ବସ୍ତାନୀ ବୋଝତଳେ କୋମଳମତି
Advertisement

ବସ୍ତାନୀ ବୋଝତଳେ କୋମଳମତି

ଆପଣଙ୍କ ଘରେ ଏପରି ଘଟିବାକୁ ଯାଉନି ତ ?

ସୌଜନ୍ୟ: ସୋସିଆଲ ମିଡିଆ

ଅଶୋକ ମିଶ୍ର, ମାଲକାନଗିରି: ଇଏ ଏକ ଅଭାବନୀୟ ଘଟଣା । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର, କୋମଳମତି ବୟସ । ପାଠପଢ଼ା, ଖେଳାଧୂଳାର ଦିନ, ଅଥଚ ନେଇଗଲା ଏପରି ଏକ ପଦକ୍ଷେପ ଯାହା ଆପଣଙ୍କୁ ଥରେ ଚିନ୍ତା କରିବାକୁ ବାଧ୍ୟ କରିବ । ଜଣେ ଅଭିଭାବକ ଭାବରେ ଆପଣ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରନ୍ତୁ । କାହିଁ ଆପଣଙ୍କ ଘରେ ଏପରି ଘଟିବାକୁ ଯାଉନି ତ ?

ଆପଣଙ୍କ ଘରେ ସ୍କୁଲପଢୁଆ ପିଲା ଅଛନ୍ତି କି ? ଯଦି ହଁ, ତେବେ ଆପଣ ଏ ଖବର ପଢ଼ିବା ନିହାତି ଜରୁରୀ । ଆଜିର ତାରିଖରେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଏମିତି ଡିମାଣ୍ଡିଂ ହୋଇ ପଡୁଛନ୍ତି ଯେ, ରେଜଲ୍ଟରେ ଟିକେ ଏପାଖ ସେପାଖ ହେଲେ, ପିଲାଙ୍କ ଉପରେ ପଡୁଛି ପ୍ରବଳ ଚାପ । ହେଲେ ଆପଣ ଥରେ ଭାବିଛନ୍ତି କି, ଆପଣଙ୍କ କୋମଳମତି ପିଲାଟି ଏହି ଚାପ ସମ୍ଭାଳିବାକୁ କେତେଦୂର ସକ୍ଷମ ? ଆଜିର ପ୍ରତିଯୋଗିତାମୂଳକ ସମାଜ ଆପଣଙ୍କ ପିଲାଠାରୁ ତାର ଶୈଶବ ଛଡ଼ାଇ ନେଉନାହିଁ ତ ? ପାଠପଢ଼ାର ବୋଝ ଓ ଶ୍ରେଣୀରେ ପ୍ରଥମ ହେବାର ଚାପ ତାକୁ ଆପଣଙ୍କଠାରୁ ଦୂରେଇ ଦେଉନାହିଁ ତ ? କାଲି ହୁଏତ ଆପଣଙ୍କ ସହ ମଧ୍ୟ ସେଇଆ ଘଟିପାରେ, ଯାହା ଘଟି ଯାଇଛି ମାଲକାନଗିରି ଜିଲ୍ଲା ଅଷ୍ଟମ ଶ୍ରେଣୀର ଛାତ୍ର ଭୀମରାଜ ପଡ଼ିଆମୀ ସହ । ସିଏ ପଢୁଥିଲା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ନିକଟସ୍ଥ କେନ୍ଦ୍ରଗୁମ୍ଫା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଅଷ୍ଟମ ଶ୍ରେଣୀରେ ପଢୁଥିବା ଭୀମରାଜ ରହୁଥିଲା ସ୍କୁଲ ଛାତ୍ରାବାସରେ । ହେଲେ  ସେ ଏପରି ଏକ କାଣ୍ଡ ଭିଆଇ ବସିଲା, ଯାହା ନା ତା'ର ସହପାଠୀ କଳ୍ପନା କରିଥିଲେ, ନା ଭାବିଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ସେଦିନ ଥିଲା ୧୩ ନଭେମ୍ବର ୨୦୧୯ । ରାତି ପାହିଲେ ଥିଲା ଶିଶୁଦିବସ । କେନ୍ଦ୍ରଗୁମ୍ଫା ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ଥିଲା ଚଳଚଞ୍ଚଳ । ଶିଶୁ ଦିବସ ପାଳିବା ପ୍ରସ୍ତୁତିରେ ସମସ୍ତେ ଥିଲେ ମସଗୁଲ । ତେବେ ହଠାତ୍ ଆସିଲା ଏକ ଦୁଃସମ୍ବାଦ । ଖବର ମିଳିଲା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଭୀମରାଜ ମାଡ଼କାମୀ ଏକ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରିଛି । ତୁରନ୍ତ ଖବର ଦିଆଗଲା, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ । ପ୍ରଧାନଶିକ୍ଷକ ଶିବପ୍ରସାଦ ସରକାର ଖବର ପାଇଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲେ । ଘଟଣା ସମ୍ପର୍କରେ ମାଲକାନଗିରି ଥାନାକୁ ଖବର ଦିଆଗଲା । ପରେ ମାଲକାନଗିରି ପୋଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା କଥା, ପୂର୍ବରୁ ଭୀମରାଜ ଛାତ୍ରାବାସରୁ ଅନେକ ଥର ଲୁଚି ପଳାଇଥିଲା । ତା'ର କୁଆଡ଼େ ପାଠ ପଢ଼ିବା ପାଇଁ ଇଚ୍ଛା ନ ଥିଲା । ଏ ନେଇ ତା'ର ପରିବାରକୁ ପୂର୍ବରୁ ଜଣାଇ ଦିଆ ଯାଇଥିଲା ।

ତେବେ ସେ କାହିଁକି ପଢ଼ିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲା,  କେବେ ତାର କାରଣ ଖୋଜି ବାହାର କରିବାକୁ ଚେଷ୍ଟା କରିଥିଲେ କି ? ସେପଟେ ଭୀମରାଜର ଘରଲୋକଙ୍କ କହିବା କଥା, ତା'ର ଦେହ ଖରାପ ଥିବାରୁ ଘରକୁ ଯାଇଥିଲା ।  ନଭେମ୍ବର ୧୨ ତାରିଖ ତା'ର ବାପା ତାକୁ ଆଣି ବିଦ୍ୟାଳୟ ଛାତ୍ରବାସରେ ଛାଡ଼ିଥିଲେ । ହେଲେ ସକାଳେ ସମସ୍ତେ ନିଆଁ ସେକି ହେଉଥିବା ବେଳେ ସେ କେତେବେଳେ ଯାଇ ଗାମୁଛା ଦେଇ ଆତ୍ମହତ୍ୟା କରିଦେଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଶିକ୍ଷକ ଯଦି ପିଲାଙ୍କ ପ୍ରତି ଦୃଷ୍ଟି ଦେଇଥାନ୍ତେ, ତେବେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ।

ଏ ଘଟଣାକୁ ଖୁବ୍ କମ୍ ସମୟ ଭିତରେ ଭୁଲିଯିବ ସମାଜ । ହେଲେ ଏହି ଛୋଟ ଘଟଣାଟି ପଛରେ ଯେଉଁ ଭୟଙ୍କର ବାର୍ତ୍ତା ଲୁଚି ରହିଛି, ତାକୁ ଦୃଷ୍ଟିରେ ରଖି ସତର୍କ ହେବେ କି ଆଜିର ସଚେତନ ଅଭିଭାବକ ? କୋମଳମତି ବୟସରେ କାହିଁକି ଛାତ୍ରସମାଜ ଉପରେ ପଡୁଛି ବହିବସ୍ତାନୀର ବୋଝ ? କାହିଁକି ପାଠ ଏବଂ ହୋମୱାର୍କର ଚାପରେ ନିଜ ଶୈଶବର ଚପଳତାକୁ ଭୁଲି ଯାଉଛି ପିଲାଟିଏ ? ଏହା ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ଲକ୍ଷେ ଟଙ୍କାର ପ୍ରଶ୍ନ, ହେଲେ କିଏ ଦେବ ତା'ର ଉତ୍ତର ?