ନଅ ଟଙ୍କାରେ ନୂଆଦିଲ୍ଲୀ ଦଖଲ !

ସାଥିରେ ଅଛି ୧୬ ନିର୍ବାଚନର ଅଭିଜ୍ଞତା ଆଉ ଧାର ଟଙ୍କା

ନଅ ଟଙ୍କାରେ ନୂଆଦିଲ୍ଲୀ ଦଖଲ !
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ । ସମସ୍ତ ୭୦ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଆପ୍ । ଗତଥର ପରି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ପ୍ରାର୍ଥୀ ହେଉଛନ୍ତି । ଯଦିଓ ବିରୋଧୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇନି, କିନ୍ତୁ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀପତ୍ର ଦାଖଲ ହେଲାଣି । ହାତରେ ମାତ୍ର ୯ ଟଙ୍କା ଥିବା ଜଣେ ପ୍ରାର୍ଥୀ ଏଥର ନୂଆଦିଲ୍ଲୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ନଅ ଟଙ୍କାରେ ନୂଆଦିଲ୍ଲୀ ଦଖଲ ସ୍ୱପ୍ନ । ହାତରେ ୯ ଟଙ୍କା । ଧାର ଆଣିଛନ୍ତି ୯୯,୯୯୯ ଟଙ୍କା । ସାଥିରେ ରହିଛି ୧୬ ଥର ନିର୍ବାଚନ ଲଢ଼ିବାର ଅଭିଜ୍ଞତା । ଆଉ ଏସବୁକୁ ନେଇ ନୂଆଦିଲ୍ଲୀ ବିଧାନସଭା ଆସନରୁ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶ୍ରୀ ଭେଙ୍କେଟେଶ୍ୱର ମହା ସ୍ୱାମୀଜୀ(ଦୀପକ) । ସାଧାରଣ ଲୋକଙ୍କ ବିଶ୍ୱାସ ବିଜେପି ଉପରେ ରହିଛି । ପରବର୍ତ୍ତୀ ସମୟରେ ବିଜେପି ମୋତେ ଟିକଟ ଦେବ ବୋଲି ଆଶା ରଖିଛନ୍ତି ଶ୍ରୀ ଭେଙ୍କେଟେଶ୍ୱର । ତେବେ ବିଜେପି ଟିକଟ ନଦେଲେ, ଏନସିପି କିମ୍ବା ହିନ୍ଦୁସ୍ଥାନ ଜନତା ପାର୍ଟିରୁ ଲଢ଼ିବି ବୋଲି ସେ କହିଛନ୍ତି । 

ଆହୁରି ପଢ଼ନ୍ତୁ; ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଶ୍ରୀ ଭେଙ୍କେଟେଶ୍ୱରଙ୍କ ଦିଲ୍ଲୀରେ ସ୍ଥାୟୀ ଘରଟିଏ ନାହିଁ । ଦ୍ୱାରିକାରେ ଜଣେ ସାଙ୍ଗ ପାଖରେ ସେ ରହୁଛନ୍ତି । ହାତରେ କାଣି କଉଡ଼ିଟିଏ ନାହିଁ । ନଗଦ ମାତ୍ର ୯ ଟଙ୍କା ଥିବା ସେ ସତ୍ୟପାଠରେ ଦାଖଲ କରିଛନ୍ତି । ଅବଶ୍ୟ ନିର୍ବାଚନ ଲଢ଼ିବା ପାଇଁ ଜଣଙ୍କ ପାଖରୁ ଟଙ୍କା ଧାର ଆଣିଥିବା ସେ କହିଛନ୍ତି । ଏପରିକି ପୂର୍ବରୁ ଗୋଆ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକ ଇତ୍ୟାଦିରୁ ସେ ନିର୍ବାଚନ ଲଢିସାରିଛନ୍ତି । ଆଉ ଏହି ନିର୍ବାଚନ ଲଢ଼ିବାର ନିଶା ତାଙ୍କୁ ନୂଆଦିଲ୍ଲୀ ଟାଣିଆଣିଛି । 

ଆହୁରି ପଢ଼ନ୍ତୁ; ଟିକଟ ବିକୁଛି ଆପ୍ ! ଦଳୀୟ ବିଧାୟକ ଆଣିଲେ ଅଭିଯୋଗ