close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶିବସେନାକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ଦୁଇ ଫାଳ!

ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ମଧ୍ୟରେ ମତଭେଦ ଦେଖା ଦେଇଛି । ଶୁକ୍ରବାର ମହାରାଷ୍ଟ୍ର କଂଗ୍ରେସର କିଛି ନେତା ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି । ସରକାର ଗଢିବା ପାଇଁ ଶିବସେନାକୁ ସମର୍ଥନ ଦେବା ଆବଶ୍ୟକ ବୋଲି ମହାରାଷ୍ଟ୍ରର ନେତାମାନେ କହୁଛନ୍ତି । କିନ୍ତୁ କଂଗ୍ରେସ ନେତୃତ୍ୱ ଏଥିପାଇଁ ସମୟ ନେବେ ବୋଲି ଜଣାପଡିଛି । ସମର୍ଥନ ଉପରେ ଏନସିପିର ନିଷ୍ପତ୍ତିକୁ ଅପେକ୍ଷା କରୁଛି ଦଳ ।

ଶିବସେନାକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ଦୁଇ ଫାଳ!
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ମଧ୍ୟରେ ମତଭେଦ ଦେଖା ଦେଇଛି । ଶୁକ୍ରବାର ମହାରାଷ୍ଟ୍ର କଂଗ୍ରେସର କିଛି ନେତା ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଛନ୍ତି । ସରକାର ଗଢିବା ପାଇଁ ଶିବସେନାକୁ ସମର୍ଥନ ଦେବା ଆବଶ୍ୟକ ବୋଲି ମହାରାଷ୍ଟ୍ର କଂଗ୍ରେସର କିଛି ନେତାମାନେ କହୁଛନ୍ତି । ଅନ୍ୟପକ୍ଷେ କିଛି ନେତା ଏହା ବିରୋଧରେ ଅଛନ୍ତି । କିନ୍ତୁ କଂଗ୍ରେସ ନେତୃତ୍ୱ ଏଥିପାଇଁ ସମୟ ନେବେ ବୋଲି ଜଣାପଡିଛି । ସମର୍ଥନ ଉପରେ ଏନସିପିର ନିଷ୍ପତ୍ତିକୁ ଅପେକ୍ଷା କରୁଛି ଦଳ ।

ଅନ୍ୟପକ୍ଷେ ମିଳୁଥିବା ସୂଚନା ଅନୁସାରେ, କଂଗ୍ରେସ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ । ଏଥିରୁ ସ୍ପଷ୍ଟ ଲାଗୁଛି କଂଗ୍ରେସ ରାଜ୍ୟରେ ସରକାର ଗଢିବାରେ ବ୍ୟଗ୍ରତା ଦେଖାଉ ନାହିଁ । ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବାକୁ ଆସିଥିଲେ । କିନ୍ତୁ ତାଙ୍କ ସହ ସାକ୍ଷାତ ନ ହେବାରୁ ମୁମ୍ୱାଇ ଫେରିବାକୁ ପଡିଥିଲା । ବର୍ତ୍ତମାନ ୧୦ ଜନପଥରେ କଂଗ୍ରେସ ନେତାଙ୍କ ସହ ସୋନିଆଙ୍କ ସାକ୍ଷାତ ଚାଲିଛି । ଏହି ବୈଠକରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ବାଲାସାହେବ ଥୋରଟ, ମନିରାଓ ଠାକରେ ଓ ପୃଥ୍ୱୀରାଜ ଚୌହ୍ୱାନ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ ଗୁରୁବାର ରାତିରେ ଶିବସେନାର ବରିଷ୍ଠ ନେତା ତଥା ପ୍ରବକ୍ତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି । ଯାହା ପରେ ରାଜନୈତିକ ଗତିବିଧିରେ ବୃଦ୍ଧି ଦେଖା ଦେଇଛି । ଉଦ୍ଧବ ଠାକରେ ପ୍ରଥମରୁ ସ୍ଥିର କରି ନେଇଛନ୍ତି ଯେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ ହିଁ ହେବେ । ବର୍ତ୍ତମାନ ସଞ୍ଜୟ ରାଉତ ଓ ପାୱାରଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଏହାର ସମ୍ଭାବନା ଆହୁରି ବଢିଯାଇଛି । ଏହି ପରିସ୍ଥିତିରେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା ।

ଶୁକ୍ରବାର ସକାଳେ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ସହ ସରକାର ଗଢିବାକୁ ନେଇ କୌଣସି ଆଲୋଚନା ହେଉନାହିଁ । ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ବୋଲି ସେ ଦମ୍ଭୋକ୍ତି ଭରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛୁ ଶିବସେନା କଣ ଏନସିପିର ସମର୍ଥନ ନେବା ପାଇଁ ପ୍ରସ୍ତୁତ? ତେବେ କଂଗ୍ରେସର ସମର୍ଥନ ମଧ୍ୟ ଶିବସେନା ନେବ? କଂଗ୍ରେସ ଓ ଶିସେନା ମଧ୍ୟରେ ବିଚାରଗତ ମତଭେଦ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଶିବସେନା କଂଗ୍ରେସକୁ ସମର୍ଥନ ପ୍ରଦାନ କରି ଆସିଛି ।

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।