କୋରୋନାା ମହାମାରୀକୁ ନେଇ ରଚିତ ବହୁଚର୍ଚ୍ଚିତ ପୁସ୍ତକ 'ବୁହାନ ଡାଏରୀ' ଭାରତରେ ରିଲିଜ ହୋଇଛି |
Trending Photos
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚାଞ୍ଚଲ୍ୟ ଖେଳାଇଥିବା ମହାମାରୀ କୋରୋନାକୁ ନେଇ ଜାରି ରହିଛି ଗବେଷଣା, ପରୀକ୍ଷା ଏବଂ ଆଲୋଚନା | କେବଳ ଚିକିତ୍ସା କ୍ଷେତ୍ର ନୁହେଁ ସାହିତ୍ୟ ଜଗତରେ ମଧ୍ୟ ଏହା ଚର୍ଚ୍ଚାର ପରିସରକୁ ଆସିଯାଇଛି | ସଦ୍ୟ ଜଣାଶୁଣା ଚୀନ ସାହିତ୍ୟକ ଫାଙ୍ଗ ଫାଙ୍ଗଙ୍କ ଚର୍ଚ୍ଚିତ କାହାଣୀ 'ବୁହାନ ଡାଏରୀ'(Wuhan Diary:Dispatches from a Quarantined City) ଭାରତରେ ରିଲିଜ ହୋଇଛି | ଯାହା ଇଣ୍ଟରନେଟରେ ଇ-ବୁକ ଭାବେ ଉପଲବ୍ଧ ହୋଇଛି |
'ହାର୍ପର ନନ୍ ଫିକ୍ସନ' ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ଅଡିଓ ମେ ୨୬ ତାରିଖରେ ଆସିବ | ପ୍ରାୟ ୧୫ଟି ଭାଷାରେ ଅନୁବାଦିତ ହେବାକୁ ଥିବା ଏହି ପୁସ୍ତକ ଲେଖକଙ୍କ ଡାଏରୀ ଏବଂ ସୋସିଆଲ ମିଡିଆରେ ପୋଷ୍ଟର ଏକ ସଂକଳନ ଯାହାକୁ ସେ କୋଭିଡ19 ମହାମାରୀ ସମୟରେ ଲେଖିଥିଲେ | ଉହାନରେ ଲାଗୁ ହୋଇ ସାରିଥିବା ୬୦ ଦିନଆ ଲକଡାଉନର ଏହା ଏକ ଡକ୍ୟୁମେଣ୍ଟ୍ | ଜାନୁଆରୀ ୨୫ ତାରିଖରେ ଚୀନ ସରକାର ଉହାନ ପ୍ରଦେଶରେ ଲକ ଡାଉନ ଲାଗୁ କରିବା ପରେ ଚୀନ ସାହିତ୍ୟକ ଫାଙ୍ଗ ଏକ ଅନଲାଇନ ଡାଏରୀ ପ୍ରକାଶ କରିଥିଲେ | ଯେଉଁଥିରେ ସେ ଲୋକଙ୍କ ଭୟ, ହତାଶ, କ୍ରୋଧ ସମ୍ପର୍କରେ ଅବଗତ କରାଇଥିଲେ | ଯେଉଁଥିରେ ଜୋର ଜବରଦସ୍ତ କରାଯାଇଥିବା ମନସ୍ତାତ୍ତ୍ୱିକ ପରିବର୍ତ୍ତନ ମଧ୍ୟ ସ୍ଥାନ ପାଇଥିଲା | ଏହି ଘଟଣାର ଏହା ଏକ ପ୍ରତ୍ୟେକ୍ଷ ଦସ୍ତାବିଜ ବୋଲି କହିଛନ୍ତି ସେ |
କୋରୋନା ଯୋଗୁଁ ଚର୍ଚ୍ଚାରେ ଥିବା ଉହାନ ପ୍ରଦେଶ ନିବାସୀ ଚୀନ ଲେଖକ ଫାଙ୍ଗ କହିଛନ୍ତି ଯେ, ଏହି ଭାଇରସ ମାନବ ସମାଜ ପାଇଁ ଏକ ସତର୍କ ଘଣ୍ଟି ସଦୃଶ୍ୟ | ଏହାର କବଳରୁ ମୁକ୍ତି ପାଇବାକୁ ହେଲେ ସମସ୍ତଙ୍କୁ ଏକତ୍ର ଉଦ୍ୟମ କରିବାକୁ ହେବ | 'ବୁହାନ ଡାଏରୀ' ପୁସ୍ତକକୁ ଉହାନର ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି ସେ କହିଛନ୍ତି ଏଥରୁ ଯାହା ଆୟା ହେବ ତାହା ସେମାନଙ୍କ ଉପକାର ପାଇଁ ଖର୍ଚ୍ଚ ହେବ |