ଧ୍ୱଂସ ପାଉଛି କଫି ଉତ୍ପାଦନ, ଚୁପ୍ ବସିଛି ପ୍ରଶାସନ
Advertisement

ଧ୍ୱଂସ ପାଉଛି କଫି ଉତ୍ପାଦନ, ଚୁପ୍ ବସିଛି ପ୍ରଶାସନ

ଦାରିଙ୍ଗବାଡ଼ିରେ ରହିଥିବା ଦୁଇଟି କଫି ବଗିଚା ମଧ୍ୟରୁ ପ୍ଲିହେରି ଗ୍ରାମ ସ୍ଥିତ କଫି ବଗିଚାଟି ଏବେ ଧ୍ୱଂସ ହେବାକୁ ବସିଲାଣି

ଧ୍ୱଂସ ପାଉଛି କଫି ଉତ୍ପାଦନ, ଚୁପ୍ ବସିଛି ପ୍ରଶାସନ

ପ୍ରିୟବ୍ରତ ସାହୁ, ଜି. ଉଦୟଗିରି: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ମୁଖ୍ୟତଃ ଶୀତ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ । ଆଉ ଦାରିଙ୍ଗବାଡ଼ିର ପରିଚୟ କହିଲେ ଏଠିକାର କଫି ବଗିଚା ହିଁ ଏହାର ପରିଚୟ । ଦାରିଙ୍ଗବାଡ଼ିରେ ରହିଥିବା ଦୁଇଟି କଫି ବଗିଚା ମଧ୍ୟରୁ ପ୍ଲିହେରି ଗ୍ରାମ ସ୍ଥିତ କଫି ବଗିଚାଟି ଏବେ ଧ୍ୱଂସ ହେବାକୁ ବସିଲାଣି । ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣାର ଅଭାବ ହେତୁ ଏଠାରେ ଆଉ କଫି ଉତ୍ପାଦନ ହୋଇପାରୁନାହିଁ ।

୨୦୧୬-୧୭ ମସିହାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ଲିହେରି ସ୍ଥିତ କଫି ବଗିଚାରେ ୧୭ ଲକ୍ଷ୯୧ ହଜାର ଟଙ୍କା ବିନିଯୋଗ କରାଯାଇଥିଲା । ଏଠାରେ  ୨୩୦୦ କଫି ଚାରା ରୋପଣ କରାଯାଇଥିଲା । ହେଲେ ଏବେ ଏଠାରେ  ଗୋଟିଏ ବି କଫି ଗଛ ନଥିବା ବେଳେ କଫି ଚାରା ସବୁ ମାଟିରେ ମିଳେଇ ଗଲାଣି । ଏ ଏହି କଫି ବଗିଚା ମଧ୍ୟରେ ରହିଥିବା ଶାଳ, ପିଆଶାଳ ଓ ଶାଗୁଆନ ଭଳି ମୂଲ୍ୟବାନ ଗଛ ଗୁଡ଼ିକୁ  ବେଧଡକ ଭାବେ କିଛି ମୁଷ୍ଟିମେୟ ଲୋକ କାଟି ନେଇ ଯାଉଥିବା ଅଭିଯୋଗ ହୋଉଛି ।
ହେଲେ ଏଥିପ୍ରତି  ବନବିଭାଗ ହେଉ କିମ୍ବା ମୃତ୍ତିକା ସଂରକ୍ଷଣ ବିଭାଗ କେହି ଦୃଷ୍ଟି ଦେଉନାହାନ୍ତି ।

କଫି ବଗିଚାଟି ମୃତ୍ତିକା ସଂରକ୍ଷଣ ବିଭାଗ ଦାୟିତ୍ୱରେ ରହିଛି । ବନ ବିଭାଗକୁ ଜଣାଇ ଗଛ କଟା ବନ୍ଦ କରାଯିବ । ଏବଂ ଏମଜି ଏନ ଆର ଜିଏସରେ ଲୋକଙ୍କୁ କାମ ଧନ୍ଦା ଦେବା ଉଦ୍ଧେଶ୍ୟରେ ସେଠି କାମ କରାଯାଇଥିଲା ତଦାରଖ ଅଭାବରୁ କିଛି କଫି ଗଛ ନଷ୍ଟ ହୋଇଯାଇଛି । ତେଣୁ ଏନେଇ ଦାୟିତ୍ୱରେ ରହିଥିବା ପିଆଇଙ୍କୁ ରିପୋର୍ଟ ମଗାଯିବ ବୋଲି ଉପ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାଏକ କହିଛନ୍ତି । ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଆବଶକ୍ୟ ହୋଇପଡିଛି ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।