ବଦଳୁଛି କଂଗ୍ରେସର ସ୍ୱର !

ଶାହଙ୍କୁ ପ୍ରଶଂସା ନା ସମାଲୋଚନା ?

ବଦଳୁଛି କଂଗ୍ରେସର ସ୍ୱର !
ଫାଇଲ ଫଟୋ

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ଶିବସେନା-କଂଗ୍ରେସ-ଏନସିପି ସରକାର ଗଠନ କରିବା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ତିନି ଦଳ ମଧ୍ୟରେ ଘନ ଘନ ବୈଠକ ବି ବସୁଛି । ବିଜେପି ବି ଚୁପ୍ ବସିନି । ସରକାର ଗଠନ କରିବା ନେଇ ସର୍ବ ସମ୍ମୁଖରେ ଡିଣ୍ଡିମ ପିଟି ସାରିବା ପରେ ଏବେ ଦଳ ଘୋଡ଼ା ବେପାରରେ ବ୍ୟସ୍ତ ଥିବା ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ଏବେ ଜନତା କେବଳ ଅସମାପ୍ତ ନାଟକକୁ ହିଁ ଉପଭୋଗ କରୁଛନ୍ତି ।

ତେବେ ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମଳିତ ସରକାର ଗଠନ କରିବେ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ସେହି ସ୍ୱପ୍ନ ପୂରଣ ହେଲାନି । ଏହି ସ୍ୱପ୍ନ ପୂରଣ ନ ହେବାରେ ଦେଶର ପ୍ରାୟ ଅଧିକାଂଶ ଲୋକ କଂଗ୍ରେସକୁ ହିଁ ଦାୟୀ କରିଛନ୍ତି । ଠିକ୍ ସମୟରେ ନିଷ୍ପତ୍ତି ନେଇ ନ ପାରିବା ଯୋଗୁ ଏଭଳି ଅବସ୍ଥା ଦେଖା ଦେଇଥିବା ସମସ୍ତେ କହୁଛନ୍ତି । ତେବେ ଏହା ପଛରେ ଅନ୍ୟ କେତେକ କାରଣ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଦଳ କୁଆଡ଼େ ଏବେ ପି। ଚିଦାମ୍ୱରମଙ୍କୁ ବାହାରକୁ ଆଣିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି । ସେଥିପାଇଁ ବିଭିନ୍ନ ଡିଲ୍ କରାଯାଉଥିବା ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବାର କେଇ ଘଣ୍ଟା ପୂର୍ବରୁ ନିତିନ ଗଡ଼କରୀଙ୍କ ସହ କଂଗ୍ରେସ ନେତା ଅହମ୍ମଦ ପଟେଲ ସାକ୍ଷାତ କରିଥିଲେ । ସେଠି କୁଆଡ଼େ ଚିଦାମ୍ୱରମଙ୍କ ବିଷୟରେ ଆଲୋଚନା କରୁଥିବା ନେଇ ଜୋରଦାର୍ ଚର୍ଚ୍ଚା ହେଉଥିଲା ।

congress voice

୨୦୧୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଏକ ପ୍ରକାର ସାରା ଦେଶରେ ଦୁର୍ବଳ ହୋଇପଡିଥିଲା । ୨୦୧୯ରେ ଦଳ ନିଜର ସ୍ଥିତି ମଜଭୁତ ହେବା ନେଇ ଯେଉଁ ଆଶା କରୁଥିଲା, ତାହା ନୋହିଲା । ପୂର୍ବାପେକ୍ଷା ଏଥର ବି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ସେପଟେ ଭାରତକୁ କଂଗ୍ରେସମୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାକ୍ ଚାତୁରୀ ଏବଂ ଅମିତ ଶାହଙ୍କ ବିଚକ୍ଷଣ ବୁଦ୍ଧି, ଏକପ୍ରକାର କାମ ଦେଲା । ୨୦୧୪ ପରଠାରୁ ଦେଶରେ ବିଜେପିର ପ୍ରଭୁତ୍ୱ ବିସ୍ତାର ଯେଉଁଭଳି ଭାବେ ଦେଖିବାକୁ ମିଳିଲା, କଂଗ୍ରେସ ହୁଏତ ଏହାକୁ ଦେଖି ଡରିଯାଇଛି ! ସେହିପରି ଗୋଆ ଓ ମଣିପୁରରେ ସଂଖ୍ୟା ଗରିଷ୍ଠତା ନଥାଇ ମଧ୍ୟ ଶାହଙ୍କ ଷ୍ଟ୍ରାଟେଜି ଫଳରେ ବିଜେପି ସରକାର ଗଠନ କରିବାରେ ସମର୍ଥ ହୋଇଥିଲା । କର୍ଣ୍ଣାଟକରେ ମଧ୍ୟ ଗେରୁଆ ଦଳ ଯେଉଁଭଳି ରଣନୀତି ପ୍ରସ୍ତୁତ କରିଥିଲା, ତାକୁ ଦେଖି କେବଳ କଂଗ୍ରେସ କାହିଁକି ଯେକୌଣସି ଦଳ ମଧ୍ୟ ସଦମାରେ ରହିବା ସ୍ୱାଭାବିକ । 

congress voice

ମଙ୍ଗଳବାର ମହାରାଷ୍ଟ୍ର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଦେବା ପରେ ବୁଧବାର ଶାହଙ୍କୁ ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ସେ କହିଛନ୍ତି, ଅମିତ ଶାହଙ୍କୁ ଦଳ ଭାଙ୍ଗିବା, ଗଢ଼ିବା ସବୁ ପ୍ରକାର କଳା ଜଣାଅଛି । ମୁଁ ସ୍ୱୀକାର କରୁଛି ଯେ, ସେ ଏହି କାମରେ ପୂରା ଅଭ୍ୟସ୍ତ ଏବଂ ଅନୁଭବୀ । ଏହାସହ କର୍ଣ୍ଣାଟକ ଓ ଗୋଆର ଉଦାହରଣ ମଧ୍ୟ ଶିବଲ ଦେଇଛନ୍ତି । ତେବେ ସମାଲୋଚନା ଆଳରେ ସେ ଏକଥା କହିଥିଲେ ବି ତାଙ୍କ ଭାବଭଙ୍ଗୀ କିଛି ଅଲଗା ବୟାନ କରୁଛି କି ? ଅତୀତର ଅନେକ ପ୍ରସଙ୍ଗକୁ ନେଇ କଂଗ୍ରେସ ଏବେ ଚିନ୍ତିତ ଅଛି କି ? ଗାନ୍ଧି ପରିବାର ବିରୋଧରେ ଏବେ ବିଭିନ୍ନ ମାମଲା ବିଚାରାଧୀନ ଅଛି । ଏହାକୁ ଆଳ କରି ବିଜେପି କଂଗ୍ରେସ ଉପରେ ଚାପ ପକାଉନି ତ ! ଏମିତି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।