ଭାରତ ବଞ୍ଚାଓ ସମାବେଶ: ଗୋଟିଏ ମଞ୍ଚରେ ଏକାଠି ହେଲେ କଂଗ୍ରେସ ନେତା

ରାଜ୍ୟ ସରକାର ଓ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି କଂଗ୍ରେସ ନେତା । ହାତକୁ ହାତ ଧରି ଏକତା ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ଭୁବନେଶ୍ୱରର ଏହି ମହାମଞ୍ଚରୁ ଏକତାର ବାର୍ତ୍ତା ଦେଇ ଆଗକୁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଜୋରଦାର କରିବାକୁ ଶପଥ ନେଇଛନ୍ତି ନେତାଗଣ । ଗୋଟିଏ ଗୋଷ୍ଠୀ ଦିଲ୍ଲୀରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି । 

ଭାରତ ବଞ୍ଚାଓ ସମାବେଶ: ଗୋଟିଏ ମଞ୍ଚରେ ଏକାଠି ହେଲେ କଂଗ୍ରେସ ନେତା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ମଳୟ ମହାନ୍ତି, ଭୁବନେଶ୍ୱର: କେନ୍ଦ୍ର ଏବଂ ରାଜ୍ୟରେ ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କ ବିରୋଧରେ ଗର୍ଜିଛି କଂଗ୍ରେସ । ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଂକଟ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ କହିଛି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଭାରତ ବଞ୍ଚାଓ ସମାବେଶ ଆୟୋଜିତ ହୋଇଛି ଯାଇଛି । ଏହି ଅବସରରେ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ଓ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି କଂଗ୍ରେସ ନେତା । ହାତକୁ ହାତ ଧରି ଏକତା ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ଭୁବନେଶ୍ୱରର ଏହି ମହାମଞ୍ଚରୁ ଏକତାର ବାର୍ତ୍ତା ଦେଇ ଆଗକୁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଜୋରଦାର କରିବାକୁ ଶପଥ ନେଇଛନ୍ତି ନେତାଗଣ । ଗୋଟିଏ ଗୋଷ୍ଠୀ ଦିଲ୍ଲୀରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି । ଏହି ଗୋଷ୍ଠୀ ବିଧାୟକ ମୋକିମଙ୍କୁ ପିସିସି ସଭାପତି କରାଇବାକ ଜାତୀୟ ନେତୃତ୍ୱ ସହ ଭେଟୁଛନ୍ତି । ଅନ୍ୟପକ୍ଷରେ ଖୋଦ ମୋକିମ ସଭା ମଞ୍ଚରେ ନିରଂଜନଙ୍କ ନେତୃତ୍ୱରେ ଲଢିବାକୁ ଶପଥ ନେଇଛନ୍ତି ।

କଂଗ୍ରେସରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସତ ନା ଛଳନା ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତାମାନେ କିନ୍ତୁ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ବହୁ ବିଧାୟକ ଭାରତ ବଞ୍ଚାଓ ସମାବେଶରେ ଉପସ୍ଥିତ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜିଛନ୍ତି । ରାଜ୍ୟ ତଥା ଦେଶରେ ବର୍ତ୍ତମାନ ଉଭୟ ସରକାରଙ୍କ ଜନତା ମାରଣ ନୀତି ପ୍ରତିବାଦରେ ସାରା ରାଜ୍ୟର ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବାକୁ କଂଗ୍ରେସ ମଞ୍ଚରୁ ଆହ୍ୱାନ ଦେଇଛି ।

ଏପରିକି ନିଜ ଭିତରେ ବିବାଦକୁ ବନ୍ଦ କରି ଏବଂ ଚୁପ ହୋଇ ନ ବସି ବ୍ୟାପକ ଆନ୍ଦୋଳନରେ ସାମିଲ ହେବାକୁ କର୍ମୀଙ୍କୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଏପରିକି ଯେଉଁମାନେ ଦିଲ୍ଲୀ ଯାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ଦେଶରେ ଦରଦାମ ବୃଦ୍ଧି ପ୍ରତିବାଦର ପ୍ରତୀକାତ୍ମକ ଭାବେ କଂଗ୍ରେସ କର୍ମୀମାନେ ବେକରେ ଆଳୁ ପିଆଜ ବିଭିନ୍ନ ପନିପରିବା ହାର ଲଗାଇ ବୁଲୁଥିବା ବେଳେ ପକୁଡି, ଚା ଆଦି କରି ବିକିଥିଲେ । କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦରଦାମ ବୃଦ୍ଧି ସଂପର୍କରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।