ଅଫିସ ଦୌଡି ଦୌଡି ଜୋତା ଛିଣ୍ଡାଉଛନ୍ତି ସିବିଆଇ ପୂର୍ବତନ ନିର୍ଦ୍ଦେଶକ !
Advertisement

ଅଫିସ ଦୌଡି ଦୌଡି ଜୋତା ଛିଣ୍ଡାଉଛନ୍ତି ସିବିଆଇ ପୂର୍ବତନ ନିର୍ଦ୍ଦେଶକ !

ସିବିଆଇ ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳୁନି ଜିପିଏଫ ଟଙ୍କା . ଏବେ ଅଫିସରେ ଚକର କାଟୁଛନ୍ତି ବର୍ମା . ପଢନ୍ତୁ ପୁରା ଘଟଣା . 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିନେ ଦେଶର ଦକ୍ଷ ପୋଲିସ ଅଧିକାରୀ ଭାବରେ ଗଣା ହେଉଥିଲେ . ସେ ଥିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା . ଯେତେବେଳେ ସରକାର ତାଙ୍କୁ ପଦରୁ ହଟାଇ ଦେଇଥିଲେ, ସିଧାସଳଖ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ . ଆଉ ଆଜି ସାମାନ୍ୟ ଭବିଷ୍ୟ ନିଧି(ଜିପିଏଫ) ଏବଂ ସେବାନିବୃତ୍ତ ଲାଭ ପାଇଁ ତାଙ୍କୁ ବାରମ୍ବାର ଅଫିସ ଦୌଡିବାକୁ ପଡୁଛି . 

ଗତ ଅକ୍ଟୋବର ୧୪ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଲେଖାଯାଇଥିବା ଗୋପନୀୟ ପତ୍ର ସାମ୍ନାକୁ ଆସିବା ପରେ ତାଙ୍କ ଜିପିଏଫ ଏବଂ ଅନ୍ୟ ଲାଭ ଉପରେ ରୋକ୍ ଲଗାଯାଇଥିବା ଜଣାପଡିଛି . କାହିଁକିନା ସେ ଅନଧିକୃତ ଅବକାଶରେ ପଳେଇଥିଲେ . ଯାହାକି ସରକାରୀ ନିୟମ ଭାଙ୍ଗିଥିବା ଭଳି ଗମ୍ଭୀର ମାମଲା ବୋଲି ଧରାଯାଏ .

ଗୃହ ମନ୍ତ୍ରଣାଳୟର ପତ୍ର ସଂଖ୍ୟା ୪୫୦୨୦/୪/୨୦୧୯ ଅନୁସାରେ, ବର୍ମାଙ୍କ ମାମଲା ତଦନ୍ତ ହୋଇ ଏହି ନିଷ୍ପତ୍ତି ହୋଇଛି ଯେ, ୨୦୧୯ ଜନୁଆରୀ ୧୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବିନା ଅନୁମତିର ଛୁଟିକୁ ଅନୁପସ୍ଥିତ ଭାବରେ ଧରାଯାଇଛି . ମୋଟାମୋଟି ଭାବରେ କହିବାକୁ ଗଲେ ଆଲୋକ ବର୍ମାଙ୍କ ଅନଧିକୃତ ଅବକାଶକୁ କାର୍ଯ୍ୟରୁ ବିଶ୍ରାମ ଭାବରେ ଗ୍ରହଣ କରାଯାଇଛି .  ଯେଉଁଥିପାଇଁ ତାଙ୍କୁ ଅବସରକାଳୀନ ସମସ୍ତ ସୁବିଧାର ବଞ୍ଚିତ କରାଯାଇଛି .  

କହିରଖୁଛୁ, ୨୦୧୮ମସିହା ଶେଷ ଆଡକୁ ଆଲୋକ ବର୍ମା ସିବିଆଇ ନିର୍ଦ୍ଦେଶକ ଥିବା ସମୟରେ  ତାଙ୍କ ଅଧିନସ୍ଥ ଅଫିସରଙ୍କ ସହ ବିବାଦ ହୋଇଥିଲା . ଏହା ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା . ଉଭୟ ଅଧିକାରୀ ପରସ୍ପର ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିଥିଲେ . ଯାହାକୁ ଗମ୍ଭୀରତାର ସହ ନେଇଥିଲା ଗୃହ ମନ୍ତ୍ରଣାଳୟ . ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ପହଞ୍ଚିଥିଲା .