ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ ମାମଲା: ଜୋରିମାନା ଗଣିବ ଜାକିର ନାଏକ
Advertisement

ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ ମାମଲା: ଜୋରିମାନା ଗଣିବ ଜାକିର ନାଏକ

ବିବାଦୀୟ ଧର୍ମଗୁରୁ ଜାକିର ନାଏକକୁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି ବ୍ରିଟେନରେ ଗଣ ମାଧ୍ୟମ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ଆଫକମ' 

ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ ମାମଲା: ଜୋରିମାନା ଗଣିବ ଜାକିର ନାଏକ

ଲଣ୍ଡନ: ନିଜର ଘୃଣା ସୃଷ୍ଟିକାରୀ ଭାଷଣ ମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଇସଲାମ ଧର୍ମଗୁରୁ ଜାକିର ନାଏକକୁ ଲାଗିଛି ଝଟକା | ବ୍ରିଟେନରେ ଗଣମାଧ୍ୟମର କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା 'ଆଫକମ' ବିବାଦୀୟ କାର୍ଯ୍ୟକ୍ରମ ପ୍ରସାରଣ କରିବା ଅଭିଯୋଗରେ ୩ ଲକ୍ଷ ପାଉଣ୍ଡର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି | ବ୍ରିଟେନରେ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ନେଇ ଲାଗୁ ହୋଇଥିବା ନିୟମକୁ ଭଙ୍ଗ କରିବା ଅଭିଯୋଗରେ ଜାକିର ନାଏକର ପିସ ଟିଭି ଏବଂ ଏହାର ଉର୍ଦ୍ଦୁ ଲାଇସେନ୍ସ ଧାରକଙ୍କୁ ଏହି ଜୋରିମାନା ଦେବାକୁ ଜଣାଇ ଦିଆଯାଇଛି |      
       
ଏନେଇ 'ଆଫକମ' ପକ୍ଷରୁ ତଦନ୍ତ କରାଯିବା ପରେ କୁହାଯାଇଛି ଯେ, ପିସ ଟିଭି ଉର୍ଦ୍ଦୁ ଏବଂ ପିସ ଟିଭି ଦ୍ୱାରା ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମରେ ଘୃଣା ସୃଷ୍ଟିକାରୀ, ବିବାଦୀୟ,  ଆପତ୍ତି ଜନକ ବିଷୟବସ୍ତୁ ପ୍ରସାରଣ କରାଯାଇଛି | ଯାହା ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ | ଏହା ସହିତ ଆହୁରି ମଧ୍ୟ କୁହାଯାଇଛି ଯେ, କାର୍ଯ୍ୟକ୍ରମ ପ୍ରସାରଣ ସମ୍ପର୍କିତ ନିୟମ ପାଳନ କରିବାରେ ପିସ ଟିଭି ବିଫଳ ହୋଇଛି | ନିୟମ ଉଲଂଘନ କରିବା ଅଭିଯୋଗରେ ଏହି ଟିଭି ଚ୍ୟାନେଲକୁ ତିନି ଲକ୍ଷ ପାଉଣ୍ଡର ଜୋରିମାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ପିସ ଟିଭିର ପୂର୍ବ ଲାଇସେନ୍ସ ଧାରକଙ୍କୁ  ଦୁଇ ଏବଂ ପିସ ଟିଭକୁ ଲକ୍ଷେ ପାଉଣ୍ଡର ଜୋରିମାନା ଦେବାକୁ ହେବ |   

ପିସ ଟିଭ ଉପରେ 'ଲର୍ଡ ପ୍ରଡକସନ ଲିମିଟେଡ' ର ମାଲିକାନା ହକ ରହିଛି | ଅନ୍ୟପଟେ ପିସ ଟିଭି ଉର୍ଦ୍ଦୁର ମାଲିକାନା 'କ୍ଲବ ଟିଭି' ହାତରେ ରହିଛି | ଏହି ଦୁଇଟି ମୂଳ କମ୍ପାନୀର ମାଲିକ ହେଉଛି ଜାକିର ନାଏକ | ଏହି ବିବାଦୀୟ ଧର୍ମଗୁରୁ ନିଜର ଘୃଣା ସୃଷ୍ଟିକାରୀ ଭାଷଣ ମାଧ୍ୟମରେ କଟ୍ଟରପନ୍ଥୀ ଚିନ୍ତାଧାରାକୁ ବଢାଇବା ଏବଂ ମନି ଲଣ୍ଡ୍ରିଂ ମାମଲାରେ ଭାରତରୁ ମାଲେସିଆ ପଳାୟନ କରିଥିଲା ଜାକିର ନାଏକ | ଯେଉଁଠି ତାକୁ ରହିବାକୁ ଅନୁମତି ମିଳଥିଲା | ବିବାଦୀୟ ଆଚରଣ କାରଣରୁ ଜାକିର ନାଏକ ବିରୋଧରେ ଗତ ୨୦୧୦ରେ ବ୍ରିଟେନକୁ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା |