ଚନ୍ଦ୍ରବାବୁଙ୍କ ନାଁରେ ଏତଲା ଦେଲା ୱାଇଏସଆର କଂଗ୍ରେସ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ନେତା ଚନ୍ଦ୍ରବାବୁ ନାୟଡୁଙ୍କ ନାଁରେ ଏତଲା । ଗୁଣ୍ଟୁରରେ ଏହି ଏତଲା ଦେଇଛି ୱାଇଏସଆର କଂଗ୍ରେସ । 

ଚନ୍ଦ୍ରବାବୁଙ୍କ ନାଁରେ ଏତଲା ଦେଲା ୱାଇଏସଆର କଂଗ୍ରେସ
Complaint against Chandrababu Naidu

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ନେତା ଚନ୍ଦ୍ରବାବୁ ନାୟଡୁଙ୍କ ନାଁରେ ଏତଲା । ଗୁଣ୍ଟୁରରେ ଏହି ଏତଲା ଦେଇଛି ୱାଇଏସଆର କଂଗ୍ରେସ । ରାଜ୍ୟ ପୋଲିସ ଉପରେ ଅସଂସଦୀୟ ଭାଷା ପ୍ରୟୋଗ କରିବା ନେଇ ଚନ୍ଦ୍ରବାବୁଙ୍କ ନାଁରେ ଅଭିଯୋଗ ଆଣିଛି ଦଳ । ଏଥିପାଇଁ ରାଜ୍ୟ ପୋଲିସର ମନୋବଳ ହ୍ରାସ ପାଇଛି । ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି । 

ପୂର୍ବ ଗୁଣ୍ଟୁରର ବିଧାୟକ ମହମ୍ମଦ ମୁସ୍ତଫା, ଚିଲକଲୁରୁପେଟ ବିଧାୟକ ରଜୀନି ଏବଂ ତାଡିକୋଣ୍ଡା ବିଧାୟକ ଉଦାବଲ୍ଲି ଶ୍ରୀଦେବୀ ଏହି ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଅଭିଯୋଗ ଏହା ଯେ, ଚନ୍ଦ୍ରବାବୁ ନାୟଡୁ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ତେଣୁ ତାଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ ହେବା ଆବଶ୍ୟକ । ପୂର୍ବରୁ ଚନ୍ଦ୍ରବାବୁ ରାଜ୍ୟ ପୋଲିସ ପକ୍ଷପାତିତା କରୁଥିବା ଅଭିଯୋଗ କରିଥିଲେ । ସେ କହିଥିଲେ, ପୋଲିସ ଓ ପ୍ରଶାସନ ଶାସକ ଦଳ ପାଇଁ କାମ କରୁଛି । 

ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୫୦୬, ୫୦୯, ୧୫୩(ଏ) ଅନୁଯାଇ ମାମଲା ରୁଜୁ କରିବାକୁ ଶାସକ ଦଳ ବିଧାୟକ ପୋଲିସକୁ ଅନୁରୋଧ କରିଛନ୍ତି । ଆହୁରି ମଧ୍ୟ ଅଭିଯୋଗକାରୀ ବିଧାୟକ ଅପିଲ କରିଛନ୍ତି, ଯେତେ ଶୀଘ୍ର ସମ୍ଭବ ଚନ୍ଦ୍ରବାବୁ ନାୟଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । 

କହିରଖୁଛୁ, ଆନ୍ଧ୍ରପ୍ରଦେଶରେ ଯେବେଠୁ ୱାଇଏସଆର କଂଗ୍ରେସ ସରକାର ଗଢିଛି, ସେବେଠୁ ଚନ୍ଦ୍ରବାବୁ ନାୟଡୁଙ୍କ ସମୟ ଠିକ ଚାଲୁନାହିଁ । ବହୁ ସମସ୍ୟା ଦେଇ ଗତି କରୁଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ହୋଇପାରେ ଏଇଥିପାଇଁ ବିଗତ ଦିନରେ ପୋଲିସ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ହମଲା କରିଥିଲେ ଚନ୍ଦ୍ରବାବୁ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ଜଗନ ମୋହନ ରେଡ୍ଡୀଙ୍କୁ ସାଇକୋ ବୋଲି କହିଥିଲେ ଚନ୍ଦ୍ରବାବୁ । 

ଚନ୍ଦ୍ରବାବୁ ନାୟଡୁ ଆହୁରି ମଧ୍ୟ କହିଥିଲେ, ''ୱାଇଏସଆରସିପି ସରକାର ରାଜ୍ୟରେ ଜନବିରୋଧୀ ନୀତିସବୁ ଲାଗୁ କରୁଛନ୍ତି । ବିରୋଧୀ ଦଳ ନେତାମାନଙ୍କ ଉପରେ ଲଗାତାର ମକଦ୍ଦମା କରାଯାଉଛି । ମୁଁ ସେମାନଙ୍କ ପାଇଁ ଭଲ, ଯିଏ ମୋ ପାଇଁ ଭଲ । ଜଗନ ଏକ ସାଇକୋ ପରି  କାମ କରୁଛନ୍ତି । ''