ଦୁର୍ଗମ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯାନ ତିଆରି କରିଛନ୍ତି CETର ଛାତ୍ର

ଦୁର୍ଗମ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯାନ ତିଆରି କରିଛନ୍ତି CETର ଛାତ୍ର

ATV ବା ଅଲ୍ ଟେରାଇନ ଭେଇକିଲ୍ 

ଦୁର୍ଗମ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯାନ ତିଆରି କରିଛନ୍ତି CETର ଛାତ୍ର

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର: ATV ବା ଅଲ୍ ଟେରାଇନ ଭେଇକିଲ୍ । ପାହାଡ଼ିଆ ଅଞ୍ଚଳ ଓ କୃଷିକ୍ଷେତ୍ର ପାଇଁ ସ୍ୱତନ୍ତ୍ର ଯାନ । ସାଧାରଣତଃ ସମତଳ ଅଞ୍ଚଳ ବା ରାଜପଥରେ ସମାନ୍ତରାଳ ଭାବେ ଅନେକ ଗାଡି ଚାଲୁଛି, ହେଲେ ଦୁର୍ଗମ ପାହାଡିଆ ଅଞ୍ଚଳରେ ଏହି ଗାଡ଼ି ଚାଲିପାରେ ନାହିଁ । କିନ୍ତୁ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ବା CETର ଛାତ୍ରମାନେ ମିଶି ଏମିତି ଏକ ଗାଡ଼ି ଉଦ୍ଭାବନ କରିଛନ୍ତି, ଯାହା ଦୁର୍ଗମ ଅଞ୍ଚଳରେ ମଧ୍ୟ ଚାଲିପାରିବ । କାଦୁଅ, ପଥର, ଗୋଡି, ଖାଲଖମା ପୂର୍ଣ୍ଣ ରାସ୍ତାରେ ବିନା ବାଧାରେ ଏହି ଗାଡି ଯାତାୟତ କରିପାରିବ । ଏଥିରେ ଲାଗିଥିବା ଯନ୍ତ୍ରାଂଶ ସବୁକୁ ଏପରି ଖଞ୍ଜାଯାଇଛି, ଯାହା ଭୂ-ଭାଗର ଯେକୌଣସି ସ୍ଥାନରେ ଭାରସାମ୍ୟ ନ ହରାଇ ଗତି କରିପାରିବ । ଦୁର୍ଗମ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ଓ କୃଷି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରିବ । ଚାଷୀ ମାନେ କମ୍ ଖର୍ଚ୍ଚରେ ଏହାକୁ  ଟ୍ରାକ୍ଟରର ବିକଳ୍ପ ଭାବେ ବ୍ୟବହାର କରିପାରିବେ ବୋଲି କହିଛନ୍ତି ସିଇଟି ଛାତ୍ରଛାତ୍ରୀ । 

ବର୍ତ୍ତମାନ ଏପରି ୩ଟି ଗାଡି ନିର୍ମାଣ କରାଯାଇଛି । ପରୀକ୍ଷାମୂଳକ ଭାବେ ବିଭିନ୍ନ ରେସିଂ ପ୍ରତିଯୋଗିତାରେ ଭାଗ ନେଇ ପରୀକ୍ଷଣରେ ସଫଳ ହେବା ସାଙ୍ଗକୁ କୃତକାର୍ଯ୍ୟ ହୋଇ ପୁରସ୍କୃତ ମଧ୍ୟ ହୋଇଛନ୍ତି । ATVର ପ୍ରାୟ ୧ ହଜାର କେଜି ଓଜନ ଟାଣି ପାରିବାର କ୍ଷମତା ରହିଛି । ଏହା ପେଟ୍ରୋଲ ଇନ୍ଧନରେ ଚାଲେ । ଆଗାମୀ ଦିନରେ ଏହାକୁ ଇ-ଭେଇକିଲ୍ ଭାବେ ସୋଲାର ଏନର୍ଜି ବା ସୌରଶକ୍ତି ମାଧ୍ୟମରେ କାର୍ଯ୍ୟକ୍ଷମ କରାଇବାକୁ ସେମାନେ ଯୋଜନା କରିଛନ୍ତି । ସେହିପରି କେବଳ ରେସିଂ ନୁହେଁ, ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରି ଏହାକୁ ଯାତ୍ରୀବାହୀ ଯାନ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଏସବୁ ପ୍ରକଳ୍ପ ସ୍ୱତନ୍ତ୍ର କ୍ଲବ ସାହାଯ୍ୟର ସେମାନେ ନିର୍ମାଣ କରୁଛନ୍ତି । ଯେଉଁ ସ୍ଥାନକୁ ସାଧାରଣତଃ ମୋଟର ସାଇକଲ ଓ ବାଇସାଇକଲ ଯାଇପାରେ ନାହିଁ, ସେହି ସ୍ଥାନରେ ବି ଏହାକୁ ବ୍ୟବହାର କରିହେବ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷ  ।

ATVର ବିଭିନ୍ନ ଉପକାରୀ ଦିଗ ପ୍ରତି ନିୟମିତ ଭାବେ ଗବେଷଣା ଚଳାଇଛନ୍ତି ଛାତ୍ରଛାତ୍ରୀ । ଉପଯୁକ୍ତ ପ୍ରୋତ୍ସାହନ ଓ ସାହାଯ୍ୟ ମିଳିଲେ ଦୁର୍ଗମ ଅଞ୍ଚଳବାସୀଙ୍କ ଉପକାରରେ ଲାଗିପାରିବ ATV।

Trending news