ଏହି ଜାଗାରେ ଚାଲିଛି ଅଦିନିଆ ରଥଯାତ୍ରା ପାଳନ, ଜାଣନ୍ତୁ କାରଣ କ'ଣ

କାର୍ତ୍ତିକ ମାସରେ ଚାଲିଛି ରଥଯାତ୍ରା ପାଳନ

ଏହି ଜାଗାରେ ଚାଲିଛି ଅଦିନିଆ ରଥଯାତ୍ରା ପାଳନ, ଜାଣନ୍ତୁ କାରଣ କ'ଣ
ସୌଜନ୍ୟ: ସୋସିଆଲ ମିଡିଆ

ସୋରଜ ମହାନ୍ତି, ନୂଆପଡା: ନୂଆପଡ଼ା ଜିଲ୍ଲାରେ ପାଳିତ ହୋଇ ଆସୁଛି ଅଦିନିଆ ରଥଯାତ୍ରା । ସାଧାରଣତଃ ଲୋକମାନେ ଏହାକୁ ବାଲିଯାତ୍ରା ବୋଲି କହୁଥିବା ବେଳେ ଆଉ କିଏ ଏହାକୁ ରାହାସ ପୂର୍ଣ୍ଣିମା ଦେଖିବାକୁ ତିନି ଠାକୁର ବାହାରିଛନ୍ତି ବୋଲି କହୁଛନ୍ତି । ତେବେ ଏ ଯାତ୍ରାରେ ଅଞ୍ଚଳର ଅନେକ ଲୋକ ସାମିଲ ହୋଇ ତିନି ଠାକୁରଙ୍କ ଦର୍ଶନ କରିଛନ୍ତି । ଏ ଉତ୍ସବକୁ ଅଞ୍ଚଳବାସୀ ଦୀର୍ଘବର୍ଷ ହେବ ଆନନ୍ଦ ଉଲ୍ଲାସରେ ଉପଭୋଗ କରି ଆସୁଛନ୍ତି ।

ନୂଆପଡ଼ା କୋମନା ବ୍ଲକର କୋନାବିରା ଗ୍ରାମରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଓଡ଼ିଆଙ୍କ ଆରାଧ୍ୟ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥଯାତ୍ରା ସମାପନ ହୋଇଛି । ଗାଁର ଏକ ଆଦିବାସୀ ପରିବାରରେ ଦୀର୍ଘ ୨୨ ବର୍ଷ ହେବ ପୂଜା ପାଇ ଆସୁଥିବା ଠାକୁରଙ୍କୁ ପ୍ରଚଳିତ ରୀତିନୀତିରେ ଛେରା ପହରା କରାଇ, ଭଜନ କିର୍ତ୍ତନର ପରିବେଶରେ ରଥାରୁଢ କରାଯାଇଥିଲା । କାର୍ତ୍ତିକ ପୂର୍ଣ୍ଣିମା ଦିନ ହେଉଥିବା ରାହାସ କୀର୍ତ୍ତନ, ଘରେ ଘରେ ହେଉଥିବା ପୂଜାପାଠ, ମଉଜ ମଜଲିସ ଦେଖିବା ପାଇଁ ଗାଁ ପରିକ୍ରମା କଲେ ତିନିଠାକୁର ଏବଂ ରାତିକ ପାଇଁ ରହିଥିଲେ ମାଉସୀ ମାଁ ଘରେ । ପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଖପାଖ ଗ୍ରାମର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଦୋକାନ ବଜାରରେ ଗାଁ ଉତ୍ସବ ମୁଖରିତ ହୋଇଥିଲା । କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ସରିବା ପରେ ସଂଧ୍ୟାରେ ପୁଣି ରଥାରୁଢ଼ ହୋଇ ଫେରି ଯାଇଛନ୍ତି ତିନି ଠାକୁର ନିଜର ଆସ୍ଥାନକୁ ।
କାହିଁକି ଏହି ଅଦିନିଆ ରଥଯାତ୍ରା

ଆଜକୁ ୨୨ ବର୍ଷ ପୁର୍ବେ କୋନାବିରା ଗ୍ରାମର ସ୍ୱର୍ଗତ ଦିକଚନ ମାଝିଙ୍କୁ ତିନି ଠାକୁରଙ୍କ ରଥଯାତ୍ରା କରାଇବା ପାଇଁ ସ୍ୱପ୍ନାଦେଶ ହୋଇଥିଲା । କାର୍ତ୍ତିକ ମାସରେ ରଥରେ ବସାଇ ଗାଁ ପରିକ୍ରମା କରାଇବା ପାଇଁ ନିର୍ଦ୍ଧେଶ ହୋଇଥିଲା  । ଗାଁର ଗଉନ୍ତିଆ ସ୍ୱର୍ଗତ ଗୋରସ ମାଝିଙ୍କ ସହ ଏ ବିଷୟରେ ଆଲୋଚନା କରି ତିନି ଠାକୁରଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା ଆରମ୍ଭ କରାଗଲା । ପ୍ରତି ବର୍ଷ ତିନି ଠାକୁରଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ରଥରେ ଗାଁ ପରିକ୍ରମା କରାଯାଇ ଆସୁଅଛି । ଲୋୟର ଇନ୍ଦ୍ରଜଳ ସେଚନ ପ୍ରକଳ୍ପରେ ବୁଡି ଯାଉଥିବାରୁ ପ୍ରଭୁଙ୍କ ଏହି ଉତ୍ସବ ଆଗକୁ ପାଳିତ ହେବ କି ନାହିଁ ସନ୍ଦେହରେ ରହିଛନ୍ତି ଶ୍ରଦ୍ଧାଳୁ   ।