ତୁ ଏକା ଆମ 'ଶାହ' ଭରସା

ମ୍ୟାଜିକ ନମ୍ବର ଆଣିବ 'ଚାଣକ୍ୟ' ମ୍ୟାଜିକ !

 ତୁ ଏକା ଆମ 'ଶାହ' ଭରସା
ଡିଜାଇନ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ସବୁ ଅସମ୍ଭବ ତୁମ ପାଇଁ ସମ୍ଭବ ! ମଣିପୁରରେ ତୁମେ ରଚିଥିଲ ମାଇଲଷ୍ଟୋନ୍ । ତୁମରି ଯୋଗୁ ତ୍ରିପୁରାରେ ତ୍ରାହି ତ୍ରାହି ଡାକିଥିଲେ ବିରୋଧୀ । ଗୋଆରେ ବି ତୁମ ଗଣିତ ସଫଳ ହୋଇଛି । ଆଉ କର୍ଣ୍ଣାଟକରେ ତ ତୁମେ ଯାହା କରିଛ, ତାହା କେହି ଭୁଲି ପାରିବେନି । ୟେଦୁରପ୍ପା ରଥରେ ତୁମେ ସାରଥୀ ! ଆଉ 'ଦିଦି'ଙ୍କୁ ତ ଝୁଣି କରି ରଖିଛ । ହେଲେ ଏବେ ତୁମ ପାଇଁ ଆସିଛି 'ମହା' ପରୀକ୍ଷା । କାହିଁକିନା ଏବେ ମହାରାଷ୍ଟ୍ର ବିଜେପି କହୁଛି, ତୁ ଏକା ଆମ 'ଶାହ' ଭରସା । 

ଆମେ ୧୬୨ ! 'ମହା' ସରକାରକୁ ଫ୍ଲୋର୍ ଟେଷ୍ଟରେ ଚକମା ଦେବା ପାଇଁ ଏଭଳି ଢଙ୍ଗରେ ମେଳି ବାନ୍ଧିଛନ୍ତି ବିରୋଧୀ । ସୋନିଆଙ୍କ ନାଁ ଜପିଛନ୍ତି ଶିବସେନା ଉତ୍ତରାଧିକାରୀ । ଏପଟେ ଆସନ୍ତାକାଲି ଅଗ୍ନି ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ନା ସମର୍ଥନ ଯୋଗାଡ଼ କରିବା ପାଇଁ ସମୟ ଅଛି, ନା ବିଧାୟକଙ୍କୁ ମନେଇବା ପାଇଁ ମାହୋଲ ଅଛି । ସେମିତିରେ ବି ଗୁପ୍ତ ମତଦାନକୁ କୋର୍ଟ ସଫା ସଫା ମନା କରି ଦେଇଛନ୍ତି । 

ଏବେ କ'ଣ ହେବ ? ଅଜିତ ପାୱାରଙ୍କୁ ହାତେଇଲେ ବହୁ ଏନସିପି ବିଧାୟକଙ୍କ ସମର୍ଥନ ମିଳିଯିବ, ଏମିତି କିଛି ଆଶା ରଖିଥିଲା ଗେରୁଆ ଦଳ । ହେଲେ ଏ ଗଣିତ କଷି ହେଲା ନାହିଁ । ଅଜିତଙ୍କ ଅଙ୍କ କେବଳ 'ଏକ' ! ଏ ଜମା ଭିଡ଼କୁ ନୁହେଁ ! ଶରଦଙ୍କୁ ଛାଡ଼ିଦେଲେ ଅଜିତଙ୍କ ଅସ୍ତିତ୍ୱ ହିଁ ନାହିଁ । ବୋଧହୁଏ  ଏ କଥା ଭଲ ଭାବରେ ବୁଝି ସାରିଛି ଭାରତୀୟ ଜନତା ପାର୍ଟି । ଏବେ କେବଳ ଦଳର ଚାଣକ୍ୟ 'ଶାହ' ହିଁ ହେଉଛନ୍ତି ଏକମାତ୍ର ଭରସା ।

ବାହାସ୍ଫୋଟ ସିନା ମାରି ଦେଉଛନ୍ତି, ହେଲେ ବାସ୍ତବତା ପୂରା ଭିନ୍ନ । ମହାରାଷ୍ଟ୍ର ବିଧାନସଭାରେ ବହୁମତ ପ୍ରମାଣ ଦେବା ପାଇଁ ବିଜେପି ପାଖରେ ମ୍ୟାଜିକ ନମ୍ବର ନାହିଁ । ହେଲେ ଏବେ ବି ଭରସା ହରାଇ ନାହାନ୍ତି ରାଜ୍ୟର ନେତାଏ । ଶାହଙ୍କ ମ୍ୟାଜିକ ଉପରେ ଅଛି ସଭିଙ୍କ ଭରସା । କାହିଁକିନା ସରକାର ଗଢ଼ିବା ଓ ଭାଙ୍ଗିବାର
କଳା କେବଳ ଚାଣକ୍ୟ ଅମିତ ଶାହଙ୍କୁ ହିଁ ଜଣା ।

amit shah

କ'ଣ ମ୍ୟାଜିକ ଦେଖାଇବେ ଶାହ ? ସତରେ କ'ଣ ଫଡନାଭିସ ସରକାରଙ୍କୁ ବହୁମତ ଦେବ ଶାହଙ୍କ ମ୍ୟାଜିକ ? ଅସମ୍ଭବ ବି ନୁହେଁ ! ଚର୍ଚ୍ଚା ହେଉଛି, ଶକ୍ତିଭେଦ କରିବାକୁ ଏବେ ବି ଗେରୁଆ ଦଳ ପାଖରେ ଅମୋଘ ଅସ୍ତ୍ର ଅଛି । କିଛିଦିନ ପୂର୍ବରୁ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପଦ ଦେଇ ସନ୍ତୁଷ୍ଟ କରିବାକୁ ବିଜେପି ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା । ତେଣୁ, ଦଳ 'ପାୱାର' ପାଇଁ ପାୱାରଙ୍କ ନିକଟରେ ଏହି ଅଫର୍ ପୁଣି ଥରେ ଥୋଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।