍ରେସ ରାଜସ୍ଥାନରେ ବିଜେପି ଓ ସହଯୋଗୀ ଦଳ ଆରଏଲପିର ୨ଟି ଆସନକୁ ଛଡାଇ ଆଣି ବିଧାନସଭାରେ ନିଜ ସ୍ଥିତିକୁ ଦୃଢ କରିବାକୁ ଆଶା ରଖିଛି । ରାଜସ୍ଥାନର ୨୦୦ ବିଧାନସଭା ଆସନରୁ କଂଗ୍ରେସ ପାଖରେ ୧୦୬ଟି ଆସନ ରହିଛି, ଯେଉଁଥିରେ ବିଏସପିର ୬ ଜଣ ବିଧାୟକ ରହିଛି ।
ତାମିଲନାଡୁର ବିକ୍ରମବାନ୍ଦୀ ଓ ନଙ୍ଗୁନେରୀ ବିଧାନସଭା ଆସନରେ ଡିଏମକେ ଓ ଏଆଇଡିଏମକେ ମଧ୍ୟରେ ଲଢେଇ ରୋଚକ ହୋଇଛି । ସେହିପରି ସତରା ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଏନସିପିର ପୂର୍ବତନ ନେତା ତଥା ବର୍ତ୍ତମାନର ସାଂସଦ ଉଦୟନରାଜ ଭୋସଲେ ବିଜେପିର ଟିକେଟରେ କଂଗ୍ରେସ-ଏନସିପି ପ୍ରାର୍ଥୀ ଶ୍ରୀନିବାସ ପାଟିଲଙ୍କୁ ଟକ୍କର ଦେଉଛନ୍ତି । ସମସ୍ତିପୁର(ବିହାର) ଲୋକସଭା ଆସନର ମଧ୍ୟ ଉପନିର୍ବାଚନ ପାଇଁ ମତଦାନ ଚାଲିଛି ।