ସାମ୍ନାକୁ ଆସିଛି ଚିକିତ୍ସା ଅବହେଳାରୁ ୩୦ ଦିନ ଯାଏ ଯନ୍ତ୍ରଣାରେ ଛଟପଟ ହେଉଥିବା କୋମଳମତିର ଖବର
Trending Photos
ପ୍ରଜ୍ଞା ପାରମିତା ପତ୍ରୀ, ଅନୁଗୁଳ: କେତେବେଳେ ଡାକ୍ତର ନଥିବାରୁ ଡାକ୍ତରଖାନା ବାହାରେ ପ୍ରସବ କରିବା ଘଟଣା ପଦାକୁ ଆସୁଛି ତ ଆଉ କେତେବେଳେ ଭୁଲ ମେଡିସିନ ପାଇଁ ରୋଗୀ ମୃତ୍ୟୁ ଘଟଣା ପଦାକୁ ଆସି ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ରୂପ ସାମ୍ନାକୁ ଆସୁଛି । ତେବେ ପୁଣି ଚିକିତ୍ସା ଅବହେଳାରୁ ୩୦ ଦିନ ଯାଏ କୋମଳମତିଟିଏ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ସାମ୍ନାକୁ ଆସିଛି । ଅନୁଗୁଳ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୩୦ ଦିନ ତଳେ ଆଠମଲ୍ଲିକ ମୋହନ ଖଳି ବାସିନ୍ଦା ସୀତାକାନ୍ତ ପଣ୍ଡା ତାଙ୍କର ଅଢେଇ ବର୍ଷର ପୁଅ ସ୍ୱୟଂଜିତ ପଣ୍ଡାକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖାଇବାକୁ ନେଇଥିଲେ । ଥଣ୍ଡା-କାଶ ଭଲ ହେବା ପାଇଁ ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡାକୁ ଅଣ୍ଟାରେ ଇଜେକ୍ସନ ଦେଇଥିଲେ ଆଉ ଅଜାଣତରେ ଏହି ଇଂଜେକସନ ଦେବାବେଳେ ଅଣ୍ଟାରେ ରହିଯାଇଥିଲା ଛୁଞ୍ଚି ।କିନ୍ତୁ ଦୁର୍ଭାଗ୍ୟର ବିଷୟ ସେତେବେଳେ ନର୍ସ କିମ୍ବା ପରିବାର ଲୋକେ କେହି କିଛି ଜାଣିପାରିନଥିଲେ ।
ତେବେ ଶିଶୁକୁ ପ୍ରତିଦିନ ଯନ୍ତ୍ରଣା ହେଉଥିବାରୁ ଯନ୍ତ୍ରଣାର କାରଣ ଖୋଜାଖୋଜି କରିବା ପରେ ସମ୍ବେଦନଶୀଳ ସ୍ଥାନରେ ଛୁଞ୍ଚି ଅଧା ବାହାରି ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଛୁଞ୍ଚି ଦେଖି ତୁରନ୍ତ ମାଧପୁର ମେଡିକାଲକୁ ଶିଶୁଟିକୁ ଅଣାଯାଇଥିଲା । ଶିଶୁକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ପରେ ଇଞ୍ଜେକସନ କଢାଯାଇଥିଲା ।
ଶିଶୁର ସମ୍ୱେଦନଶୀଳ ସ୍ଥାନରେ ଛୁଞ୍ଚି ରହିବା ଘଟଣାରେ ଅନୁଗୁଳ ମୁଖ୍ୟ ଚିକିତ୍ସା ଅଧିକାରୀ ଅମେରେର୍ନ୍ଦ୍ର ମହାନ୍ତି ଆଠମଲ୍ଲିକ SDMOଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏବଂ କହିଛନ୍ତି ଚିକିତ୍ସାରେ ତ୍ରୁଟି ଥିଲେ ଦୃଢ କାର୍ଯ୍ୟୁନୁଷ୍ଠାନ ନିଆଯିବ ସହିତ ଶିଶୁର ସମସ୍ତ ଚିକିତ୍ସା ମାଗଣାରେ କରାଯିବା । ତେବେ ନର୍ସ ପୂର୍ଣ୍ଣମ ହାସଂଦା ଇଂଜକ୍ସନ୍ ଦେଇଥିବା ଅଭିଯୋଗ ହୋଇଥିଲା ।