)
ସମ୍ବଲପୁର: ରାଜ୍ୟ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡ. ଏ. ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି। ତେବେ କଂଗ୍ରେସରେ ଦଳିୟ ଅସନ୍ତୋଷ ଥମିବାର ନାଁ ଧରୁନାହି । ରାଜ୍ୟରେ ନୂତନ ପ୍ରଭାରୀ ନିଯୁକ୍ତି ଘୋଷଣାର ଗୋଟିଏ ଦିନ ପରେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସର ହାତ ଛାଡିଛନ୍ତି ରାଜ୍ୟ କଂଗ୍ରେସ ର ସଂପାଦିକା ସୁରେଖା ସାହୁ ।
ସୁରେଖା ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଛାଡି ଆନୁଷ୍ଠାନିକ ଭାବରେ ବିଜେଡିରେ ଯୋଗଦାନ କରିଛନ୍ତି ।
ତେବେ ସମ୍ବଲପୁର ଜିଲ୍ଲା କଂଗ୍ରେସରେ ଥିବା ଦଳୀୟ ସଙ୍ଗଠନ ସହ ଦଳରେ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ଦଳ ଛାଡିଥିବା ନେଇ ସମ୍ବଲପୁରରେ ଚର୍ଚ୍ଚା ଜୋର ଧରିଛି। ସୁରେଖା କିନ୍ତୁ ଖୋଲାଖୋଲି ଭାବରେ ତାହା କହି ନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ସହ ବିଜେଡିରେ ରହି ଲୋକଙ୍କ ସେବା କରିବା ପାଇଁ ସେ ବିଜେଡିରେ ଯୋଗଦେଇଥିବା କହିଥିଲେ ସୁରେଖା ସାହୁ ।
ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟଠାରେ ବିଜେଡ଼ି ସମ୍ବଲପୁର ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ମିନାକ୍ଷୀ ଦେବତାଙ୍କ ଉପସ୍ଥିତିରେ ଏହି ଯୋଗଦାନ ପର୍ବ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଠାରେ ଏହି ଯୋଗଦାନ ପର୍ବ ପରେ ବିଜେଡି ଜିଲ୍ଲା ମହିଳା ସଂଗଠନ ଜିଲ୍ଲା ରେ ଆହୁରି ମଜବୁତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲ। ତେବେ ରାଜ୍ୟ କଂଗ୍ରେସ ସଂପାଦିକା ସୁରେଖା ସାହୁଙ୍କ ବିଜେଡିରେ ଯୋଗଦାନ ନେଇ ଜିଲ୍ଲା କଂଗ୍ରେସର ପ୍ରତିକ୍ରିୟା ମିଳି ପାରିନାହିଁ ।